ପ୍ରଥମ ନୀଳିମାରାଣୀ ସାହିତ୍ୟ ସମ୍ମାନ- ୨୦୧୯ : ପୁରସ୍କୃତ ହେବେ ପ୍ରଫେସର ମନୋଜ ଦାସ

ଭୁବନେଶ୍ବର (କେନ୍ୟୁଜ୍) : ବିଶିଷ୍ଟ ସାହିତ୍ୟିକ ପ୍ରଫେସର ମନୋଜ ଦାସ ପାଇବେ ପ୍ରଥମ ନୀଳିମାରାଣୀ ସାହିତ୍ୟ ସମ୍ମାନ- ୨୦୧୯ । ଭାରତୀୟ ସାହିତ୍ୟକୁ ସାମଗ୍ରିକ ଅବଦାନ ତଥା ଜୀବନବ୍ୟାପୀ ସାହିତ୍ୟ ସାଧନା ନିମନ୍ତେ ତାଙ୍କୁ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯିବ । ଆସନ୍ତା ଜାନୁଆରି ୬ତାରିଖରେ କିଟ ବିଶ୍ୱବିଦ୍ୟାଳୟ କନଭେନସନ ସେଣ୍ଟରରେ ହେବାକୁ ଥିବା କାଦମ୍ବିନୀ ସାହିତ୍ୟ ମହୋତ୍ସବ-୨୦୧୯ରେ ଏହି ମର୍ୟ୍ୟାଦାଜନକ ନୀଳିମାରାଣୀ ସାହିତ୍ୟ ସମ୍ମାନ ପ୍ରଦାନ କରାଯିବ ।
ପୁରସ୍କାର ସ୍ୱରୂପ ମାନପତ୍ର, ଉପଢୌକନ, ସ୍ୱର୍ଣ୍ଣପଦକ ସମେତ ପାଞ୍ଚଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ ବୋଲି କାଦମ୍ବିନୀ ସଂପାଦିକା ଡ. ଇତି ସାମନ୍ତ କହିଛନ୍ତି। କଳା, ସାହିତ୍ୟ ଓ ସମାଜସେବା ପ୍ରତି ଋଚି ରଖୁଥିବା ଆଦର୍ଶସ୍ଥାନୀୟା ମା ନୀଳିମାରାଣୀଙ୍କ ସ୍ମୃତିରେ ଏକ ଜାତୀୟ ସ୍ତରର ସାହିତ୍ୟ ସମ୍ମାନ ପ୍ରତିବର୍ଷ ପ୍ରଦାନ କରିବା ନେଇ ଗତବର୍ଷ କାଦମ୍ବିନୀ ସାହିତ୍ୟ ମହୋତ୍ସବ ଅବସରରେ କାଦମ୍ବିନୀ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଘୋଷଣା କରିଥିଲେ ।