କାକଟପୁର : ଛେଳି ମୁହଁରେ ସେଲୋଟ୍ୟାପ୍‌ ମାରି ଚାଲାଣ କରୁଥିବା ବେଳେ ବାପ-ପୁଅକୁ ଅଟକ କଲା ପୋଲିସ

କାକଟପୁର(କେନ୍ୟୁଜ୍‌) : ଲୋକେ ଯେତେ ସତର୍କ ହେଉଛନ୍ତି, ଚୋର ମଧ୍ୟ ସେଥିପାଇଁ ଅଭିନବ ଉପାୟ ମଧ୍ୟ କାଢ଼ୁଛନ୍ତି । କାକଟପୁରରେ ଛେଳିଙ୍କ ମୁହଁରେ ସେଲୋଟ୍ୟାପ ମାରି ଛେଳି କରୁଥିବା ଖବର ଏବେ ସାମ୍ନାକୁ ଆସିଛି । ଏଭଳି ଅଭିନବ ଉପାୟରେ ଛେଳି ଚୋରି କରି ବାହାର ଜିଲ୍ଲାକୁ ଚାଲାଣ କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ି ଅଟକ ରହିଛନ୍ତି ବାପ-ପୁଅ । ପୋଲିସ ଏଥିନେଇ ପଚରା ଉଚରା ଜାରି ରଖିଛି । ଖାଲି ଛେଳି ନୁହେଁ ବାଡିରେ କଦଳୀ ଓ ପୋଖରୀରୁ ମାଛ ମଧ୍ୟ ଏହି ଚୋର ରଖୁନଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚାନାନୁଯାୟୀ, ଏହି ଛେଳି ଚୋର ରାକେଟ କାକଟପୁର ,ଅସ୍ତରଙ୍ଗ,କୋଣାର୍କ,ନିଆଳି ଆଦି ବିଭିନ୍ନ ଅଞ୍ଚଳରେ ମାତିଛନ୍ତି । ରାତିରେ ବିଭିନ୍ନ ଗ୍ରାମମାନଙ୍କର ଛେଳି ଗୁହାଳରୁ ଛେଳିଗୁଡିକୁ ରାତିଅଧରେ ଚୋରି କରି ଆଣୁଛନ୍ତି । ଛେଳିଗୁଡ଼ିକ କାଳେ ବୋବାଇବେ ସେଥିପାଇଁ ଛେଳିଙ୍କ ପାଟିରେ ସେଲୋଟ୍ୟାପ ମାରି ଦିଆଯାଉଛି । ଚୋର ଏହି ଛେଳିଗୁଡ଼ିକୁ ବାହାର ଜିଲ୍ଲାକୁ ଚାଲାଣ କରୁଛନ୍ତି ।

କାକଟପୁର ,ଅସ୍ତରଙ୍ଗ ,କୋଣାର୍କ ,ନିଆଳି ଥାନାରେ ଅନେକ ସମୟରେ ଛେଳି ଚୋରିର ଅଭିଯୋଗ ହୋଇ ଆସିଥିଲା ବେଳେ ପୁଲିସ ଏହି ଚୋରମାନଙ୍କର କୌଣସି ଟେର ପାଇପାରୁ ନଥିଲା | ଗତକାଲି କାକଟପୁର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଏକ ବିଶେଷ ସୂତ୍ରରୁ ଜାଣିବାକୁ ପାଇଲେ ଯେ କାକଟପୁର ନିକଟ ସୁହାଗପୁର ଗ୍ରାମରେ ଏକ ଛେଳିଚୋର ଗ୍ଯାଙ୍ଗ ଛେଳିକୁ ଚୋରିକରି ଆଣି ରାତିରେ ବାହାର ଜିଲାକୁ ଚୋରା ଚାଲାଣ କରିବେ ବୋଲି ପ୍ରସ୍ତୁତ ହେଉଛନ୍ତି |

ଖବର ପାଇବା କ୍ଷଣି କାକଟପୁର ଥାନାଅଧିକାରୀ ସୁଶାନ୍ତ କୁମାର ସାହୁ ସଦଳେବଳେ ସୁହାଗପୁର ଗ୍ରାମର ଲୋକମାନ ଓ ତାର ପୁଅ ରହେମାନ ଘରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ , ଯାଞ୍ଚବେଳେ ଏକ ଗୁହାଳଘର ଭିତରେ ୨୨ଟି ଛେଳି ରହିଥିବା ଦେଖିବାକୁ ପାଇଥିଲେ ଓ ପ୍ରତେକ ଛେଳି ମୁହଁରେ ସେଲୋଟେପ ବନ୍ଧାହୋଇଥିବା ଦେଖିବାକୁ ପାଇଥିଲେ |

କାକଟପୁର ଥାନାଅଧିକାରୀ ଏ ଛେଳିଗୁଡିକ କାହାର ଓ ଏମାନଙ୍କ ମୁହଁରେ କାହିଁକି ସେଲୋ ଟେପ ବନ୍ଧାଯାଇଛି ବୋଲି ପଚାରିବା ସମୟରେ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ |କାକଟପୁର ପୁଲିସ ଚୋରି କରାଯାଇ ଅଣାଯାଇଥିବା ୨୨ ଟି ଛେଳିକୁ ଥାନାକୁ ଆଣିଥିଲେ । ଛେଳି ଚୋରିରେ ସାମିଲ ଥିବା ଲୋକମାନ ଓ ତାର ପୁଅ ରହେମାନକୁ ଥାନାକୁ ଆଣି ଅଟକ ରଖିଛି ପୋଲିସ । ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ଏନେଇ ପୋଲିସ ଅଧିକ ପଚରା ଉଚରା କରୁଛି |

ଏହି ବାପ-ପୁଅ ଛେଳି ଚୋରି କରିବା ସହ ବିଭିନ୍ନ ମାଛ ପୋଖରୀରୁ ମାଛ ଚୋରି କରିବା ସହ ବାଡିରୁ କଦଳୀ ଚୋରି କରୁଥିବା ନେଇ ମଧ୍ୟ ସୁହାଗପୁର ଗ୍ରାମର ଲୋକେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.