ଜୟପୁର : ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ତେଜୁଛି ରାଜନୀତି, ବନ୍ଦ ହେଲେ ଭୋଗୁଛି କିଏ ?

ଜୟପୁର (କେନ୍ୟୁଜ୍‌) : ବନ୍ଧୁକ ମୁନରେ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ଜୟପୁରରେ ତେଜିଲାଣି ରାଜନୀତି । ଘଟଣା କୁ ନେଇ ବିଜେପି ବାର ଘଣ୍ଟିଆ ବନ୍ଦ ଡାକରା କରି ଥିବା ବେଳେ ଧାରଣାରେ ବସିଲା କଂଗ୍ରେସ । ବିଜେପି, ବିଜେଡି ଓ କଂଗ୍ରେସର ନେତୃବୃନ୍ଦ ପୀଡ଼ିତାଙ୍କ ଘରକୁ ଯାଇ ତାଙ୍କୁ ଭେଟି ସମବେଦନା ଜଣାଇବା ସହ ତାଙ୍କ ପାଇଁ ନ୍ଯାୟ ଦାବି କରିଛନ୍ତି ।

ଗତ ୨୪ ତାରିଖର ଦିନ ଏହି ଅଘଟଣ ଘଟିଥିଲା । ତେବେ ଆଜି ପର୍ଯ୍ଯନ୍ତ ପୋଲିସ୍‌ର ହାତ ଖାଲି । କିଛି ଦିନ ତଳେ ବିଜେପି ଧାରଣାରେ ବସି ଥିଲା । ଅଭିଯୁକ୍ତମାନେ ଖୋଲାଖୋଲି ବାହାରେ ବୁଲୁଥିବା ବେଳେ ବନ୍ଧୁକ ଦେଖାଇ ଜୀବନରେ ମାରିବା ଧମକ ଦେବା ସହ ଆପୋଷ ବୁଝାମଣା ପାଇଁ ପୀଡ଼ିତାଙ୍କ ପରିବାରକୁ ବାଧ୍ୟ କରୁଥିବା ଅଭିଯୋଗ କରିଛି ବିଜେପି । ଘଟଣାରେ କଂଗ୍ରେସ ଏସଡିପିଓ ଅଫିସ ଆଗରେ ଧାରଣାରେ ବସି ଥିବା ବେଳେ ଅଭିଯୁକ୍ତ ଜଣେ ପେସାଦାର ଅପରାଧୀ ହୋଇଥିବା ହେତୁ ଶାସକ ଦଳ ଉପରକୁ ଆଙ୍ଗୁଠି ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ପୀଡ଼ିତାଙ୍କୁ ନ୍ଯାୟ ଦାବି ସହ ପଚାଶ ହଜାର ଟଙ୍କା ଆର୍ଥିକ ସହାୟତା ଦାବି କରିଛି କଂଗ୍ରେସ । ଦାବି ପୂରଣ ନହେଲେ ଆସନ୍ତା ୭ ତାରିଖରେ କୋରାପୁଟ ଜିଲ୍ଲା ବନ୍ଦ ସହ ନବୀନ ନିବାସ ଘେରାଉ ଚେତାବନୀ ଦେଇଛନ୍ତି ତାରା ।

ତେବେ ବନ୍ଦ ଡାକରା ଓ ଧାରଣା ଯୋଗୁଁ ସାଧାରଣ ଲୋକ ଠାରୁ ଆରମ୍ଭ କରି ଯାନବାହନଗୁଡ଼ିକ ଭୀଷଣ ହଇରାଣ ହୋଇଛନ୍ତି । ସହରର ଉଭୟ ପାର୍ଶ୍ୱରେ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଶହଶହ ଗାଡି ଅଟକି ରହିବା ସହ ଦୋକାନ ବଜାର ସବୁ ବନ୍ଦ ରହିଥିଲା । ଘଟଣା ପରେ ଗାଁରେ ପୀଡ଼ିତାଙ୍କ ପରିବାରକୁ ଜୟପୁର ସଦର ପୋଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଛି । ଏହା ସହ ଦୁଇଟି ଟିମ ଗଠନ କରାଯାଇ ତଦନ୍ତ ଜାରି ରହିଥିବା ଜୟପୁର ଏସଡିପିଓ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.