ନାବାଳିକା ଅପହରଣ ଓ ଦୁଷ୍କର୍ମକାରୀକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡ, ନିର୍ଦ୍ଦେଶ ଦେଲେ କଟକ ସ୍ୱତନ୍ତ୍ର ପକସୋ ଅଦାଲତ

କଟକ: ନାବାଳିକା ଅପହରଣ ଓ ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଲେ କଟକ ସ୍ୱତନ୍ତ୍ର ପକସୋ ଅଦାଲତ। ୧୦ ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଜୋରିମାନା ଅନାଦେୟ ହେଲେ ଆଉ ଏକ ବର୍ଷ ଅଧିକ ଜେଲଦଣ୍ଡର ନିର୍ଦ୍ଦେଶ ଦେଇଛନ୍ତି।

୨୦୧୩ ଅକ୍ଟୋବର ୩୦ ରେ କଟକ ସହରରେ ଘଟିଥିଲା ଏହି ଘଟଣା। କଟକର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଅପହରଣ କରିଥିଲେ ଅନୁଗୁଳ କୋଲିୟାରୀର ସୁରଜ ପ୍ରସାଦ। ସୁରଜ କଟକ ସ୍ୱତନ୍ତ୍ର ପକସୋ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ନାବାଳିକା ଜଣଙ୍କ ଘଟଣା ଦିନ ସନ୍ଧ୍ୟା ସମୟରେ ନିଜ ସାଙ୍ଗ ଘରକୁ ଯାଇ ଆଉ ଫେରିନଥିଲେ। ବହୁ ଖୋଜାଖୋଜି ପରେ ଝିଅକୁ ଅପହରଣ କରାଯାଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏହାପରେ କଟକ ମହିଳା ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ଅଧିକାରୀ ସସ୍ମିତା ଖିଲାର ତଦନ୍ତ କରି ଅପହୃତାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲେ। ପକସୋ କୋର୍ଟରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ୧୧ ଟି ତଥ୍ୟ ପ୍ରମାଣ ଦାଖଲ ସହିତ ୧୧ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ପକସୋ ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ଭାରତୀୟ ଦଣ୍ଡବିଧି ଆଇନର ୩୬୩ ଧାରାରେ ୩ ବର୍ଷ ସଶ୍ରମ ଜେଲ ଦଣ୍ଡ ସହ ୧୦ ହଜାର ଜୋରିମାନା ଓ ଅନାଦେୟ ଆଉ ଏକ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହ ପକସୋ ଆକ୍ଟ ୨୦୧୨ର ଧାରା ୬ ଅନୁଯାୟୀ ୧୦ ବର୍ଷ ସଶ୍ରମ ଜେଲ ଦଣ୍ଡ ସହ ୧୦ ହଜାର ଜୋରିମାନା ଓ ଅନାଦେୟ ଆଉ ଏକ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଦଣ୍ଡ ଏକକାଳୀନ ଚାଲିବ ବୋଲି ପକସୋ କୋର୍ଟ ସ୍ପଷ୍ଟ କରିଛନ୍ତି। କଟକ ମହିଳା ଥାନାର ଅଫିସର ସସ୍ମିତା ଖିଲାର ଏହି ମାମଲାର ତଦନ୍ତ କରୁଥିବା ବେଳେ ସରକାରୀ ଓକିଲ ରମେଶ ମହାନ୍ତି ମକଦ୍ଦମା ପରିଚାଳନା କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.