ଦୀପାବଳି ପାଇଁ ଚଳଚଞ୍ଚଳ କୈଳାସପୁର ଗାଁର କୁମ୍ଭକାର ସାହି , ସରକାରୀ ପ୍ରୋତ୍ସାହନ ମିଳିଲେ ବଞ୍ଚି ରହନ୍ତା କୌଳିକ ବୃତ୍ତି

ମୟୂରଭଞ୍ଜ : ଆଗକୁ ଦୀପାବଳି । ପିଲାଠୁ ବୁଢ଼ା ସମସ୍ତେ ଦୀପ ଗଢ଼ିବାରେ ବ୍ୟସ୍ତ । ବଜାରରେ ଚାଇନା ସାମଗ୍ରୀ ପସରା ମେଲିଥିବା ବେଳେ ଦୀପର ଚାହିଦା କିନ୍ତୁ କମିନି । ହେଲେ ପରିଶ୍ରମ ଅନୁସାରେ ରୋଜଗାର ହେଉନଥିବାରୁ କାରିଗର ମନରେ କ୍ଷୋଭ ରହିଛି । ସରକାରୀ ପ୍ରୋତ୍ସାହନ ଅଭାବରୁ ଏବେ ବୁଡିବାକୁ ବସିଲାଣି ଏମାନଙ୍କ କୁଳ ବେଉସା ।
ଦୀପାବଳି ଆସିଲେ ମନେପଡ଼େ ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକର କୈଳାସପୁର ଗାଁ । ଏହି ଗାଁରେ ସମସ୍ତେ କୁମ୍ଭକାର । ଦିନରାତି ପରିଶ୍ରମ କରି ମାଟିର ବିିଭିନ୍ନ ପ୍ରକାର ଜିନିଷ ତିଆରି କରନ୍ତି । କେବଳ ବର୍ଷା ଋତୁକୁ ବାଦ ଦେଇ ବର୍ଷ ତମାମ୍ ଲାଗି ପଡନ୍ତି କାମରେ । ହେଲେ ପରିଶ୍ରମ ଅନୁସାରେ ସେମାନଙ୍କୁ ପାରିଶ୍ରମିକ ମିଳୁ ନଥିବା ଦୁଃଖର ସହ ପ୍ରକାଶ କରିଛନ୍ତି କୁମ୍ଭକାର । ଅତି କଷ୍ଟରେ ମାସକୁ ୪ରୁ ୫ହଜାର ଟଙ୍କା ପର୍ୟ୍ୟନ୍ତ ରୋଜଗାର ହୁଏ । ଯେଉଁଥିରେ ପରିବାର ଚଳାଇବା କଷ୍ଟ ।
ଅନ୍ୟପଟେ ବଜାରରେ ଚାଇନା ସାମଗ୍ରୀକୁ ଦେଖି ମନଊଣା କରି ବସିଛି ଦୀପ କାରିଗର । ଚାଇନା ସାମଗ୍ରୀର ସିଧାସଳଖ ପ୍ରଭାବ ଦୀପ କାରିଗରଙ୍କ ଉପରେ ପଡିଛି । ପରିଶ୍ରମ ଅନୁସାରେ ଅର୍ଥ ମିଳୁନଥିବାରୁ କୁଳ ବେଉସାରୁ ଦୂରେଇ ଯାଉଛନ୍ତି ଆଗାମୀ ପିଢି । ଏମାନଙ୍କ ପାଇଁ ପ୍ରଶାସନ କେବଳ ତାଲିମ ବ୍ୟବସ୍ଥା କରି ନୀରବରେ ବସିଯାଇଛି । ସରକାରୀସ୍ତରରେ ସେଗୁଡିକର ବିକ୍ରୀ ପାଇଁ କୌଣସି ବ୍ୟବସ୍ଥା କରାଯାଉ ନଥିବା ଅଭିଯୋଗ କରିଛନ୍ତି କୁମ୍ଭକାର ।
ଆଧୁନିକତା ଓ ଚାକଚକ୍ୟ ଭିତରେ ହଜି ଯାଉଛି ଦୀପ ବ୍ୟବସାୟ । ଦୀପର ସ୍ଥାନ ନେବାକୁ ବସିଲାଣି ଚାଇନା ସାମଗ୍ରୀ । ତେଣୁ ସରକାରୀ ସ୍ତରରେ ଏଗୁଡିକର ସ୍ୱତନ୍ତ୍ର ବ୍ୟବସ୍ଥା କରାଗଲେ ହଜି ଯିବାକୁ ବସିଥିବା କୌଳିକ ବୃତ୍ତିକୁ ବଞ୍ଚାଇ ରଖା ଯାଇ ପାରନ୍ତା ।