ରାୟଗଡା: ଭିଜିଲାନ୍ସ ଜାଲରେ ପଦ୍ମପୁର ବ୍ଲକ୍ ବିଦ୍ୟୁତ୍ ସେକ୍ସନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ, ଲାଞ୍ଚ ନେବାବେଳେ ଧରାପଡିଲେ
ରାୟଗଡା(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ପଟ୍ଟନାୟକ । ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ବିଦ୍ୟୁତ ସେକ୍ସନ୍ (ଟିପିଓଡିସିଏଲ)ରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ପଟ୍ଟନାୟକ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଛନ୍ତି। ପଦ୍ମପୁର ସ୍ଥିତ ଭଡା ଘରେ ଜଣେ ଚାଷୀଙ୍କଠୁ ଜିତେନ୍ଦ୍ର ପଟ୍ଟନାୟକ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ଚଢାଉ କରି ତାଙ୍କୁ ଗରଫ କରିଛି।
ଘରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଟିମ୍ ଯାଞ୍ଚ କରି ଜବତ କରିଥିବା ଜଣାପଡିଛି। ବ୍ରହ୍ମପୁର ସହର ହିଲ୍ପାଟଣା ଅଞ୍ଚଳରେ ରହୁଥିବା ତାଙ୍କ ପୌତ୍ରିକ ବସଭବନରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ କରିଥିଲା। ଚାଲକମ୍ବା ଗାଁର ଜଣେ ଚାଷୀଙ୍କ କ୍ଷେତରେ ଉଠା ଜଳସେଚନ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ ପାଇଁ ଜିତେନ୍ଦ୍ର ୧୦ହଜାର ଟଙ୍କା ଲାଞ୍ଚ ନେବାକୁ ଦାବି କରିଥିଲେ । ଘଟଣା ସମ୍ପର୍କରେ ରାୟଗଡା ଭିଜିଲାନ୍ସକୁ ଖବର ମିଲିବା ପରେ ଭିଜିଲନ୍ସ ଟିମ୍ ଜାଲ ବିଛାଇ ଯନ୍ତ୍ରୀଙ୍କୁ ୧୦ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରିବାରେ ସକ୍ଷମ ହୋଇଥିଲେ। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ଡ଼ିଏସପି ସୁରେନ୍ଦ୍ରନାଥ ରାୟଗୁରୁ ସୂଚନା ଦେଇଛନ୍ତି ।