ଅଡୁଆରେ ପୋଲିସ । ଜାଣି ପାରୁନି କିଏ ସତ କିଏ ମିଛ । ଝିଅ ଘର କହୁଛନ୍ତି ସ୍ୱାମୀ ଜୀବନ ହାରିଛି । ପୁଅ ଘର କହୁଛନ୍ତି ଆମ ପୁଅକୁ ମାରି ଦେଇଛନ୍ତି । ଘଟଣାର ଖିଅ କେଉଁଠି ଖୋଜି ନପାରି ହରଡ଼ ଘଣାରେ ପଡିଛି ପୋଲିସ । ଅପେକ୍ଷା ଫରେନସିକ ଟିମ୍କୁ । ଫରେନସିକ ଟିମ ଆସିବା ପରେ ମୃତଦେହ ମିଳିଥିବା ଘର ଖୋଲା ଯିବ ଏବଂ ଆରମ୍ଭ ହେବ ପୋଲିସର ତଦନ୍ତ । ଜଣା ପଡିବ କିଏ ସତ ଆଉ କିଏ ମିଛ ।
ଗତକାଲି ବିଳମ୍ବିତ ରାତିରେ କନିଷ୍ଠ ଯନ୍ତ୍ରୀ ପ୍ରଣତି ମାଝୀଙ୍କ ଘରୁ ମିଳିଥିଲା ତାଙ୍କ ସ୍ୱାମୀଙ୍କ ମୃତଦେହ । ସ୍ୱାମୀଙ୍କ ମୃତଦେହ ମିଳିବା ପରେ ଘରେ ଯେମିତି ଭାଳେଣି ପଡିଗଲା । ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଲେ ପ୍ରଣତିଙ୍କ ପରିବାର ଲୋକେ । ଖବର ପାଇ ପୋଲିସ ବି ଘଟଣାସ୍ଥଳରେ ପହଁଚିଲା ଆଉ ମୃତ ସ୍ୱାମୀଙ୍କ ପରିବାର ଲୋକଙ୍କୁ ବି ଖବର ଦେଲା । ତେବେ ମୃତକଙ୍କ ନାଁ ହେଉଛି ରଶ୍ମିରଞ୍ଜନ ବିଶ୍ୱାଳ । ରଶ୍ମି ରଞ୍ଜନ ଜୀବନ ହାରିଥିବା ନେଇ ପ୍ରଣତିଙ୍କ ପରିବାର ଲୋକେ ଅଭିଯୋଗ କରିଥିବାବେଳେ ରଶ୍ମିଙ୍କ ପରିବାର ଆଣିଛନ୍ତି ହତ୍ୟା ଅଭିଯୋଗ । ଏବେ ଚିନ୍ତାରେ ପଡିଛି ପୋଲିସ । ପ୍ରଣତିଙ୍କ ଘରୁ ତାଙ୍କ ସ୍ୱାମୀ ରଶ୍ମିରଞ୍ଜନଙ୍କ ମୃତଦେହ ମିଳିବା ପରେ ଲାଗି ରହିଛି ସସପେନ୍ସ ।
ସୂଚନା ଅନୁସାରେ ଅନୁଗୁଳ ବ୍ଲକରେ କାର୍ଯ୍ୟରତ ଥିବା କନିଷ୍ଠଯନ୍ତ୍ରୀ ପ୍ରଣତି ମାଝୀଙ୍କ ସ୍ବାମୀ ରଶ୍ମିରଞ୍ଜନ ବିଶ୍ୱାଳଙ୍କ ଦେହାନ୍ତ ହୋଇଛି । ରଶ୍ମିରଞ୍ଜନ ବିଶ୍ୱାଳଙ୍କ ମୃତଦେହ ଗତକାଲି ବିଳମ୍ବିତ ରାତିରେ ଶିକ୍ଷକପଡାସ୍ଥିତ ଘର ଭିତରୁ ଉଦ୍ଧାର ହୋଇଥିଲା । ରଶ୍ମୀରଞ୍ଜନଙ୍କ ଘର କିଶୋରନଗର ଥାନା ଧଉରାପାଲି ଅଞ୍ଚଳରେ । ସକାଳେ ରଶ୍ମିଙ୍କ ପରିବାର ଲୋକେ ଖବର ପାଇ ପହଞ୍ଚିବା ପରେ ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି ତାଙ୍କ ପୁଅକୁ ହତ୍ୟା କରା ଯାଇଥିବା ଅଭିଯୋଗ କରିଛନ୍ତି । ଏହାପରେ ପୁଲିସ ଅଡ଼ୁଆରେ ପଡିଯାଇଥିବା ବେଳେ ସାଇଣ୍ଟିଫିକ ଟିମର ସହାୟତା ଲୋଡିଛି । ସାଇଣ୍ଟିଫିକ ଟିମ ପହଁଚି ପାରି ନଥିବାରୁ ଏପର୍ଯ୍ୟନ୍ତ ତଦନ୍ତ ଆରମ୍ଭ ହୋଇ ପାରିନାହିଁ ।
