ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି ଯବାନ, ମାଓ ଦମନ ଅପରେସନ ପାଇଁ ଏ କଷ୍ଟ ଜୀବନ

ମାଲକାନଗିରି: ଜଙ୍ଗଲ ଭିତରେ ଶୋଷ ମେଣ୍ଟାଉଛି ବର୍ଷା ପାଣି । ବର୍ଷା ପାଣିକୁ ପଲିଥିନରେ ସଂଗ୍ରହ କରି ପିଉଛନ୍ତି ଯବାନ । ଖାଇବାକୁ ଖାଦ୍ୟ ନାହିଁ କି ପଇବାକୁ ପାଣି ନାହିଁ କିନ୍ତୁ ସଂଘର୍ଷ କରିବାକୁ ପଛାଇ ନାହାନ୍ତି ଯବାନ । ଏଭଳି ଘଟଣା ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାରୁ ଆସିଥିବା ଜଣାପଡ଼ିଛି । ଘଞ୍ଚ ଜଙ୍ଗଲ ଭିତରେ ଯବାନମାନେ କିଭଳି କଷ୍ଟସାଧ୍ୟ ମାଓ ଅପରେସନରେ ସାମିଲ ହେଉଛନ୍ତି ତାର ଭିଡିଓ ସାମ୍ନାକୁ ଆସିଛି । ମାଓ ସଙ୍ଗଠନକୁ ମୂଳପୋଛ କରିବା ପାଇଁ କିଛି ଦିନ ହେବ ଛତିଶଗଡ଼ରେ ବଡ଼ ଧରଣର ଅପରେସନ ଆରମ୍ଭ ହୋଇଛି । ପ୍ରାୟ ୫ରୁ ୬ ଦିନ ଧରି ଏହି ଅପରେସନ ଚାଲିଥିବାବେଳେ କାଙ୍କେର ଜିଲ୍ଲା ଛୋଟବେଟିଆ ଥାନା ଅନ୍ତର୍ଗତ ବିନାଗୁଣ୍ଡା ଜଙ୍ଗଲରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ମହିଳା ମାଓବାଦୀଙ୍କ ମୃତଦେହ ନେଇ ଯବାନମାନେ ପ୍ରାୟ ୧୨ କିଲୋମିଟର ଚାଲି ଚାଲି ଫେରିଥିଲେ । ଦୁର୍ଗମ ଜଙ୍ଗଲରେ ପ୍ରଖର ପାଣି ସୁଅରେ ପଶି ଏକ ନାଳ ପାର ହେଉଥିବା ଭିଡିଓ ସାମ୍ନାକୁ ଆସିଛି। ପ୍ରତିକୁଳ ପରିବେଶ ମଧ୍ୟରେ ଜଙ୍ଗଲରେ ଅପରେସନ ବେଳେ ଖାଦ୍ୟ ଓ ପାନୀୟ ଜଳ ପାଇଁ ସଂଘର୍ଷ କରୁଥିଲେ ଯବାନ।

ମାଓ ଦମନ ପାଇଁ ସୁରକ୍ଷା କର୍ମୀ ପକ୍ଷରୁ ଅପରେସନକୁ ଜୋର୍‌ଦାର କରାଯାଇଛି । ଡିଆର୍‌ଜି, ସିଆର୍‌ପିଏଫର କୋବ୍ରା ଯବାନ ମାଓ ଦମନ ଅପରେସନରେ ସାମିଲ ହୋଇଛନ୍ତି । କିଛିଦିନ ହେବ ଏଠାରେ ମାଓନେତା ହିଡ୍‌ମା ଓ ଉଦୟ ଆତଙ୍କରାଜ ଚଳାଉଥିବା ବେଳେ ମାଓ ସଙ୍ଗଠନକୁ ମୂଳପୋଛ କରିବା ପାଇଁ ବଡ଼ ଧରଣର ଅପରେସନ ଆରମ୍ଭ ହୋଇଛି । ଏହି ଅପରେସନ ଚାଲିଥିବାବେଳେ କାଙ୍କେର ଜିଲ୍ଲା ଛଟେବେଟିଆ ଥାନା ଅନ୍ତର୍ଗତ ବିନାଗୁଣ୍ଡା ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିରେ ବହୁ ମାଓନେତା ଛତ୍ରଭଙ୍ଗ ଦେଇଥିବାବେଳେ ଘଟଣାସ୍ଥଳରୁ ଯବାନମାନେ ଜଣେ ମହିଳା ମାଓବାଦୀର ମୃତଦେହ ଜବତ କରିଥିଲେ। ଘଟଣା ସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ ସୁରକ୍ଷା କର୍ମୀ ।

ମହିଳା ମାଓବାଦୀଙ୍କ ମୃତଦେହ ନେଇ ଯବାନମାନେ ପ୍ରାୟ ୧୨ କିଲୋମିଟର ଦୂର ଚାଲି ଚାଲି ଫେରିଥିଲେ । ତୁହାକୁ ତୁହା ବର୍ଷା ହେବା ଫଳରେ ନ‌ଦୀର ଜଳସ୍ତର ବଢ଼ିଥିଲା। ଏଭଳି ସ୍ଥିତିରେ ବହୁ କଷ୍ଟରେ ମହିଳା ମାଓବାଦୀଙ୍କ ମୃତଦେହକୁ କାନ୍ଧେଇ ଫେରିବା ଯବାନଙ୍କ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ରହିଥିଲା । ଫେରିବା ସମୟରେ ମାଓବାଦୀଙ୍କ ଆକ୍ରମଣର ଆଶଙ୍କା ରହିଥିଲା। ପ୍ରତିକୁଳ ପରିବେଶ ମଧ୍ୟରେ ଜଙ୍ଗଲରେ ଅପରେସନ କରୁଥିବାବେଳେ ଖାଦ୍ୟ ଓ ପାନୀୟ ଜଳର ଅଭାବ ଦେଖା ଦେଇଥିଲା। ପାନୀୟ ଜଳ ସଂଗ୍ରହ ପାଇଁ ଅଭିନବ ଉପାୟ କରିଥିଲେ ସମସ୍ତ ଯବାନ। ବର୍ଷା ସମୟରେ ଏକ ପଲିଥିନରେ ବର୍ଷା ଜଳ ସଂଗ୍ରହ କରି ବୋତଲ ଓ ଜାର୍‌ରେ ରଖ୍ ପିଉଥିଲେ । ନଦୀ ବା ଝରଣା ପାଣି ବିଶୁଦ୍ଧ ନଥିବା ଯୋଗୁଁ ବାଧ୍ୟ ହୋଇ ଏଭଳି ଉପାୟ ଅବଲମ୍ବନ କରିଥିବା କହିଛନ୍ତି ଯବାନ ।

You might also like