ଆସନ୍ତା ୬ରେ କାଦମ୍ବିନୀ ସାହିତ୍ୟ ମହୋତ୍ସବ

ଭୁବନେଶ୍ୱର : ଆସନ୍ତା ୬ ତାରିଖରେ ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ସାହିତ୍ୟ ମହୋତ୍ସବ । ସକାଳ ୯ଟା ୩୦ରେ ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ, କନ୍ଭେନସନ୍ ସେଣ୍ଟରରେ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’, ‘କାଦମ୍ବିନୀ ପତ୍ରିକା ହାଟ’, ‘କବି ଓ କବିତା’ ଓ ‘କୁନାକୁନି ମେଳା’ ହେବ । ପ୍ରଖ୍ୟାତ କଥାକାର ପ୍ରଫେସର ଶାନ୍ତନୁ କୁମାର ଆଚାର୍ୟ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଏହି ସାରସ୍ୱତ ସମାରୋହକୁ ଉଦ୍ଘାଟନ କରିବେ କେନ୍ଦ୍ର ସାହିତ୍ୟ ଏକାଡେମିର ସଚିବ ଡ.କେ. ଶ୍ରୀନିବାସ ରାଓ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମଧ୍ୟପ୍ରଦେଶ ଅମରକଣ୍ଟକ ଇନ୍ଦିରା ଗାନ୍ଧୀ ଜାତୀୟ ଜନଜାତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଟି. ଭି. କଟ୍ଟିମଣି ।
ଏହି ଅବସରରେ ୨୦୧୯ ମସିହା ପାଇଁ ସୁଖ୍ୟାତ ସାହିତ୍ୟିକ ପ୍ରଫେସର ମନୋଜ ଦାସଙ୍କୁ ପ୍ରଥମ ଜାତୀୟସ୍ତରୀୟ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ । ଏଥିସହ ବିଶିଷ୍ଟ କବି ଶ୍ରୀଯୁକ୍ତ ସତ୍ୟବାଦୀ ରାଉତଙ୍କୁ ‘କାଦମ୍ବିନୀ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ । ସେହିପରି ‘କଥା କଥା କବିତା କବିତା’ ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ଅକ୍ଷୟ ବେହେରାଙ୍କୁ ‘କାଦମ୍ବିନୀ ସମ୍ପାଦକ ସମ୍ମାନ’ ସମେତ ସାହିତ୍ୟିକ କୃଷ୍ଣ ସିଂ, ଇନ୍ଦୁଲତା ମହାନ୍ତି, ସଙ୍କର୍ଷଣ ପ୍ରତିହାରୀ, ସୁବିଦ୍ୟା ଦେବୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ସେହିପରି ‘କାଦମ୍ବିନୀ ପତ୍ରିକା ହାଟ’ରେ ଓଡ଼ିଶାର ପ୍ରାୟ ସମସ୍ତ ପତ୍ରିକା ସହ ଅନ୍ୟ ରାଜ୍ୟର ପତ୍ରିକା ମଧ୍ୟ ଅଂଶ ଗ୍ରହଣ କରିବେ । ଅପରାହ୍ଣ ୩ଟାରୁ ୬ ମଧ୍ୟ ସାଧାରଣ ଲୋକେ ‘ପତ୍ରିକା ହାଟ’ ବୁଲିପାରିବେ । ଏହି ଅବସରରେ କାଦମ୍ବିନୀ ମିଡିଆ ପ୍ରକାଶିତ ଡ. ଇତି ସାମନ୍ତଙ୍କ ଚିଠି ପୁସ୍ତକ ‘କୁନା କୁନିଙ୍କୁ ଚିଠି’ର ଶୁଭ ଉନ୍ମୋଚନ ହେବ ।
ମହୋତ୍ସବର ଦ୍ୱିତୀୟ ଅଧିବେଶନରେ ଅନୁଷ୍ଠିତ ହେବାକୁ ଥିବା ଆଲୋଚନାଚକ୍ରରେ ଯୋଗଦେବେ ବିଶିଷ୍ଟ ଲେଖିକା ପ୍ରଫେସର ଡ. ଗରିମା ଶ୍ରୀବାସ୍ତବ, ବିଶିଷ୍ଟ ସାମାଜିକ କର୍ମୀ ଓ ଅଧିବକ୍ତା ଆଭା ସିଂହ ଓ ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ । ସେହିପରି ସାମାଜିକ କର୍ମୀ ଓ କବି ଶତରୂପା ସାନ୍ୟାଲ୍, ବିଶିଷ୍ଟ ସାମ୍ବାଦିକା ଓ ଲେଖିକା ‘ଦି ଆନାଟମି ଅଫ୍ ହେଟ୍’ ରେବତୀ ଲାଉଲ୍ ଓ ସମ୍ପାଦିକା ‘ସୋସାଇଟି’ ସୁଚିତ୍ରା ଆୟାର ମଧ୍ୟ ଯୋଗଦେବେ । ମହୋତ୍ସବର ତୃତୀୟ ଅଧିବେଶନରେ ଅନୁଷ୍ଠିତ ‘କବି ଓ କବିତା’ କାର୍ୟ୍ୟକ୍ରମରେ ସ୍ୱରଚିତ କବିତା ପାଠ କରିବେ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ନିମନ୍ତ୍ରିତ କବି । ଏଥିସହ ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ଶିଶୁ-କିଶୋର ପତ୍ରିକା ‘କୁନିକଥା’ ତରଫରୁ ରାଜ୍ୟର ବିଭିନ୍ନ ଅଞ୍ଚଳର କୁନାକୁନିମାନଙ୍କ ଦ୍ୱାରା ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା ‘କୁନାକୁନି ମେଳା’ ମଧ୍ୟ ଅନୁଷ୍ଠିତ ହେବ । ଏହି ସାହିତ୍ୟ ମହୋତ୍ସବର ସାହିତ୍ୟ ପ୍ରେମୀ ଜନସାଧାରଣ ଯୋଗଦେବାକୁ ‘କାଦମ୍ବିନୀ’ର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ଓ ସମ୍ପାଦିକା ଡ. ଇତି ସାମନ୍ତ ଅନୁରୋଧ ଜଣାଇଛନ୍ତି ।