ଆଜି ଫୁଲବାଣୀର ବିଜୁ ସ୍ମୃତି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହେବ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’

ଫୁଲବାଣୀ (କେନ୍ୟୁଜ୍) : ଆଜି ଫୁଲବାଣୀର ବିଜୁ ସ୍ମୃତି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହେବ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’। ସକାଳ ୯.୩୦ ମିନିଟ୍‌ରେ ଏହି ଉତ୍ସବର ଉଦ୍‌ଘାଟନ ହେବ । ଏହି ସାହିତ୍ୟ ମହୋତ୍ସବରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସେହିପରି ସମ୍ମାନିତ ଅତିଥି ଭାବେ ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ରାଷ୍ଟ୍ରମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଜଳ ସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲାପାଳ ଡ. ବୃନ୍ଦା ଡି, ସାହିତ୍ୟିକା ଡ. ପ୍ରବୀଣା ମହାନ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟବକ୍ତା ଭାବେ ଯୋଗ ଦେବେ ଶ୍ରୀମତୀ ଜୟନ୍ତୀ ରଥ । କାର୍ଯ୍ୟକ୍ରମରେ ଅଧ୍ୟାପକ ବିଶ୍ୱରଞ୍ଜନ ସଭାପତିତ୍ୱ କରିବେ । କବି ଓ କବିତା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବେ ସାହିତ୍ୟିକା ଡ. ସୁଷମା ମିଶ୍ର ।

ଅପରାହ୍ନ ୨.୩୦ରେ କବି ଓ କବିତା ଏବଂ ୪.୩୦ରେ କୁନାକୁନି ମେଳା ଅନୁଷ୍ଠିତ ହେବ । ଖରାପ ପାଗ ଓ ବର୍ଷା କାରଣରୁ କାଦମ୍ବିନୀ ସାହିତ୍ୟ ମହୋତ୍ସବ କାର୍ଯ୍ୟକ୍ରମକୁ କରୋନେସନ୍‌ ପଡ଼ିଆରୁ ସ୍ଥାନୀୟ ବିଜୁ ସ୍ମୃତି କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର କରାଯାଇଛି । ଏ ସମ୍ପର୍କରେ କାଦମ୍ବିନୀର ସମ୍ପାଦିକା ଡ. ଇତି ସାମନ୍ତ ସୂଚନା ଦେବା ସହ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ସମସ୍ତ ଜନସାଧାରଣ, ସାମ୍ବାଦିକ ବନ୍ଧୁ, ବୁଦ୍ଧିଜୀବୀ ଓ ସାହିତ୍ୟପ୍ରେମୀଙ୍କୁ ଏହି ସାହିତ୍ୟ ମହୋତ୍ସବ ଯୋଗ ଦେବା ପାଇଁ ଅନୁରୋଧ କରିଛନ୍ତି । ଓଡ଼ିଶାର ପ୍ରଥମ ସମ୍ପୂର୍ଣ୍ଣ ପାରିବାରିକ ତଥା ଲୋକପ୍ରିୟ ପତ୍ରିକା କାଦମ୍ବିନୀ ପକ୍ଷରୁ ସାହିତ୍ୟ ଅନୁରାଗୀଙ୍କ ପାଇଁ କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ସ୍ୱତନ୍ତ୍ର ସାହିତ୍ୟ ମହୋତ୍ସବର ଆୟୋଜନ କରାଯାଉଛି ।

You might also like