ପ୍ରଣତିଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ପ୍ରଣତି ପୂର୍ବରୁ ବିବାହ କରିଥିଲେ କିନ୍ତୁ ଅକସ୍ମାତ ତାଙ୍କ ପ୍ରଥମ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ପ୍ରଣତି ଏବେ ତାଙ୍କ ଝିଅ ଓ ପୁଅକୁ ନେଇ ରହୁଛନ୍ତି । ଏହାରି ଭିତରେ ପ୍ରଣତି ଅନୁଗୁଳ ବ୍ଲକରେ କାମ କରୁଥିବା ବେଳେ ରଶ୍ମୀରଞ୍ଜନଙ୍କ ସହ ପରିଚୟ ହୋଇଥିଲା ଓ ପରେ ପ୍ରେମ କରି ବିବାହ କରିଥିଲେ ଦୁଇ ଜଣ । ପରେ ରଶ୍ମୀରଞ୍ଜନ ଆସି ପ୍ରଣତିଙ୍କ ଘରେ ରହୁଥିଲେ । ତେବେ ରଶ୍ମିରଞ୍ଜନ କିଛି କାମ ଧନ୍ଦା କରୁ ନଥିବାରୁ ପ୍ରଣତି ତାଙ୍କୁ ଆର୍ଥିକ ସହାୟତା ଯୋଗାଇଥିଲେ । ପରେ ରଶ୍ମୀରଞ୍ଜନ ମେଡିସିନ ବ୍ୟବସାୟ କରିଥିଲେ ।
ତେବେ ରଶ୍ମିରଞ୍ଜନ ଅନେକ ସମୟରେ ମଦ୍ୟପାନ କରି ଘରେ ଝଗଡା କରୁଥିଲେ । ଗତକାଲି ମଧ୍ୟ ସେ ଘରେ ବିବାଦ କରିଥିଲେ । ଆଉ ବିଳମ୍ବିତ ରାତିରେ ରଶ୍ମିରଞ୍ଜନଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଥିଲା । ସେପଟେ ରଶ୍ମିରଞ୍ଜନଙ୍କ ମାଙ୍କ କହିବା କଥା ତାଙ୍କ ପୁଅ ପ୍ରଣତିଙ୍କୁ ବିବାହ ପରେ ଶଶୁର ଘରେ ଘରଜ୍ବାଇଁ ହିସାବରେ ରହୁଥିଲା । ରଶ୍ମି ବେରୋଜଗାରିଆ ହୋଇଥିବାରୁ ପ୍ରଣତିଙ୍କ ପରିବାର ତାଙ୍କୁ ମାନସିକ ଯନ୍ତ୍ରଣା ଦେଉଥିଲେ । ପରେ ରଶ୍ମିରଞ୍ଜନଙ୍କୁ ମାରିଦେଇ ଜୀବନ ହାରିଥିବାରର ରୂପ ଦିଆଯାଇଥିବା ରଶ୍ମିଙ୍କ ପରିବାର ଅଭିଯୋଗ କରିଛନ୍ତି ।
ଏଭଳି ଅଭିଯୋଗ କରିବା ପରେ ପୋଲିସର ତଦନ୍ତ ଭିନ୍ନ ମୋଡ଼ ନେଇଛି । ତେବେ ପ୍ରକୃତରେ ଘଟଣା କଣ ତାହା ପୋଲିସ ତଦନ୍ତ କରିବା ପରେ ଜଣା ପଡିବ । ଆଉ ଯଦି ରଶ୍ମି ନିଜେ ଏମିତି ପଦକ୍ଷେପ ନେଇଛନ୍ତି ତେବେ ଏହା ପଛରେ କଣ କାରଣ ରହିଛି ତାହା ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।