ଇସ୍ରୋ ଗ୍ରସ୍ତ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଜୁନିୟର ସାଇଣ୍ଟିଷ୍ଟ ଆହ୍ୱାନଜ୍ୟୋତି ଖମାରୀ

ଗୁଜରାଟ ଇସ୍ରୋ ଗ୍ରସ୍ତ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଜୁନିୟର ସାଇଣ୍ଟିଷ୍ଟ ଆହ୍ୱାନଜ୍ୟୋତି ଖମାରୀ । ଆହ୍ୱାନଜ୍ୟୋତି ନୂଆପଡା କେନ୍ଦ୍ରିୟ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି । ଏତେ ଛୋଟ ବୟସରେ ଇସ୍ରୋ ଭ୍ରମଣ ସେଠାରେ ଆୟୋଜିତ ଜାତୀୟସ୍ତରୀୟ ମହାକାଶ ବିଜ୍ଞାନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ମହାକାଶ ବିଜ୍ଞାନ ଓ ଚନ୍ଦ୍ରଜାନ ଉପରେ ତାଲିମ ନେଇ ଫେରିଛନ୍ତି । ଏହି ଅବସରରେ ଆହ୍ୱାନଜ୍ୟୋତି ଇସ୍ରୋ ମହାକାଶ ଗବେଷଣା କେନ୍ଦ୍ର, ସ୍ପେସ ସେଣ୍ଟର ଓ ପରୀକ୍ଷାଗାର ବୁଲିଦେଖିବା ସହ ଇସ୍ରୋ ବୈଜ୍ଞାନିକମାନଙ୍କ ସହ ମିଶି ମହାକାଶ ଉପରେ ଜ୍ଞାନ ଆହରଣ କରିବାର ସୁଯୋଗ ପାଇଥିଲେ ।

ଚଳିତବର୍ଷ ନୂଆପଡା ସଦର ମହକୁମା ସ୍ଥିତ କେନ୍ଦ୍ରିୟ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଆହ୍ୱାନଜ୍ୟୋତି ଖମାରୀ ଗୁଜରାତ ଅହମଦାବାଦ ସ୍ଥିତ ଇସ୍ରୋରେ ଆୟୋଜିତ ଜାତୀୟ ସ୍ତରୀୟ ମହାକାଶ ବିଜ୍ଞାନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଫେରିଛନ୍ତି । ସେ ନୂଆପଡା ସଦର ମହକୁମା ସ୍ଥିତ ଲକ୍ଷ୍ମିନଗର ନିବାସୀ ଜୟନ୍ତ ଖମାରୀ ଓ ଚଞ୍ଚଳା ଖମାରୀଙ୍କ ପୁଅ ଅଟନ୍ତି । ପିଲାଟି ଦିନରୁ ହିଁ ତାଙ୍କର ବିଜ୍ଞାନ ପ୍ରତି ରୁଚି ରହିଆସିଛି । ବିଭିନ୍ନ ସମୟରେ ସେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରି ଜିଲ୍ଲା ଓ ରାଜ୍ୟସ୍ତରରେ ପୁରସ୍କୃତ ମଧ୍ୟ ହୋଇଛନ୍ତି ।

ଗତ ଡିସେମ୍ୱର ୨୩ ତାରିଖରେ ଭୂବନେଶ୍ଵର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମଠାରେ ରାଜ୍ୟ ସ୍ତରୀୟ ଯୁବ ବୈଜ୍ଞାନିକ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସେ କୃତିତ୍ଵ ଅର୍ଜନ କରିବା ସହ ରାଜ୍ୟର ୫ ଜଣ କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ମନୋନିତ ହୋଇ ଇସ୍ରୋ ଗ୍ରସ୍ତ କରିଥିଲେ । ଗତ ଜୁଲାଇ ୧ ତାରିଖରେ ଆହ୍ୱାନଜ୍ୟୋତି ଇସ୍ରୋ ଗ୍ରସ୍ତ କରିଥିଲେ ।

ସେଠାରେ ସେ ୭ ଦିନିଆ ତାଲିମ ଶିବିରରେ ଯୋଗଦେଇ ମହାକାଶ ବିଜ୍ଞାନ ଓ ଚନ୍ଦ୍ରଜାନ ଉପରେ ତାଲିମ ନେବା ସହ ବୈଜ୍ଞାନିକମାନଙ୍କ ବିଭିନ୍ନ ପ୍ରକଳ୍ପକୁ ବୁଲି ଜ୍ଞାନ ଆହରଣ କରି ଫେରିଛନ୍ତି । ସେ ନୂଆପଡା ଜିଲ୍ଲାରୁ ପ୍ରଥମ ଛାତ୍ର ଭାବେ ଇସ୍ରୋ ଗ୍ରସ୍ତକରି ଜିଲ୍ଲା ପାଇଁ ଗୈାରବ ଆଣିଛନ୍ତି । ତାଙ୍କର ଏହି ସଫଳତା ପରେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ସେଠାରୁ ଫେରିବା ପରେ ସେ ଇସ୍ରୋରେ ମହାକାଶ ବୈଜ୍ଞାନିକ ହୋଇ କାମ କରିବେ ବୋଲି ଆଶା ରଖିଛନ୍ତି ।

ଆହ୍ୱାନଜ୍ୟୋତିଙ୍କ ଏହି ସଫଳତା ପଛରେ ତାଙ୍କ ବାପା, ମାଆ ଓ ପରିବାରର ଅନ୍ୟ ସଦସ୍ୟଙ୍କ ପ୍ରମୁଖ ସହଯୋଗ ରହିଆସିଛି । ଆଗକୁ ସୁଯୋଗ ମିଳିଲେ ଏବଂ ସରକାରୀ ପ୍ରୋତ୍ସାହନ ଯୋଗେଇ ଦେଲେ ଆହ୍ୱାନଜ୍ୟୋତି ଜଣେ ସଫଳ ମହାକାଶ ବୈଜ୍ଞାନିକ ହୋଇପାରିବେ ବୋଲି ତାଙ୍କ ବାପା ଓ ମାଆ ପ୍ରକାଶ କରିଛନ୍ତି । ସେହିଭଳି ଆହ୍ୱାନଜ୍ୟୋତିଙ୍କ ସଫଳତାକୁ ନେଇ ନୂଆପଡା କେନ୍ଦ୍ରିୟ ବିଦ୍ୟାଳୟର ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀମାନେ ବେଶ ଖୁସୀ ବ୍ୟକ୍ତ କରିବା ସହିତ ତାଙ୍କର ଉଜ୍ବଳ ଭବିଶ୍ୟତ ପାଇଁ କାମନା କରିଛନ୍ତି ।