ପୁଣି ଡବଲ ଇଞ୍ଜିନର ଆହ୍ବାନ ଦେଲେ ନଡ୍ଡା, କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଜନତା ମଇଦାନ ଶକ୍ତିକେନ୍ଦ୍ର ସମାବେଶରେ ଉଦ୍‌ବୋଧନ ଦେଇ ୨୦୨୪ରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଆହ୍ଵାନ ଦେଇଛନ୍ତି। ଆୟୁଷ୍ମାନ ଯୋଜନାରୁ ୫୦ଲକ୍ଷ ଓଡ଼ିଆ ବଞ୍ଚିତ ହୋଇଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ମନରେଗା ଦୁର୍ନୀତି ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ବିଜେପି ବିଶ୍ୱର ବୃହତ ଦଳ ବୋଲି ସେ କହିଛନ୍ତି। ଏତେ ବଡ଼ ପାର୍ଟି କେଉଁଠି ନାହିଁ। ଭାରତୀୟ ଜନତା ପାର୍ଟି ବିଚାରକୁ ନେଇ ଚାଲିଛି। ଏହାସହ ସେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ଭାରତୀୟ ଜାତୀୟ କଂଗ୍ରେସରେ ନା ଜାତୀୟ ଅଛି ନା ଭାରତୀୟ ଅଛି ବୋଲି କହିଛନ୍ତି ଜେ ପି ନଡ୍ଡା। କଂଗ୍ରେସ ଏବେ ଭାଇଭଉଣୀଙ୍କ ପାର୍ଟି ହୋଇଯାଇଛି। ପରିବାର ରାଜନୀତିକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ।

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ଜାତୀୟ ସଭାପତି ଜେପି ନଡ୍ଡା। ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ନେତା ତାଙ୍କୁ ପାଛୋଟି ନେଇଥିଲେ। ପାରମ୍ପରିକ ବାଦ୍ୟ ଓ ଗୀତର ତାଳେ ତାଳେ ତାଙ୍କୁ ସ୍ୱାଗତ କରାଯାଇଛି। ବିମାନବନ୍ଦରରୁ ବିଶାଳ ବାଇକ୍‌ ଶୋଭାଯାତ୍ରାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ ନେତା ଓ କର୍ମୀ । ପରେ ଜନତା ମଇଦାନ କାର୍ଯ୍ୟକ୍ରମରେ ଶକ୍ତିକେନ୍ଦ୍ର ସମ୍ମିଳନୀରେ ଯୋଗ ଦେଇଥିଲେ। ବିଜେପି ସମାବେଶରେ ୨୫ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଛନ୍ତି। ଦ୍ୱିତୀୟ ଦିନରେ ସବୁ ଜିଲ୍ଲାର ଜିଲ୍ଲା ସଭାପତି, ପଦାଧିକାରୀ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଓ ସାଂସଦଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରିବେ । ଏହାସହ ସାଙ୍ଗଠନିକ ବୈଠକ ଓ ସଂଯୁକ୍ତ ମୋର୍ଚ୍ଚାର ସମାବେଶ ହେବ ।

Leave A Reply

Your email address will not be published.