ବାପା ପରେ ଚାଲିଗଲା ପୁଅ, ଘର ପାଇଁ ଦାଦନ ଖଟିବାକୁ ଯାଇ ଚାଲିଗଲା କରନଙ୍କ ଜୀବନ

ଝାରସୁଗୁଡ଼ା: ବାପା ନାହାନ୍ତି । ପରିବାରର ସବୁ ଦାୟିତ୍ୱ ଥିଲା ବଡ଼ ପୁଅ ଉପରେ । ଜୀବନର ମାନେ ବୁଝିଲା ବେଳକୁ ପରିସ୍ଥିତି ଘର ଛାଡିବାକୁ ବାଧ୍ୟ କରିଥିଲା । ସାଙ୍ଗସାଥୀଙ୍କ ସହ ମଜା ମସ୍ତି କରିବା ବୟସରେ ସେ ରୋଜଗାର କରିବା ପାଇଁ ଅଣ୍ଟା ଭିଡିଥିଲେ । ଘର ଚଳାଇବାକୁ ଗୁଜରାଟର ସୁରଟ ଯାଇଥିଲେ ଦାଦନ ଖଟିବା ପାଇଁ । ନିଜ ଖୁସିକୁ ବଳିଦାନ ଦେଇ ବିଧବା ମାଆଙ୍କ ସାହାରା ପାଲଟି ଥିଲେ । ହେଲେ କେଜାଣି କାହିଁକି ଗରିବ ଉପରେ ଦଇବର ଏତେ ରାଗ ? ଏମିତି ଅଦିନିଆ ଝଡ ତାଙ୍କର ସବୁ ଆଶା ସବୁ ସ୍ୱପ୍ନକୁ ଭାଙ୍ଗିରୁଜି ଚୁରମାର କରି ଦେଲା । ଯାହା ସେ କେବେବି କଳ୍ପନା କରି ନଥିଲେ ।
ଶ୍ରମିକ ହୋଇ ଯାଇଥିଲେ ସତ ହେଲେ ଆଉ ଫେରିଲେନି । ସବୁ ଦିନ ପାଇଁ ଚାଲିଗଲେ ଆରପାରିକୁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ହଂସାମୁରା କଟାପାଲି ମାଲିଡିହି ଗ୍ରାମରେ । ମୃତକ ଜଣକ ହେଉଛନ୍ତି କରନ ନେଟି । ବୟସ ମାତ୍ର ୨୦ ବର୍ଷ । ସୁରଟରେ ଏକ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ କରନଙ୍କର ମୃତ୍ୟୁ ହୋଇଥିଲା । ଶିଳ୍ପ ଓ ଖଣି ସମୃଦ୍ଧ ଜିଲ୍ଲା ଝାରସୁଗୁଡାରୁ ଦାଦନ ଖଟିବାକୁ ଯାଇ ସେଠାରେ ପ୍ରାଣ ହରାଇବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପରିବାର କହିଲେ ୩ ଜଣ ଥିଲେ । କରନ ତାଙ୍କ ମାଆ ଆଉ ଛୋଟ ଭାଇ । ଦୁଇ ବର୍ଷ ତଳେ କରନଙ୍କ ବାପାଙ୍କ ମୃତ୍ୟୁ ହୋଇ ଯାଇଥିଲା । ଆଉ ଏବେ ପରିବାରର ଏକମାତ୍ର ରୋଜଗାରକ୍ଷମ ପୁଅ କରନ ମଧ୍ୟ ଆରପାରିରେ । ଦୁଃଖରେ ଭାଙ୍ଗିପଡିଛନ୍ତି ମା’ । କାରଣ ସ୍ୱାମୀ ଯିବାର ଦୁଇ ବର୍ଷ ହେଇନି ଚାଲିଗଲା ଘରର ବଡ଼ ପୁଅ । ଏ ଅବସ୍ଥାରେ ଘର କିପରି ଚଳିବ? ଯୁକ୍ତ ଦୁଇରେ ପଢୁଥିବା କରନଙ୍କ ଭାଇ ଚୈତନ୍ୟ ନେଟିର ପାଠ ପଢା ହେବ କେମିତି, ସେ ଚିନ୍ତାରେ କରନଙ୍କ ମା’ ଊର୍ମିଳା ।
ହେଲେ ପ୍ରଥମ ଚିନ୍ତା ହେଉଛି ପେଟକୁ ଦାନ ଯୋଗାଡ଼ କରିବେ କେମିତି ?ତେବେ ଏନେଇ କରନଙ୍କ ଗାଁକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ । ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ନବ ଦାସ ଫାଉଣ୍ଡେସନ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଦୀପାଳି ।
ଦୁଃଖ ଏମିତି ବି ଆସେ । ଘରର ପୁଅ ଦାଦନ ଖଟିବାକୁ ଯାଇଥିଲା ପରିବାର ରକ୍ଷା ପାଇଁ । ହେଲେ ନିଜେ ଚାଲିଗଲା ସବୁ ଦିନ ପାଇଁ । ପେଟ ପାଟଣା ଲାଗି କେତେ ଯେ କଷ୍ଟ ସହୁଛନ୍ତି ଗରିବ ଲୋକେ ଇଏ ତାର ଆଉ ଏକ ଉଦାହରଣ । କରନଙ୍କ ଅସହାୟ ପରିବାରକୁ ସହାୟତା ଯୋଗାଇବା ପ୍ରଶାସନର ଦାୟିତ୍ବ । ଆଉ ବଦାନ୍ୟ ବ୍ୟକ୍ତିମାନଙ୍କ ସହଯୋଗ ଏ ପରିବାରକୁ ବଞ୍ଚାଇ ଦେବ ।
Also read: ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀରୁ କଢ଼ାଗଲା ୫ ଡଙ୍ଗା