ଚୋର ମ୍ୟାନେଜରକୁ ବାନ୍ଧିଲା ପୋଲିସ୍: ନା ରହିଲା ବିଶ୍ୱାସ ନା ରହିଲା ଚାକିରି

ସମ୍ବଲପୁର: ଆଜିକାଲି ଦୁନିଆରେ ସବୁ କିଛି ସହଜରେ ମିଳିଯାଇପାରେ, ହେଲେ ବିଶ୍ୱାସ ଏତେ ସହଜରେ ମିଳେନି । କାହାକୁ ଆଖିବୁଜି ବିଶ୍ୱାସ କରିବା ଆଜିର ସମୟରେ କହିବାକୁ ଗଲେ ଏକ ପ୍ରକାରର ଅସମ୍ଭବ । ତଥାପି କେଉଁଠି ନା କେଉଁଠି ଏଇ ବିଶ୍ୱାସ ଆଧାରରେ ହିଁ ଚାଲିଛି ଜୀବନ । ହେଲେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ବିଶ୍ୱାସ ଘାତକତା କରିବା ଅତି ସହଜ । ସେମାନେ ଭୁଲିଯାଆନ୍ତି ସମ୍ପର୍କ, ସେମାନଙ୍କ ପାଇଁ ସବୁଠାରୁ ବଡ ସ୍ୱାର୍ଥ । ଯାହାର ଏକ ବଡ ଉଦାହରଣ ଏହି ଘଟଣା ।
ମୁହଁରେ କଳା କପଡା ବନ୍ଧା ଥିବା ଏଇ ବ୍ୟକ୍ତି ଜଣଙ୍କ କାରନାମା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଯାହାଠାରୁ ପେଟକୁ ଦିମୁଠା ଖାଇବାକୁ ପାଉଥିବା ତାକୁ ଦେଇଛନ୍ତି ଧୋକା । ତାପୁଣି ଲକ୍ଷାଧିକ ଟଙ୍କାର ଧୋକା । ବ୍ୟକ୍ତି ଜଣକ ସମ୍ବଲପୁର ଶାନ୍ତିନଗର ଥିବା ଏକ ସୁନା ଦୋକାନର ମ୍ୟାନେଜର । ଏଇ ମ୍ୟାନେଜର ବାବୁ ଦୋକନରୁ ଲକ୍ଷାଧିକ ଟଙ୍କାର ସୁନା ଧରି ଫେରାର ହୋଇଯାଇଥିଲେ । ହେଲେ କଟକରୁ ଏଇ ଅଭିଯୁକ୍ତ ମ୍ୟାନେଜର ମୋନଜ ଶର୍ମାକୁ ଗିରଫ କରିଛି ଧନୁପାଲି ପୋଲିସ୍ ।
ସମସ୍ତ ଚୋରି ସୁନା ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ୪୮ ହଜ଼ାର ଟଙ୍କା ହେବ । ସୂଚନା ମୁତାବକ, ଗତ ୧୦ ତାରିଖ ଦିନ ମୋନଜ ଭିଏସଏସ ମାର୍ଗରେ ଥିବା ଏକ ସୁନା ଦୋକାନରୁ ଶାନ୍ତିନଗରରେ ଥିବା ଆଉ ଗୋଟିଏ ସୁନା ଦୋକାନକୁ ପ୍ରାୟ ୩୨୦ ଗ୍ରାମର ସୁନା ନେଇ ଗ୍ରାହକଙ୍କୁ ଦେଖାଇବା ପାଇଁ ଯାହାଥିଲେ । ତେବେ ନିଜେ ମାଲିକ ତାଙ୍କୁ ବିଶ୍ୱାସର ସହ ଏହି ସୁନା ଅଳଙ୍କାର ଦେଇ ପଠାଇଥିଲେ ।
ହେଲେ ମୋନଜ ଉକ୍ତ ଶାନ୍ତି ନଗର ଦୋକାନକୁ ନଯାଇ ସବୁତକ ସୁନା ଧରି ଫେରାର ହୋଇଯାଇଥିଲେ। ତେବେ ଏନେଇ ଜାଣିବା ପରେ ଧନୁପାଲି ଥାନାରେ ସୁନା ଦୋକାନୀ ମାଲିକ ଏକ ମାମଲା ରୁଜୁ କରିଥିଲେ । ପୋଲିସ୍ ଘଟଣାର ତଦନ୍ତ କରି ମୋନଜ କୁ କଟକ ରୁ ଗିରଫ କରି ସମସ୍ତ ଚୋରି ସୁନାକୁ ଉଦ୍ଧାର କରିଛି ।
ମହଙ୍ଗା ପଡିଲା ବିଶ୍ୱାସଘାତକତା । ନା ରହିଲା ବିଶ୍ୱାସ ନା ରହିଲା ଚାକିରି । ଦିନେ ସମ୍ମାନର ସହ ଭଲ ପୋଷ୍ଟରେ ଥାଇ ଭଲ ଦିପଇସା ରୋଜଗାର କରୁଥିଲେ , ହେଲେ ଏବେ ଅନ୍ଧାର କୋଠରୀର ଚାରି କାନ୍ଥ ଭିତରେ କଟିବ ଜୀବନ ।