କୋଟିପତି କିରାଣୀ ପ୍ରଦୀପ କୁମାର ଦାସଙ୍କୁ ଗିରଫ କଲା ଭିଜିଲାନ୍ସ, କୋଟିଏ ଟଙ୍କାର ମାର୍କେଟ କମ୍ପେ୍ଲକ୍ସ ଜବତ

ବାଲେଶ୍ଵର : କୋଟିପତି କିରାଣୀ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ପ୍ରଦୀପ କୁମାର ଦାସଙ୍କୁ ଗିରଫ କଲା ଭିଜିଲାନ୍ସ । ଆଜି ତାଙ୍କୁ କୋର୍ଟରେ ହାଜର କରିବ ଭିଜିଲାନ୍ସ । ଶୁକ୍ରବାର ଚଢ଼ାଉ ବେଳେ କୋଟିଏ ଟଙ୍କାର ମାର୍କେଟ କମ୍ପେ୍ଲକ୍ସ, ୬ଟି ଦାମୀ ପ୍ଲଟ୍ ଠାବ ହୋଇଥିଲା ।
ସୂଚନା ଅନୁସାରେ କନିଷ୍ଠ କିରାଣୀ ପ୍ରଦୀପ କୁମାର ଦାସଙ୍କ ୬ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ । ବାଲେଶ୍ବର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଏହି ରେଡ୍ କରିଥିଲା । ବାଲେଶ୍ବର ଅଙ୍ଗାରଗାଡ଼ିଆରେ ରହିଥିଲା ତିନି ମହଲା ଘର । ସେହିପରି ବାଲେଶ୍ବର ସେରଗଡ଼ରେ ମାର୍କେଟ କମ୍ପ୍ଲେକ୍ସ ଓ ଖନ୍ତପଡାରେ ଥିବା ପୈତୃକ ଘର, ଖନ୍ତପଡା ଓ ନୀଳଗିରିରେ ଥିବା ଦୁଇ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲା । ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା କାର୍ଯ୍ୟାଳୟରେ ମଧ୍ୟ ପଞ୍ଚା ମାରିଥିଲା ଭିଜିଲାନ୍ସ ।
ଚଢ଼ାଉ ବେଳେ ୧ କୋଟି ୯ ଲକ୍ଷ ଟଙ୍କାର ମାର୍କେଟ କମ୍ପେ୍ଲକ୍ସ, ତାଙ୍କ ନାମରେ ଥିବା ୬ଟି ଦାମୀ ପ୍ଲଟ୍ ଠାବ କରାଯାଇଛି । ଏହାବ୍ୟତୀତ ତାଙ୍କ ନାମରେ ୧୧ ଲକ୍ଷ ୩୭ ହଜାର ୯୯୭ ଟଙ୍କାର ବ୍ୟାଙ୍କ୍ ଜମା ଓ ବୀମା ରାଶି, ୨ଟି ଦୁଇଚକିଆ ଯାନ, ୩ଲକ୍ଷ ଟଙ୍କାର ଘର ଆସବାବପତ୍ର ମଧ୍ୟ ଠାବ ହୋଇଥିଲା । ଚଢ଼ାଉରେ ସାମିଲ ହୋଇଥିଲେ ଦୁଇ ଅତିରିକ୍ତ ଏସପି, ୪ ଡିଏସପି, ୭ ଇନିସ୍ପେକ୍ଟର, ୫ ଏଏସଆଇ ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ।