ଖରା ତାତିକୁ ଖାତିର ନକରି ଉତ୍ସାହର ସହ ମତଦାନ, ନୂଆ ନେତା ବାଛିଲା ଝାରସୁଗୁଡ଼ା

ମହିଳା, ଯୁବ ଓ ନୂଆ ଭୋଟରଙ୍କ ମଧ୍ୟରେ ଥିଲା ବେଶ ଆଗ୍ରହ ଓ ଉତ୍ସାହ । ବୟସ୍କ ଭୋଟର ମଧ୍ୟ ଅଧିକ ସଂଖ୍ୟାରେ ମତଦାନ କରିଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନରେ ଭୋଟ ଦେଲେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ।

କେନ୍ୟୁଜ୍(ବ୍ୟୁରୋ):  ନୂଆ ନେତା ବାଛିଲା ଝାରସୁଗୁଡ଼ା । ଖରା ତାତିକୁ ଖାତିର ନକରି ଉତ୍ସାହର ସହ ମତଦାନ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ମତାଧିକାର ସାବ୍ୟସ୍ତ କଲେ ଭୋଟର । ସନ୍ଧ୍ୟା ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ ହୋଇଛି । ମହିଳା, ଯୁବ ଓ ନୂଆ ଭୋଟରଙ୍କ ମଧ୍ୟରେ ଥିଲା ବେଶ ଆଗ୍ରହ ଓ ଉତ୍ସାହ । ବୟସ୍କ ଭୋଟର ମଧ୍ୟ ଅଧିକ ସଂଖ୍ୟାରେ ମତଦାନ କରିଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନରେ ଭୋଟ ଦେଲେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ । ମାଆ ଓ ଭାଇଙ୍କ ସହ ଆସି ସରବାହାଲ ବୁଥ୍‌ରେ ଭୋଟ ଦେଇଛନ୍ତି ଦୀପାଳି ଦାସ । ସେହିପରି ମତାଧିକାର ସାବ୍ୟସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ପୋଲିସ କଲୋନୀ ଗୁଜୁରାତି ସରକାରୀ ହିନ୍ଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଥ ନମ୍ବର ୭୧ରେ ଭୋଟ୍‌ ଦେଇଛନ୍ତି । ଝାରସୁଗୁଡ଼ାବାସୀଙ୍କ ଉପରେ ଭରସା ଥିବା କହିଛନ୍ତି ଟଙ୍କଧର । ସେହିପରି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ପୂରୁଣା ବସ୍ତି ବୁଥରୁ ମତାଧିକାର ସାବ୍ୟସ୍ତ କରିଥିଲେ ।

ମୋଟ୍‌ ୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍‌ରେ ସିଲ୍‌ ହୋଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୋଲିଂ ବୁଥ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପାଣି ସିଞ୍ଚନ କରାଯାଇଥିଲା । ଭୋଟରଙ୍କୁ ତରଭୁଜ ଓ ରସ୍ନା ପିଇବାକୁ ଦିଆଯାଇଥିଲା । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ମତଦାନ କେନ୍ଦ୍ରରେ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା । ଘରୁ ଆଣିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୨୫୩ଟି ବୁଥ୍‌ରେ ଭୋଟ୍‌ ଗ୍ରହଣ କରାଯାଇଛି। ସବୁ ବୁଥ୍‌ରେ ହୋଇଛି ୱେବକାଷ୍ଟିଂ । ମତଦାନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ମୁତୟନ ହୋଇଥିଲେ ୭ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ସହ ୧୬ ପ୍ଲାଟୁନ ପୋଲିସ । ୨୫ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ସହ ୮ ଫ୍ଲାଇଂ ସ୍କ୍ଵାଡ୍‌କୁ ନିୟୋଜିତ କରାଯାଇଥିଲା । ଝାରସୁଗୁଡ଼ାର ୨ଲକ୍ଷ ୨୧ ହଜାରରୁ ଅଧିକ ମତଦାତା ଥିବା ବେଳେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି । ଆସନ୍ତା ୧୩ ତାରିଖରେ ଭୋଟ୍‌ ଗଣତି ସହ ଫଳାଫଳ ଘୋଷଣା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.