ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଛନ୍ତି କନିଷ୍ଠ କିରାଣୀ

ବାଲୁଗାଁ : ପୁରା ପରିବାରରେ ଖେଳିଯାଇଛି ଆନନ୍ଦ । ଖୁସିରେ ମା ପୁଅକୁ କୁଣ୍ଢାଇ ପକାଉଛି । ଗେଲ କରି ଦେଉଛି । କାହିଁକି ନା ପୁଅ ଆଜି ଏତେ ବଡ଼ ସଫଳତା ଆଣିଛି । ବାପା ଜଣେ ଛୋଟ ଦୋକାନୀ ହୋଇଥିବା ବେଳେ, ମା’ ଜଣେ ଗୃହିଣୀ । ଗୋଟେ ସାଧାରଣ ପରିବାରରୁ ଆସି ବହୁ ବାଧାବିଘ୍ନ ଅତିକ୍ରମ କରି ନିଜର କଠିନ ପରିଶ୍ରମ ଫଳରେ ପ୍ରଥମ ଥରରେ ଉକ୍ତ ପରୀକ୍ଷାରେ ସଫଳ ହୋଇପାରିଛନ୍ତି ମନମୋହନ ।
ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଛନ୍ତି ବାଲୁଗାଁ ଅଞ୍ଚଳର ଭେରାଇଟ ଷ୍ଟୋର ଦୋକାନୀଙ୍କ ପୁଅ ତଥା କନିଷ୍ଠ କିରାଣୀ ମନମୋହନ ସାହୁ । ସଫଳତା ପରେ ପରିବାର ଓ ବନ୍ଧୁବାନ୍ଧବଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଖୁସିର ଲହରୀ । ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ବାର୍ତ୍ତା ।
ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୨ର ଫଳାଫଳ ପ୍ରକାଶ ପାଇଥିବା ବେଳେ,ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରୁ ତିନି ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଥିବାବେଳେ ଜଣେ ମହିଳା । ତେବେ ଉକ୍ତ ପରୀକ୍ଷାରେ ସାରା ଓଡ଼ିଶାରେ ୩୬୨ ନମ୍ବର ରହିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପାଟଣାସାହି ଅନ୍ନପୂର୍ଣ୍ଣା ନଗରର ବୈଦନାଥ ସାହୁଙ୍କ ଜ୍ୟେଷ୍ଠ ପୁତ୍ର ମନମୋହନ ସାହୁ ।
ଗତ କିଛି ମାସ ହେବ ବାଣପୁର ତହସିଲ ଅଫିସରେ ସେ କନିଷ୍ଠ କିରାଣୀ ଭାବରେ କାର୍ଯ୍ୟରତ ଅଛନ୍ତି । ମନମୋହନ ବାଲୁଗାଁ ସରସ୍ବତୀ ଶିଶୁ ମନ୍ଦିରରୁ ମାଟ୍ରିକ ପାସ କରି ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ରେ +2 ବିଜ୍ଞାନରେ ଉତ୍ତୀର୍ଣ୍ଣ ହେବାପରେ ଭୁବନେଶ୍ୱର ବିଜେବି (BJB) ମହାବିଦ୍ୟାଳୟରୁ ସ୍ନାତକ ପାସ କରିଥିଲେ । ଏବେ ସେ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।
ସମାଜରେ ନିଷ୍ପେସିତ ଏବଂ ଅସହାୟ ଜନସାଧାରଣଙ୍କୁ ସାହାଯ୍ୟ କରିବା ତାଙ୍କର ପ୍ରାଥମିକତା ରହିଵା ସହିତ ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ସଶକ୍ତିକରଣ ସହିତ ସମାଜସେବା ଉପରେ ଗୁରୁତ୍ୱ ଦେବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି ।