ରାଜ୍ୟ

ଅଷ୍ଟାଦଶ କାଦମ୍ବିନୀ ସାହିତ୍ୟ ମହୋତ୍ସବ ଓ ତ୍ରୟୋଦଶ ପତ୍ରିକା ହାଟ : ନମିତା ଗୋଖଲେଙ୍କୁ ନୀଳିମା ରାଣୀ ସାହିତ୍ୟ ସମ୍ମାନ

ଭୁବନେଶ୍ୱର (କେନ୍ୟୁଜ୍‌) : ଆମ ସଂସ୍କୃତି ଓ ଅସ୍ତିତ୍ୱର ପରିଚୟ ହେଉଛି ଶବ୍ଦ ଓ ସାହିତ୍ୟ । ଏକଥା କହିଛନ୍ତି ବିଶିଷ୍ଟ ଲେଖିକା ଓ କବି ତଥା ଜୟପୁର ଜାତୀୟ ସାହିତ୍ୟ ମହୋତ୍ସବର ସହ-ପ୍ରତିଷ୍ଠାତା ନମିତା ଗୋଖଲେ। ସୋମବାର ଅଷ୍ଟାଦଶ କାଦମ୍ବିନୀ ସାହିତ୍ୟ ମହୋତ୍ସବ ଓ ତ୍ରୟୋଦଶ ପତ୍ରିକା ହାଟ ଅବସରରେ ନୀଳିମାରାଣୀ ସାହିତ୍ୟ ସମ୍ମାନ ଗ୍ରହଣ କରି ଶ୍ରୀମତୀ ଗୋଖଲେ କହିଛନ୍ତି କି, ମଣିଷର ଭାବାବେଗ ହେଉଛି ଶବ୍ଦ । ଶଦ୍ଦ ଓ ସାହିତ୍ୟ ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି । ସମସ୍ତଙ୍କ ଜୀବନରେ ମାତୃଭାଷାର ଗୁରୁତ୍ୱ ରହିଛି । ତେବେ ଅନ୍ୟ ସବୁ ଭାଷାର ଆଦର ରହିବା ଉଚିତ୍ । ଜ୍ଞାନ ବାଣ୍ଟିଲେ ବଢ଼େ ବୋଲି ସେ କହିଥିଲେ ।

ଭୁବନେଶ୍ୱର କିଟ୍‌ କ୍ୟାମ୍ପସରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟକ ବିଶିଷ୍ଟ ଲେଖକ ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପସଭାପତି ମାଧବ କୌଶିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ଭାରତୀୟ ସାହିତ୍ୟକୁ ଅନ୍ୟ କେତେକ ଭାଷାର ବହୁ ଯୋଗଦାନ ରହିଛି । ଏ କ୍ଷେତ୍ରରେ ଓଡ଼ିଆ ଭାଷାର ଯୋଗଦାନ ସର୍ବୋଚ୍ଚ । ଫକୀର ମୋହନ ସେନାପତି ହେଉଛନ୍ତି ଆମ ସାହିତ୍ୟର ସେନାପତି । କାଦମ୍ବିନୀ ପତ୍ରିକାର ପ୍ରୟାସ ପ୍ରଶସଂନୀୟ ବୋଲି ଶ୍ରୀ କୌଶିକ କହିଥିଲେ ।

ହୃଦୟରୁ ବାହାରୁଥିବା ଶବ୍ଦ ସକାରାତ୍ମକ ବୋଲି ଅନ୍ୟତମ ଅତିଥି ବିଶିଷ୍ଟ ତଥା ବରିଷ୍ଠ ବଲିଉଡ୍‌ ଅଭିନେତା ସଚିନ୍ ପିଲଗାଁଓକର୍ କହିଥିଲେ। ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଜାଣିବାକୁ ହେଲେ ସମସ୍ତେ ଓଡ଼ିଶା ଆସିବା ଉଚିତ୍ ବୋଲି ସେ କହିଥିଲେ । ଆମେ ଯେତେ ଭାଷା ଜାଣିଲେ ମଧ୍ୟ ମାତୃଭାଷାକୁ ଭୁଲିଯିବା ଉଚିତ୍ ନୁ୍ହେଁ । ସାହିତ୍ୟ ଓ ସଂସ୍କୃତି ମାଧ୍ୟମରେ ସଦ୍ଭାବନା ସୃଷ୍ଟି ହୋଇଥାଏ ବୋଲି ବିଶିଷ୍ଟ ମରାଠୀ ତଥା ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ସୁପ୍ରିୟା ପିଲଗାଁଓକର୍ କହିଛନ୍ତି ।


ଅନ୍ୟତମ ଅତିଥି ମରାଠୀ ସାହିତ୍ୟିକା ଓ ସମାଜସେବୀ ଦୀପା ଦେଶମୁଖ କହିଲେ, ସବୁଭାଷା ଭିତରେ ମାତୃଭାଷାର ସ୍ଥାନ ସବୁଠୁ ଉଚ୍ଚରେ । ବିଜ୍ଞାନ ଆମକୁ ଦୃଷ୍ଟି ଓ ଦୃଷ୍ଟିକୋଣ ଦେଇଥାଏ । କଳା ଓ ସାହିତ୍ୟ ଆମର ଭାବାବେଗକୁ ପରିପ୍ରକାଶ କରିଥାଏ । କାଦମ୍ବିନୀ ସାହିତ୍ୟ ସମ୍ମାନ ଗ୍ରହଣ କରିବା ଅବସରରେ ବିଶିଷ୍ଟ ଲେଖିକା ଓ ଔପନ୍ୟାସିକା ସୁସ୍ମିତା ବାଗ୍ଚୀ କହିଲେ, ମଣିଷର ଭାବାବେଗର ଐତିହାସିକ ହେଉଛନ୍ତି ସାହିତ୍ୟିକ । କାରଣ ଭାବାବେଗକୁ ସାହିତ୍ୟିକ ରୂପ ଦେଇଥାଏ ।

କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରି କାଦମ୍ବିନୀର ପ୍ରତିଷ୍ଠାତା ତଥା କିଟ୍‌, କିସ୍‌ ପ୍ରତିଷ୍ଠାତା, କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ କହିଲେ, ପତ୍ରିକାଟିଏ କରିବା ଓ ତାକୁ ବଞ୍ଚାଇ ରଖିବା କଷ୍ଟକର ବ୍ୟାପାର । ଏକ ଫିଚର ପତ୍ରିକା ପ୍ରକାଶ କରିବା ଆହୁରି କଷ୍ଟକର । ତେବେ ଗତ ୨୩ ବର୍ଷ ଧରି କାଦମ୍ବିନୀ ନିୟମିତ ଭାବେ ପ୍ରକାଶ ପାଇବା ସହ ଲୋକଙ୍କ ପ୍ରିୟଭାଜନ ହୋଇ ପାରିଥିବାରୁ ସେ କାଦମ୍ବିନୀର ସମ୍ପାଦିକା ଡ. ଇତି ସାମନ୍ତ ଏବଂ କାଦମ୍ବିନୀ ପରିବାରକୁ ଧନ୍ୟବାଦ ଜଣାଇଥିଲେ । ବିଭିନ୍ନ କାରଣ ବିଶେଷ କରି ଆର୍ଥିକ ଅସୁବିଧାରୁ ଅନେକ ଓଡ଼ିଆ ପତ୍ରିକା ବନ୍ଦ ହୋଇଯାଉଛି । ଏହି ପରିପ୍ରେକ୍ଷୀରେ କାଦମ୍ବିନୀ ପ୍ରକାଶନ ମାଧ୍ୟମରେ ଏଭଳି ୨୦ରୁ ୨୫ଟି ଦୁଃସ୍ଥ ପତ୍ରିକାକୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ ।

