ଗୁହାରି ମହଙ୍ଗା ପଡିଲା,ବକେୟା ଅର୍ଥ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ଦେଇ ନିଜେ ଫସିଲେ କନିଷ୍ଠ ଯନ୍ତ୍ରୀ

ମାଲକାନଗିରି :ବକେୟା ଅର୍ଥ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ଦେଇ ନିଜେ ଫସିଲେ କନିଷ୍ଠ ଯନ୍ତ୍ରୀ । ଘଟଣାଟି ହେଉଛି ମାଲକାନଗିରି ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥାରେ । ଏବେ ଗୁହାରି ମହଙ୍ଗା ପଡିଲା । ମାମଲା ଯାଇଛି ଥାନାକୁ ଆଉ କନିଷ୍ଠ ଯନ୍ତ୍ରୀଙ୍କ ଉପରେ ତଦନ୍ତ ଆରମ୍ଭ ହୋଇଛି । ତେବେ କିଭଳି ସରକାରୀ କାମ ନ କରି ଭୁଲ ବିଲ କରି ଯନ୍ତ୍ରୀ କୋଟି କୋଟି ଟଙ୍କା ଚଳୁ କରିଛନ୍ତି ତାର ଇଏ ଏକ ନଗ୍ନ ଚିତ୍ର । ତେଣୁ ଦୁର୍ନୀତିର ଚେର କେତେବାଟ ଲମ୍ବିଛି ଆଉ ତଦନ୍ତ କେତେବାଟ ଯାଉଛି ତାହାକୁ ଅପେକ୍ଷା । ଉନ୍ନୟନ ସଂସ୍ଥାର ପୂର୍ବତନ କନିଷ୍ଠ ଯନ୍ତ୍ରୀ ହେଉଛନ୍ତି ଲକ୍ଷ୍ମୀଧର ବିହାରୀ । ନିଜର ଦରମା ଓ ସେ କରିଥିବା କାର୍ଯ୍ୟର ବିଲ୍ ବକେୟା ରହିଥିବା ତଥା ବିଭାଗର ଅଧିକାରୀ ବିଲ୍ ପାସ୍ କରୁନଥିବା ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଫେରାଦ ହୋଇଥିଲେ। ତାଙ୍କର ଗୁହାରି ଶୁଣି ମୁଖ୍ୟମନ୍ତ୍ରୀ ତୁରନ୍ତ ସମ୍ପୃକ୍ତ ବିଭାଗକୁ ଏବଂ ଜିଲ୍ଲା ପ୍ରଶାସନକୁ ଏହା ଉପରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ଆରମ୍ଭ ହୋଇଥଲା ତଦନ୍ତ । ମାଲକାନଗିରି ଜିଲ୍ଲାପାଳ ଏକ କମିଟି ଗଠନ କରି ଶ୍ରୀ ବିହାରୀଙ୍କ କାମଗୁଡିକ ବାବଦକୁ କେତେ ଟଙ୍କା ପାଇବେ ସେନେଇ ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ । ନିଜର କାର୍ଯ୍ୟକାଳ ଭିତରେ ସେ ନିଜ ପାଖରେ ରଖିଥିବା ୩୯୮ କେସ ରେକର୍ଡରୁ ୨୩୩ ଗୋଟି କେସ ରେକର୍ଡ ଫେରସ୍ତ କରିଥିଲେ । ଆଉ ବଳକା ୧୬୫ଟି ନିଜ ପାଖରେ ରଖିଛନ୍ତି । ସେ ଦେଇଥିବା କେସ ରେକର୍ଡଗୁଡିକର କିଛି କାମ ଠିକ ଥିବା ବେଳେ ବାକି କାମ ଫେକ ରହିଥିଲା । ସେହିପରି ୪୩ଟି ଏମବି ବହି ସେ ନେଇଥିବା ବେଳେ ମାତ୍ର ୮ଟି ଏମବି ବହି କାର୍ଯ୍ୟାଳୟକୁ ଫେରସ୍ତ କରିଛନ୍ତି ।
୨୦୧୮ ମସିହାରେ ମାଲକାନଗିରି ଆଇଟିଡିଏ ବିଭାଗରରେ କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମୀଧର ବିହାରୀ ଦାୟିତ୍ଵ ଗ୍ରହଣ କରିଥଲେ । ୪ ବର୍ଷ କାର୍ଯ୍ୟ କରିବା ପରେ ,ଏବେ ବିଭାଗ ପକ୍ଷରୁ ତାଙ୍କୁ ପଞ୍ଚାୟତ ରାଜ ବିଭାଗରେ ଅନ୍ୟତ୍ର ବଦଳି କରାଯାଇଛି । ଏପଟେ ସେ ବଦଳି ହେବା ପରେ ମଧ୍ୟ ସରକାରୀ କାଗଜ ପତ୍ରଗୁଡିକ କାର୍ଯ୍ୟାଳୟକୁ ହସ୍ତାନ୍ତର ନକରି ନିଜ ପାଖରେ ବେଆଇନ ଭାବେ ରଖିଥିଲେ । ତେଣୁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଜୟଶ୍ରୀ, କନିଷ୍ଠ ଯନ୍ତ୍ରୀ ଶ୍ରୀ ବିହାରୀଙ୍କ ନାମରେ ମାଲାକନଗିରି ଥାନାରେ ଏକ ଏତଲା ମଧ୍ୟ ଦେଇଛନ୍ତି । ଏପଟେ ତଦନ୍ତ କାରି ୩ ଜଣିଆ କମିଟି କେସ ରେକର୍ଡକୁ ଆଧାର କରି କ୍ଷେତ୍ର ପରିଦର୍ଶନ କରି ତଦନ୍ତ କରିବା ପରେ ଜାଣିପାରିଲେ ଯେ ଯନ୍ତ୍ରୀ କରିଥିବା କିଛି ମାତ୍ରାରେ କାମ ଠିକ ଥିବା ବେଳେ ବାକି କାମ ସଂପୂର୍ଣ୍ଣ ମିଥ୍ୟା ରହିଥିଲା। ବିହାରୀ ବାବୁ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମୋର ଦୁଇ କୋଟି ଟଂକା ପାଇବା ନେଇ ଅଭିଯୋଗ କରିଥିଲେ।
ତେବେ ସେ ଯେଉଁସବୁ କାମ ଏଠାରେ କରିଛନ୍ତି ସେସବୁ କାମଗୁଡିକର ଚିହ୍ନବର୍ଣ୍ଣ ନାହିଁ ବୋଲି ପ୍ରକଳ୍ପ ପ୍ରଶାସକ ଜୟଶ୍ରୀ ପ୍ରକାଶ କରିଛନ୍ତି । ସମସ୍ତ ତଦନ୍ତ ରିପୋର୍ଟକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ମଧ୍ୟ ପ୍ରେରଣ କରାଯାଇଥିବା ସେ କହିଛନ୍ତି । ଅନ୍ୟପଟେ ମାଲକାନଗିରି ଆଇଟିଡିଏ ର ପ୍ରକଳ୍ପ ପ୍ରସାଶିକା ଜୟଶ୍ରୀ କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମୀଧର ବିହାରୀଙ୍କର ମିଛ କାରନାମାର ମୁଖା ଖୋଲିଛନ୍ତି ।