ବୟକଟ୍ ପରେ ବି ଅଫର: ଯଦି ନରି ପଣ୍ଡା ଆମ ଯାତ୍ରା ପାର୍ଟିକୁ ଆସନ୍ତି ଆମେ ସ୍ଵାଗତ କରିବୁ

ଭୁବନେଶ୍ଵର : ଆସନ୍ତା ଯାତ୍ରା ସିଜିନ୍ ରେ ମଞ୍ଚରେ ଦେଖାଯିବେନି ହାସ୍ୟାଭିନେତା ନରି ପଣ୍ଡା । ଅଭିନେତାଙ୍କୁ ବ୍ୟାନ୍ କରିଛି ଯାତ୍ରା ମାଲିକ ସଂଘ । ହଁ ଆଜ୍ଞା ପିଛା ଛାଡ଼ୁନି ଯାତ୍ରା ବିବାଦ । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ବିବାଦ । ଯାତ୍ରା ଅଭିନେତା ନରି ପଣ୍ଡାଙ୍କୁ ବର୍ଷେ ବାସନ୍ଦ ଖବର ଏବେ ସବୁଠି ଚର୍ଚ୍ଚା । ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ କରାଯାଇଛି ବୟକଟ୍ । ଆଉ ଯାତ୍ରା ମଞ୍ଚରେ ଶୁଭିବନି ହାସ୍ୟ ଅଭିନେତା ନରି ପଣ୍ଡାଙ୍କ କମେଡି । ନରିଙ୍କୁ ବୟକଟ କରିଛି ଯାତ୍ରା ମାଲିକ ସଂଘ । ଅନିର୍ଦ୍ଦିଷ୍ଟ କାଳ ପାଇଁ ନରି ପଣ୍ଡାଙ୍କୁ ବ୍ୟାନ୍ କରାଯାଇଥିବା ନେଇ ମାଲିକ ସଂଘର ସଭାପତି ସୂଚନା ଦେଇଛନ୍ତି ।
ତୁଳସୀ ଗଣନାଟ୍ୟ ମାଲିକ ନରି ପଣ୍ଡାଙ୍କୁ ମାଡ଼ ମରା ଘଟଣାରେ ଏତଲା ପରେ ଯାତ୍ରା ମାଲିକ ସଂଘ ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ନିକଟରେ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ କିପରି ଯାତ୍ରା ମାଲିକ ତାଙ୍କ ଉପରେ ଅତ୍ୟାଚାର କରିଥିଲେ, ତାହା ବଖାଣିଥିଲେ । ଯାତ୍ରା ମାଲିକ ତାଙ୍କ ନିର୍ଧୂମ୍ ମାଡ଼ ମାରିବା ସହ ଗାଳି ଗୁଲଜ କରିଥିବା ଅଭିଯୋଗ କରିଥିଲେ ଅଭିନେତା ।
ନୂଆ ଯାତ୍ରା ସିଜିନ୍ ପାଇଁ ଅଭିନେତା ନରି ତୁଳସୀ ଗଣନାଟ୍ୟ ସହ ଚୁକ୍ତି କରି ଅଗ୍ରୀମ ୧୦ଲକ୍ଷ ଟଙ୍କା ନେଇଥିଲେ । ସେ ୧୮ ଲକ୍ଷ ଦାବି କରିଥିବାବେଳେ ପ୍ରଯୋଜକ ୧୬ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ । ତେବେ ଅବଶିଷ୍ଟ ଟଙ୍କା ମାଗିବାରୁ ପ୍ରଯୋଜକ ତାଙ୍କୁ ଖରାପ ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ଅଭିନେତା ପିୟୁଷ ତ୍ରିପାଠୀଙ୍କୁ ମଧ୍ୟ ଯାତ୍ରା ପ୍ରଯୋଜକ ସଂଘ ବ୍ୟାନ୍ କରିବାର ସମ୍ଭାବନ ଅଛି । ପିୟୁଷଙ୍କ ବାପା ପ୍ରଯୋଜକ ସଂଘକୁ ଚିଠି ଲେଖିଛନ୍ତି ବିବାଦର ସମାଧାନ ପାଇଁ । ଆସନ୍ତା ଶୁକ୍ରବାର ଦିନ ପିୟୁଷଙ୍କ ବିବାଦର ସମାଧାନ ପାଇଁ ବୈଠକ ବସିପାରେ ।
ଏପଟେ ଯାତ୍ରା ମାଲିକ ସଂଘର ଏଭଳି ନିଷ୍ପତ୍ତି ପରେ ମଧ୍ୟ, ଉକ୍ତ ବୈଠକରୁ ବାଦ୍ ପଡିଥିବା କିଛି ଅନ୍ୟ ଯାତ୍ରା ମାଲିକ ନରି ପଣ୍ଡାଙ୍କୁ ସପୋର୍ଟ କରିଛନ୍ତି । ନରିଙ୍କୁ ବଏକଟ କରିବା ବିଷୟରେ ସେମାନେ ଅବଗତ ଥାଇବି, ଯଦି ନରି ପଣ୍ଡା ସେମାନଙ୍କ ଯାତ୍ରା ପାର୍ଟିକୁ ଆସନ୍ତି ତେବେ ସେମାନେ ତାଙ୍କୁ ସ୍ଵାଗତ କରିବେ ବୋଲି କହିଛନ୍ତି ।
ଆହୁରି ପଢନ୍ତୁ:ସରକାରଙ୍କ ଚେତାବନୀ, ଓଡ଼ିଆରେ ସାଇନବୋର୍ଡ ନ ଲେଖିଲେ ହେବ କାର୍ଯ୍ୟାନୁଷ୍ଠାନ