ଏହି ଅବସରରେ କାଦମ୍ବିନୀ ସାହିତ୍ୟ ଏକାଡ଼େମୀ ପକ୍ଷରୁ ବିଶିଷ୍ଟ ଲେଖିକା ତଥା ଜୟପୁର ଲିଟେରାରୀ ଫେଷ୍ଟିଭାଲର ସହ-ପ୍ରତିଷ୍ଠାତା ଓ ସହ-ନିର୍ଦ୍ଦେଶକ ନମିତା ଗୋଖ୍ଲେଙ୍କୁ ସମ୍ମାନଜନକ ଜାତୀୟ ସ୍ତରୀୟ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୩’ ପ୍ରଦାନ କରାଯାଇଥିଲା । ପୁରସ୍କାର ସ୍ୱରୂପ ଶ୍ରୀମତୀ ଗୋଖଲେଙ୍କୁ ୫ଲକ୍ଷ ଟଙ୍କାର ଅର୍ଥରାଶି, ରୌପ୍ୟ ପଦକ, ସନନ୍ଦ ପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ସୁସ୍ମିତା ବାଗ୍ଚୀଙ୍କୁ ‘କାଦମ୍ବିନୀ ସାହିତ୍ୟ ସମ୍ମାନ-୨୦୨୩’ ପ୍ରଦାନ କରାଯାଇଥିଲା । ସେହିପରି ଶ୍ରୀମତୀ ବାଗ୍ଚୀଙ୍କୁ ୧ ଲକ୍ଷ ଟଙ୍କାର ଅର୍ଥରାଶି, ସନନ୍ଦ ପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ‘ପକ୍ଷୀଘର’ର ସମ୍ପାଦକ ବନୋଜ ତ୍ରିପାଠୀଙ୍କୁ ‘କାଦମ୍ବିନୀ ସମ୍ପାଦକ ସମ୍ମାନ-୨୦୨୩’ ପ୍ରଦାନ କରାଯାଇଥିବା ବେଳେ ବରିଷ୍ଠ ସାହିତ୍ୟିକ ଗଣେଶରାମ ନାହାକ, ରବୀନ୍ଦ୍ରନାଥ ମିଶ୍ର ଓ କେଶବ ଚନ୍ଦ୍ର ରାଉତରାୟଙ୍କୁ ‘କାଦମ୍ବିନୀ ସାହିତ୍ୟ ସମ୍ବର୍ଦ୍ଧନା-୨୦୨୩’ରେ ସମ୍ବର୍ଦ୍ଧିତ କରାଯାଇଥିଲା । ‘କାଦମ୍ବିନୀ ସମ୍ପାଦକ ସମ୍ମାନ’ ସ୍ୱରୂପ ଶ୍ରୀ ତ୍ରିପାଠୀଙ୍କୁ ୧୦ହଜର ଟଙ୍କାର ଅର୍ଥ ରାଶି, ଏବଂ ‘କାଦମ୍ବିନୀ ସାହିତ୍ୟ ସମ୍ବର୍ଦ୍ଧନା-୨୦୨୩’ ସ୍ୱରୂପ ଶ୍ରୀ ନାହାକ, ଶ୍ରୀ ମିଶ୍ର ଓ ଶ୍ରୀ ରାଉତରାୟଙ୍କୁ ୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା କାଦମ୍ବିନୀ ଓ କୁନିକଥା ଜାନୁଆରୀ ସଂଖ୍ୟା ଉନ୍ମୋଚନ ହୋଇଥିଲା । କାଦମ୍ବିନୀ ଜାନୁଆରୀ ସଂଖ୍ୟା ମରାଠୀ ଅନୁବାଦ ବିଶେଷାଙ୍କ ଭାବେ ପ୍ରକାଶ ପାଇଛି । ଡ. ଇତି ସାମନ୍ତଙ୍କ ଉପନ୍ୟାସ ‘ଶକୁନ୍ତଳାର ଝିଅ’ର ହିନ୍ଦୀ ଅନୁବାଦ ‘ଶକୁନ୍ତଳା କି ବେଟୀ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ଏବଂ ଏହି ଉପନ୍ୟାସ ସମ୍ପର୍କରେ ଆଲୋକପାତ କରିଥିଲେ ବିଶିଷ୍ଟ ଭାଷାବିତ୍ ଦେବାଶିଷ ମହାପାତ୍ର । ଏହି ଅବସରରେ ‘ଶକୁନ୍ତଳା କି ବେଟୀ’ର ପ୍ରକାଶକ ଦିଲ୍ଲୀ ମେଧା ବୁକ୍ସର ଅଧିକାରୀ ଅଜୟ କୁମାର ଏବଂ ଅନୁବାଦକ ଶଙ୍କରଲାଲ୍ ପୁରୋହିତ ଉପସ୍ଥିତ ଥିଲେ ।

 

KNews Bureau

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

18 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

50 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

52 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

55 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

1 hour ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago