ମା’ ଦିନ ମଜୁରିଆ, ଝିଅ +୨ ପରୀକ୍ଷାରେ ହେଲା ଜିଲ୍ଲା ଟପ୍ପର

ଘରର ଆର୍ଥିକ ସ୍ଥିତି ଭଲ ନ ଥିବା ସତ୍ତ୍ୱେ ହାର ନ ମାନି ଆଗକୁ ବଢି ସଫଳତା ହାସଲ କରିଛନ୍ତି ଝରଣା । +୨ କଳା ବିଭାଗରେ ୪୯୯ ନମ୍ବର ରଖି ଜିଲ୍ଲା ଟପ୍ପର ହେବା ସହ ଜିଲ୍ଲା ତଥା ଅଞ୍ଚଳ ପାଇଁ ଆଣିଛନ୍ତି ଗୌରବ ।

ଦୃଢ ଇଚ୍ଛା ଶକ୍ତି ଓ ଅକ୍ଳାନ୍ତ ପରିଶ୍ରମ ନିଶ୍ଚୟ ସଫଳତା ଆଣିଥାଏ । ପାଠ ପଢି କିଛି କରି ଦେଖାଇବାର ଇଚ୍ଛାଶକ୍ତି ଥିଲେ ଯେକୌଣସି ପ୍ରତିବନ୍ଧକକୁ ଅତିକ୍ରମ କରିହେବ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ରାୟଗଡ଼ ଜିଲ୍ଲା ପଦ୍ମପୁର ସ୍ତିତ ତ୍ରିବେଣୀ ଜ୍ଞାନ ମନ୍ଦିର ଛାତ୍ରୀ ସୁଶ୍ରୀ ଝରଣା ସାହୁ । ଘରର ଆର୍ଥିକ ସ୍ଥିତି ଭଲ ନ ଥିବା ସତ୍ତ୍ୱେ ହାର ନ ମାନି ଆଗକୁ ବଢି ସଫଳତା ହାସଲ କରିଛନ୍ତି ଝରଣା । +୨ କଳା ବିଭାଗରେ ୪୯୯ ନମ୍ବର ରଖି ଜିଲ୍ଲା ଟପ୍ପର ହେବା ସହ ଜିଲ୍ଲା ତଥା ଅଞ୍ଚଳ ପାଇଁ ଆଣିଛନ୍ତି ଗୌରବ । ପଦ୍ମପୁର ସହରର ବାୟାପୁରରେ ଝରଣାଙ୍କ ଘର ।

ବାପା ରଘୁନନ୍ଦନ ସାହୁ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ବେଳେ ମା’ ଜଣେ ଦିନ ମଜୁରିଆ । ଝରଣାଙ୍କ ପରିବାର କହିଲେ ମା’ ଓ ଛୋଟ ଭାଇ । ମା’ ଙ୍କ ରୋଜଗାର ଉପରେ ତାଙ୍କ ପରିବାର ନିର୍ଭର କରେ । ଝରଣା ଦଶମ ଶ୍ରେଣୀରେ ଭଲ ନମ୍ବର ରଖି ଉତୀର୍ଣ୍ଣ ହେବା ପରେ ଦ୍ଵାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ଅର୍ଥ ସାଜିଥିଲା ବାଧକ । ଗୋଟିଏ ପଟେ ବାପା କର୍କଟ ରୋଗରେ ପୀଡ଼ିତ ହୋଇ ଶଜ୍ୟାଶାୟୀ ହୋଇଥିବା ବେଳେ ଅନ୍ୟ ପଟେ ଝରଣାଙ୍କ ମା’ ଙ୍କୁ ପରିବାର ଚଳେଇବା କଷ୍ଟ ହୋଇପଡ଼ିଥିଲା । ଫଳରେ ମା’ ଝରଣାଙ୍କ ପାଠ ପଢାରେ ରୋକ ଲଗାଇଥିଲେ ।

ତେବେ ଝରଣାଙ୍କ ପାଠ ପଢା ପ୍ରତି ଇଚ୍ଛା ଶକ୍ତି ଦେଖି ନିକଟ ସମ୍ପର୍କୀୟମାନେ ସ୍ଥାନୀୟ ତ୍ରିବେଣୀ ଜ୍ଞାନ ମନ୍ଦିରର କର୍ତୁପକ୍ଷଙ୍କୁ ନାମ ଲେଖାଇବା ପାଇଁ ଅନୁରୋଧ କରିଥିଲେ । ସମ୍ପର୍କୀୟଙ୍କ ଅନୁରୋଧ କ୍ରମେ କଲେଜ କର୍ତ୍ତୃପକ୍ଷ ମଧ୍ୟ ଝରଣାଙ୍କ ପ୍ରତି ସହଯୋଗର ହାତ ବଢାଇଥିଲେ । ସେହି ଦିନ ଠାରୁ ଝରଣା କଲେଜ କର୍ତ୍ତୃପକ୍ଷଙ୍କ ସହଯୋଗରେ ଅକ୍ଳାନ୍ତ ପରିଶ୍ରମ କରି ସଫଳତାର ସହ କୃତୀତ୍ଵ ହାସଲ କରି କଲେଜ ଓ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି । ମେଧାବୀ ଛାତ୍ରୀ ଝରଣା ଉଚ୍ଚଶିକ୍ଷା ଲାଭ କରି ଭବିଷ୍ୟତରେ ଭାରତୀୟ ପ୍ରଶାସନିକ ସେବାରେ ନିଜକୁ ନିଯୋଜିତ କରିବାର ଲକ୍ଷ ରଖିଛନ୍ତି ।

ବର୍ତ୍ତମାନ ଝରଣାଙ୍କ ଉଚ୍ଚଶିକ୍ଷା ପାଇଁ ଅର୍ଥ ଆବଶ୍ୟକ ହେଉଥିବାରୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ଝରଣା ଓ ତାଙ୍କ ନିକଟ ସମ୍ପର୍କୀୟ । ଅପରପକ୍ଷେ ଝରଣାଙ୍କ ଉଚ୍ଚଶିକ୍ଷା ପାଇଁ ସରକାରୀ ହେଉ କିମ୍ବା ବେସରକାରୀ ସ୍ତରରେ ସହାୟତା ଯୋଗାଇ ଦିଆଗଲେ ଏହି ବାପ ଛେଉଣ୍ଡ ଝିଅର ଭବିଷ୍ୟତ ଉଜ୍ଜଳ ହୋଇପାରିବ ବୋଲି ତ୍ରିବେଣୀ ଜ୍ଞାନ ମନ୍ଦିରର ଚେୟାରମ୍ୟାନ ସ୍ବାଗତ ଶେଖର ଜେନା କହିଛନ୍ତି । ବାସ୍ତବରେ ଝରଣାଙ୍କ ଏଭଳି ନିଷ୍ଠାପର ପ୍ରୟାସ ଆଗାମୀ ଦିନରେ ଅନ୍ୟମାନଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ ।

You might also like