ଫୁଲବାଣୀ(କେନ୍ଯୁଜ୍) : ବିବାହ ବନ୍ଧନରେ ଆବଦ୍ଧ ହେଲେ ମାଓ ସଂଗଠନ ଛାଡ଼ିଥିବା ଜ୍ୟୋତିର୍ମୟୀ ମାଡ଼କାମୀ । ଫୁଲବାଣୀ ସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ନିକଟ ରାଧାକୃଷ୍ଣ ମନ୍ଦିରରେ ଧୂମଧାମରେ ବିବାହ ଉତ୍ସବ ସଂପନ୍ନ ହୋଇଥିଲା । ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଜ୍ୟୋତିର୍ମୟୀଙ୍କୁ ଜୀବନ ସାଥୀ କରିଛନ୍ତି ବାଲିଗୁଡ଼ା ନିକଟ ବାଟାଗୁଡ଼ାର ରାହୁଲ ମଲ୍ଲିକ । ବର ଶୋଭାଯାତ୍ରା ଆସିବା ବେଳେ ବାଜା, ରୋଷଣୀ ଓ ନୃତ୍ୟଗୀତରେ କମ୍ପି ଉଠିଥିଲା ପରିବେଶ । କନ୍ୟା ଦାନ କରିଥିଲେ କନ୍ଧମାଳ ଏସପି ପ୍ରତୀକ ସିଂ । ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଥିଲା । ନବଦମ୍ପତିଙ୍କୁ ଉପହାର ପ୍ରଦାନ କରାଯାଇଥିଲା ।
ଛତିଶଗଡ ବଜୋପୁର ଜିଲ୍ଲା ପଲନର ଗାଁର ଜ୍ୟୋତିର୍ମୟୀ ମାଡ଼କାମୀ ପୂର୍ବରୁ କେକେବିଏନ ମାଓ ସଂଗଠନରେ ସାମିଲ ଥିଲେ । ୫ ବର୍ଷ ଧରି ସଂଗଠନରେ ରହିବା ପରେ ସେ ଗତ ୨୦୧୫ ମସିହା ଅକ୍ଟୋବର ମାସରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ଦିନେ ହାତରେ ବନ୍ଧୁକ ଧରିଥିବା ମାଓ ନେତ୍ରୀ ଜ୍ୟୋତିର୍ମୟୀ ଏବେ ଘରସଂସାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ବର ରାହୁଲ ମଲ୍ଲିକ ଓ କନ୍ୟା ଜ୍ୟୋତିର୍ମୟୀଙ୍କୁ ଥଇଥାନ ସହ ୪ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।