କଳିଙ୍ଗ ଷ୍ଟାଡିୟମରେ ହେବ ଜୁନିଅର ପୁରୁଷ ବିଶ୍ୱକପ୍ ହକି ଟୁର୍ଣ୍ଣାମେଣ୍ଟ, ଲୋଗୋ ଏବଂ ଟ୍ରଫି ଉନ୍ମୋଚିତ
ଭୁବନେଶ୍ୱର (କେନ୍ୟୁଜ୍ବ୍ୟୁ ରୋ) : ଓଡ଼ିଶାରେ ହେବ ଜୁନିୟର ବିଶ୍ୱକପ ହକି ।ଦୁଇ ମାସ ପରେ କଳିଙ୍ଗକୁ ଫେରିବ ହକି । ଏ ନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ ଟୁର୍ଣ୍ଣାମେଣ୍ଟର ଲୋଗୋ ଏବଂ ଟ୍ରଫି ଉନ୍ମୋଚନ କରିଛନ୍ତି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଗାମୀ ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ଯାଏ ଜୁନିୟର ବିଶ୍ୱକପ ପୁରୁଷ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ । ୨୦୨୩ରେ ସିନିୟର ବିଶ୍ୱକପ୍ ପୂର୍ବରୁ ଆଉ ଗୋଟିଏ ମେଗା ଇଭେଣ୍ଟ ଓଡ଼ିଶାକୁ ମିଳିଛି ।
ପୂର୍ବରୁ ଏହି ପ୍ରତିଯୋଗିତା ଗୁଆହଟିରେ ଆୟୋଜନ ହେବାର ଥିଲା । ୨୦୧୬ ସଂସ୍କରଣ ଲକ୍ଷ୍ନୌରେ ଆୟୋଜିତ ହୋଇଥିଲା, ଯେଉଁଥିରେ ଭାରତ ବିଜୟୀ ହୋଇଥିଲା । ପୂର୍ବରୁ ଓଡିଶା ବିଶ୍ୱକପର ଆୟୋଜନ କରି ବେଶ ସଫଳତା ଲାଭ କରିବା ସହ ପ୍ରଶଂସା ମଧ୍ୟ ସାଉଁଟିଛି ।
ଜୁନିୟର ବିଶ୍ୱକପ୍ ହକି ଆୟୋଜନ ଓଡ଼ିଶାର କ୍ରୀଡ଼ା ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିଛି । ହାତରେ ମାତ୍ର ଆଉ ମାତ୍ର ଦୁଇ ମାସ ସମୟ ରହିଛି । କୋଭିଡ୍ କଟକଣାରେ ହକି କ୍ରୀଡ଼ା ମହାକୁମ୍ଭର ଆୟୋଜନ ବଡ଼ ଚ୍ୟାଲେଞ୍ଜ ବି ରହିବ । ଅନ୍ତର୍ଜାତୀୟ ହକି ମହାସଂଘ ସଭାପତି ନରିନ୍ଦର ବାତ୍ରା କହିଛନ୍ତି, ଓଡ଼ିଶା ସେମାନଙ୍କ ପାଇଁ ଲକି । ପୂର୍ବରୁ ୨୦୧୮ରେ ପୁରୁଷ ହକି ବିଶ୍ୱକପ୍ ସଫଳତାର ସହ ଆୟୋଜିତ ହୋଇଥିଲା । କ୍ରମାଗତ ଦ୍ୱିତୀୟ ଥର ଆୟୋଜନ ଦାୟିତ୍ୱ ମିଳିଛି ଓଡ଼ିଶାକୁ ।