ଜଳେଶ୍ବର: ଫୁଲୁଛି ନଦୀ, ବଢ଼ୁଛି ବନ୍ୟା ଆଶଙ୍କା । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବିପଦ ସଙ୍କେତ ଅତିକ୍ରମ କରି କ୍ରମଶଃ ବୃଦ୍ଧି ପାଉଛି ଜଳକା ନଦୀର ଜଳସ୍ତର । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୮୬ ମିଟରରେ ପ୍ରବାହିତ ହେଉଛି ।
ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଗତ କିଛି ଦିନ ଧରି ବାଲେଶ୍ବର ସମେତ ଜଳକା ନଦୀର ଉପରମୁଣ୍ତ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ରାସଗୋବିନ୍ଦପୁର,ମୋରଡା,ଶୁଳିଆପଦା,ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ କ୍ରମଶଃ ବୃଦ୍ଧି ପାଉଛି ନଦୀର ଜଳସ୍ତର। ଆଜି ମଧ୍ଯ ପ୍ରବଳ ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରା ଯାଉଛି ।
ବନ୍ୟା ହେଲେ ବସ୍ତା ବ୍ଲକର ୧୦ ଏବଂ ସଦର ବ୍ଲକର ୩ଟି ପଞ୍ଚାୟତ ପ୍ରଭାବିତ ହେବା ସହ ଚାଷଜମି କ୍ଷତିଗ୍ରସ୍ତ ହେବାର ଆଶଙ୍କା କରା ଯାଉଛି । ଚାଷଜମି ରେ ଜଳକା ନଦୀ ର ବନ୍ଯା ପାଣି ପ୍ରବେଶ କରିବା ଯୋଗୁଁ ଧାନ ତଳି ନଷ୍ଟ ହେବାର ଆଶଙ୍କା ରହିଛି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବନ୍ଯା ପାଣି ପ୍ରବାହିତ ହେଉଥିବାରୁ ଯାତାୟତ ରେ ବାଧାପ୍ରାପ୍ତ ହେଉଛି ।
Also Read: Schools Closed: ହାଇ ଆଲର୍ଟ ! ୯ ଜିଲ୍ଲାରେ ସ୍କୁଲ ଛୁଟି