ଫୁଲୁଛି ସୁବର୍ଣ୍ଣରେଖା ଓ ଜଳକା, ଜଳବନ୍ଦୀ ଗାଁକୁ ଜଳମଗ୍ନ ଚାଷଜମି 

ଜଳେଶ୍ୱର : ଫୁଲୁଛି ସୁବର୍ଣ୍ଣରେଖା ଓ ଜଳକା । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ ଜଳସ୍ତର। ମଥାନୀଠାରେ ବିପଦ ସଂକେତ ୬.୫୦ ମିଟର ରହିଥିବାବେଳେ ୬.୬୯ ମିଟରରେ ପ୍ରବାହିତ ହେଉଛି ଜଳସ୍ତର। ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀ ର ବିପଦ ସଙ୍କେତ ୧୦.୩୬ ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୧.୫୫ ମିଟରରେ ପ୍ରବାହିତ ହେଉଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଲସ୍ତର ବୃଦ୍ଧି ପାଇ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହେବା ସହ ତଳିଆ ଅଞ୍ଚଳ ପାଣିରେ ବୁଡ଼ି ରହିଛି। ରାସ୍ତା ଉପରେ ୪ ଫୁଟର ପାଣି ଚାଲିଥିବାରୁ ଗାଁ ଦାଣ୍ଡରେ ଡଙ୍ଗା ଚାଲୁଛି। ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମକୁଣ୍ତା ଷୋଳଶା ପାଣ୍ଠ କୋଷ୍ଟ କେନାଲର ସ୍ଲୁଇସ ଗେଟ୍ ଭୁଷୁଡି ପଡିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଆଜି ମୁଖ୍ଯମନ୍ତ୍ରୀ ଜିଲ୍ଲାର ବନ୍ଯା ପ୍ରଭାବିତ ଅଞ୍ଚଳରେ ଏରିଏଲ୍ ସର୍ଭେ କରିବେ।

ଅନ୍ଯପଟେ ଜଳକା ନଦୀର ଜଳସ୍ତର ମଧ୍ଯ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଯାହା ଫଳରେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଏବଂ ସଦର ବ୍ଲକର ୩ ଟି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମିରେ ଲହଡି ମାରୁଛି ବନ୍ଯା ପାଣି । ଗତକାଲି ଅପରାହ୍ନରେ ବାଲେଶ୍ବର ଜିଲ୍ଲାପାଳ ସୂର୍ଯ୍ଯବଂଶୀ ମୟୁର ବିକାଶ ବନ୍ଯାଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ଯାନ କରିବା ସହ କିଭଳି ବନ୍ଯା ପରିସ୍ଥିତିକୁ ମୁକାବିଲା କରା ଯାଇ ପାରିବ ସନେଇ ବ୍ଲକ ପ୍ରଶାସନ ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ଓଡ୍ରାଫ , ଏନଡିଆରଏଫ୍ ଟିମ ଏବଂ ଅଗ୍ନିଶମ ବାହିନୀ ମହଜୂଦ ଥିବା ସହ ପ୍ରଶାସନ ପକ୍ଷରୁ ପାୱାର ବୋଟର ବ୍ଯବସ୍ଥା କରାଯାଇଛି ।

 

You might also like