ଭଦ୍ରକ: ସରିଲା ଜନ୍ମାଷ୍ଟମୀ । ଆଜି ହେଉଛି ନନ୍ଦ ଉତ୍ସବ । ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣୀ ପୀଠରେ ନିଆରା ପରମ୍ପରା ଦେଖିବାକୁ ମିଳେ । ଯାହାକୁ ଦେଖିବା ପାଇଁ ଅର୍ଦ୍ଧ ରାତ୍ର ପର୍ଯ୍ୟନ୍ତ ସେବାୟତ ପରିବାରଠାରୁ ଆରମ୍ଭ କରି ଭକ୍ତ ସମସ୍ତେ ଅପେକ୍ଷା କରି ରହଥାନ୍ତି । ଜଣେ ସେବାୟତ ବସୁଦେବ ସାଜି କୃଷ୍ଣକୁ ମୁଣ୍ଡରେ ମୁଣ୍ଡାଇ ମନ୍ଦିର ବେଢ଼ାକୁ ପ୍ରବେଶ କରୁଥିବା ସମୟରେ ଅନ୍ୟ ଜଣେ ସେବାୟତ ଉଗ୍ରେସନ ସାଜି ବସୁଦେବଙ୍କ ବାଟ ଓଗାଳୀ ଥାଏ। ପରେ ବସୁଦେବ ଶ୍ରୀ କୃଷ୍ଣଙ୍କ ଦେଖା କରାଇବା ପରେ ବାଟ ଛାଡ଼ିଥାଏ ଉଗ୍ରେଶନ । ଏହି ପୌରାଣିକ କଥାକୁ ମନ୍ଦିର ଭିତରେ ଉପସ୍ଥାପନ କରିଥାନ୍ତି ସେବାୟତ ମାନେ । ଯାହାକୁ ଦେଖିବାକୁ ଭିଡ ଲାଗିଥିଲା ଆଖ ପାଖ ଅଞ୍ଚଳର ଲୋକଙ୍କର। ପବିତ୍ର ଜନ୍ମାଷ୍ଟମୀ ଅବସରରେ ଏହି ପ୍ରଥା ପାଳିତ ହୋଇଥିଲା ଆରଡ଼ି ଆଖଣ୍ଡଳମଣୀ ମନ୍ଦିରରେ।
ଶ୍ରୀକୃଷ୍ଣ ଜନ୍ମ ଉତ୍ସବ ପାଇଁ ଦିନ ତମାମ ଆରଡ଼ି ପୀଠ ଚଳଚଞ୍ଚଳ ହୋଇପଡ଼ିଥିଲା । ରାତିରେ ନିଧି ପାଢୀଙ୍କ ଘରେ ଜଗନ୍ନାଥଙ୍କ ପାଖରେ ଖଣ୍ଡିକିଆ ହରିବଂଶ ପଠନ କରଯାଇଥିଲା। ତାହା ସହ ସେବାୟତ ମାନେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଭୋଗ ଜଗନ୍ନାଥଙ୍କ ପାଖରେ ଲାଗି କରୁଥିଲେ । ପରେ ମଧ୍ୟ ରାତ୍ରରେ କଂସ ମହୀପାଳ ନୀତି ସମ୍ପନ୍ନ ହୋଇଥିଲା ଆରଡ଼ି ଆଖଣ୍ଡଳମଣୀ ମନ୍ଦିର ପରିସରରେ । ଏହି କଂସ ମହୀପାଳକୁ ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା । ଜନ୍ମାଷ୍ଟମୀ ପାଇଁ ଆଖଣ୍ଡଳମଣୀ ମନ୍ଦିରରେ ସ୍ୱତନ୍ତ୍ର ନିତିକାନ୍ତି ଅନୁଷ୍ଠିତ ହୋଇଥିଲା ।