ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ ଖଚାଖଚ ଭିଡ ସାଙ୍ଗକୁ କରତାଳିରେ କଂପୁଛି ଷ୍ଟାଡିୟମ । ଏ ଦୃଶ୍ୟ ହେଉଛି ଯାଜପୁର ଖଣ୍ଡିତର ଷ୍ଟାଡିୟମରେ ୪ଦିନ ଧରି ଚାଲିଥିବା ସର୍ବଭାରତୀୟ କବାଡି ପ୍ରତିଯୋଗୀତାର । ପୁରୁଷ ବିଭାଗରେ ଅନୁଷ୍ଠିତ ଫାଇଦାଲ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ନାଗପୁର ଏବଂ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ । ସଂଘର୍ଷପୂର୍ଣ୍ଣ ପାଂଇନାଲ ମ୍ୟାଚରେ ନାଗପୁର ଦକକୁ ୮ ପଏଣ୍ଟରେ ପରାସ୍ତ କରି ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ ହୋଇଛି । ସେହିପରି ମହିଳା ବିଭାଗର ଫାଇନାଲ ମ୍ୟାଚରେ ଛତିଶଗଡ ଦଳକୁ ୭ ପଏଣ୍ଟରେ ପରାସ୍ତ କରି ଭୁବନେଶ୍ୱରର କିଟ ଦଳ ଚାମ୍ପିଅନ ହୋଇଛି । ଉଭୟ ଫାଇନାଲ ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ଓ ଚିତାକର୍ଷକ ଥିଲା । ସେଥିପାଇଁ ଦର୍ଶକଙ୍କ ଗ୍ୟାଲେରିରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏହି କବାଡି ପ୍ରତିଯୋଗିତା ମ୍ୟାଟରେ ଖେଳାଯାଇଥିଲା । ଏଭଳି ଆୟୋଜନ ସହ ହଜାର ହଜାର ଦର୍ଶକଙ୍କ ଉପସ୍ଥିତକୁ ନେଇ ଖେଳାଳୀ ମଧ୍ୟ ବେଶ୍ ଉତ୍ସାହିତ ଥିବା ପ୍ରକାଶ କରିଥିଲେ ।
ପ୍ରତିବର୍ଷ ରଜ ପର୍ବ ସମୟରେ ଜୁନ ୧୩ରୁ ୧୬ ତାରିଖ ୪ଦିନ ଧରି ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଆୟୋଜନ କରିଆସୁଛି ଯାଜପୁର କବାଡି ଆସୋସିଏସନ । ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ରାଜ୍ୟ ତଥା ରାଜ୍ୟ ବାହାରର ପାଖାପାଖି ୩୦ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ଏପରିକି ୧୦ରୁ ଉର୍ଦ୍ଧ୍ୱ ପ୍ରୋକବାଡି ଖେଳାଳୀ ଏଥିରେ ସାମିଲ ହେବା ରାଜ୍ୟ କବାଡି ଆସୋସିଏସନ ପାଇଁ ଏକ ବିଶେଷ ସପଂଳତା ବୋଲି କୁହାଯାଉଛି । ଗ୍ରାମାଂଚଳରେ ଏଭଳି ହାଇଗ୍ରେଡ୍ ମ୍ୟାଚ ଆୟୋଜନ ନେଇ ଖେଳାଳୀ ଓ ଅତିଥିମାନେ ଆୟୋଜକଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ।
ଉଦ୍ଯାପନୀ ଦିବସର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଯାଜପୁର ସାଂସଦ ଡ଼. ରବୀନ୍ଦ୍ର ନାରାୟଣ ବେହେରା ଓ ସମ୍ମାନିତ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ଖେଳାଳୀମାନଙ୍କୁ ପୁରସ୍କୃତ କରିଥିଲେ । ପୁରୁଷ ଚାମ୍ପିଅନ ଦଳକୁ ନଗଦ ୧ଲକ୍ଷ ଏବଂ ରନର୍ସ ଅପ ଦଳକୁ ୬୦ହଜାର ଟଙ୍କା ସହ ଟ୍ରଫି ଆୟୋଜକ ଯାଜପୁର କବାଡି ଆସୋସିଏସନ ପକ୍ଷରୁ ପ୍ରଦାନ କରାଯାଇଥିଲା । ସେହିପରି ମହିଳା ଚାମ୍ପିଅନ ଓ ରନର୍ସ ଅପ ଦଳକୁ ନଗଦ ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା । ତେବେ ଆଗାମୀ ଦିନରେ ଏହି ଷ୍ଟାଡିୟମର ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିଥିମାନେ ପ୍ରତିଶ୍ରୁତି ଦେଇଥିଲେ । ତେବେ ରଜପର୍ବ ଓ କବାଡିର ସଂପର୍କକୁ ନେଇ ଚାଲିଆସୁଥିବା ଏହି ପରପଂରା ଗ୍ରାମାଂଚଳର କ୍ରୀଡାପ୍ରେମୀଙ୍କୁ ବାନ୍ଧିରଖିବା ସହ ଏକ ଗଣପର୍ବରେ ପରିଣତ ହୋଇଥିବା ଏହି ସମୟରେ ଦେଖିଲେ ମନେହୁଏ ।