ପାହାଡ଼ ଉପରେ ଘର, ବୁଢ଼ାଙ୍କୁ ପାରାଲିସିସ୍‌ ଆଉ ବୁଢ଼ୀ କରୁଛନ୍ତି ସେବା

ମୋହନା: ଗଜପତି ଜିଲ୍ଲାର ମୋହନା ହେଉଛି ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ସହର। ସହରର ଉପକଣ୍ଠ ମା ବୁଢ଼ୀ ଠାକୁରାଣୀ ମନ୍ଦିର ପଛପଟ ଥିବା ଏକ ପାହାଡ଼ ଉପରେ ବାସ କରନ୍ତି ଦୁଇ ଆଦିବାସୀ ବୃଦ୍ଧ ଦମ୍ପତି ସାରଥୀ ଶବର (କାଲା) ଏବଂ କୁମାରୀ ଶବର (କୁମାରୀ)। ମୋହନା ସହରରେ କାଲା-କୁମାରୀ ଭାବେ ଏମାନେ ବେଶ ପରିଚିତ l ଏମାନଙ୍କ ବୟସ ଷାଠିଏରୁ ଊର୍ଦ୍ଧ୍ୱ ହେଲାଣି। କୁମାରୀଙ୍କ କହିବା ପ୍ରକାରେ ପ୍ରାୟ ୨୫ ବର୍ଷ ପୂର୍ବେ ସ୍‌ୱାମୀ ଏବଂ ଝିଅର ମୃତ୍ୟୁ ପରେ ସେ କାମ ସନ୍ଧାନରେ ଗଜପତି ଜିଲ୍ଲା ମଣ୍ଡଳସାହି ଅଞ୍ଚଳରୁ ମୋହନା ଚାଲିଆସିଥିଲେ। ଏଠାରେ ତାଙ୍କର ଦେଖାହୋଇଥିଲା ଜିଲ୍ଲାର ରାୟଗଡ ବ୍ଲକରୁ ଆସିଥିବା ସାରଥୀ (କାଲା)ଙ୍କ ସହ। ଦୁହେଁ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ଯୋଗୁଁ ଏକାଠି ରହିଥିଲେ। ସେତେବେଳେ ଜଙ୍ଗଲରୁ କାଠ ସଂଗ୍ରହ କରି ତାକୁ ବିକ୍ରି କରି ଏବଂ ଲୋକଙ୍କ ଗାଈ, ଗୋରୁ ଚରାଇ ଯାହା ଆଦାୟ ହେଉଥିଲା ସେଥିରେ କଷ୍ଟେମଷ୍ଟେ ଚଳୁଥିଲେ।

ପରେ ସ୍ଥାନୀୟ ଦିଲ୍ଲୀପ କୁମାର ପାତ୍ର ତାଙ୍କୁ ନିଜ ପଦର ବା ପାହାଡ଼ରେ ରହିବା ପାଇଁ ଜାଗା ଖଣ୍ଡେ ଦେଇଥିଲେ। ପାହାଡ଼ରେ ଲଙ୍କା ପାଣ୍ଡୁ(ଲଙ୍କା ଆମ୍ବ), କାନ୍ଦୁଲ ଭଳି ଶସ୍ଯ ଉତ୍ପାଦନ କରି ସେମାନଙ୍କ ତେଲଲୁଣର ସଂସାର ଚାଲୁଥିଲା। କିନ୍ତୁ ବର୍ତ୍ତମାନ ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି। ସାରଥୀ (କାଲା) କିଛି ବର୍ଷ ହେବ ପକ୍ଷାଘାତ ରୋଗରେ ପୀଡିତ। ତାଙ୍କର ସମସ୍ତ ଯତ୍ନ ନିଜେ କୁମାରୀ ନେଉଛନ୍ତି, ତାଙ୍କୁ ଗାଧୋଇ ଦେବା ଖୁଆଇଦେବା ପର୍ଯ୍ୟନ୍ତ ସବୁ କାମ ସେ କରୁଛନ୍ତି। ଯେତେବେଳେ ଯିଏ ଯାହା ହାତ ଟେକା ଦେଲା, ତାହା ସେମାନଙ୍କ ଦୈନନ୍ଦିନ ଖାଦ୍ୟ ପାଲଟୁଛି।

kala kumari2

ପାହାଡ଼ ଉପରେ ଏକ ଛୋଟିଆ କୁଡ଼ିଆ ପାଲଟିଛି ସେମାନଙ୍କ ବାସଗୃହ। ଶୀତରାତିରେ ଏକ ପାଲବାନ୍ଧି ତଳେ ନିଆଁ ଲଗାଇ ଅସହାୟ ଅବସ୍ଥାରେ ରହୁଛନ୍ତି ଏହି ବୃଦ୍ଧ ଦମ୍ପତି। ସନ୍ତାନ ସନ୍ତତି ନଥିବା ଯୋଗୁଁ କିଛି କୁକୁର ପାଲଟିଛନ୍ତି ଏମାନଙ୍କ ସାହାରା। ନିଜେ ନ ଖାଇ ମଧ୍ୟ ଏମାନଙ୍କୁ ଖାଇବାକୁ ଦେଉଛନ୍ତି l କୁକୁର ମାନଙ୍କ ସହ ରହୁଛନ୍ତି ଏବଂ ଶୋଉଛନ୍ତି ମଧ୍ୟ। ଏଥିସହ ଆଜିର ସ୍ୱାର୍ଥପର ମାନବ ସମାଜକୁ ଦେଉଛନ୍ତି ପଶୁପ୍ରେମର ବାର୍ତ୍ତା l ସରକାରଙ୍କ ତରଫରୁ ଏମାନଙ୍କୁ ରାସନ କାର୍ଡରେ ଚାଉଳ ମିଳୁଛି, ବାର୍ଦ୍ଧକ୍ଯ ଭତ୍ତା ମଧ୍ୟ ମିଳୁଛି। କିନ୍ତୁ ରହିବା ପାଇଁ ମୁଣ୍ଡ ଉପରେ ଛାତ ନାହିଁ କି ରୋଗୀଣା ସାରଥୀଙ୍କ ଚିକିତ୍ସା ପାଇଁ ଅର୍ଥ ନାହିଁ l

କାଲା -କୁମାରୀ ଙ୍କ ସମସ୍ଯା ନେଇ ଆମେ ମୋହନା ତହସିଲଦାରଙ୍କ ସହ ଯୋଗାଯୋଗ କରିଥିଲୁ। ତହସିଲଦାର ନିଜେ ସେହି ସ୍ଥାନକୁ ଯାଇଥିଲେ ଏବଂ ଅନ୍ଯ ଏକ ସ୍ଥାନରେ ତାଙ୍କର ରହିବାର ବ୍ଯବସ୍ଥା କରିବା କଥା ସେମାନଙ୍କୁ ବୁଝାଇଥିଲେ। କିନ୍ତୁ ସେମାନେ ବୁଝିବାକୁ ନାରାଜ। ଏହି ପାହାଡ଼ ଉପରେ ହିଁ ରହିବୁ ଏଠୁ କୁଆଡେ ଯିବୁନି ଏଭଳି କୁହନ୍ତି କାଲା-କୁମାରୀ। ସ୍ଥାନୀୟ ବାସିନ୍ଦା ମଧ୍ୟ ପାହାଡ଼ ଉପରେ ଏକ ଗୃହ ନିର୍ମାଣ କରିବା ସହ ରୋଗାକ୍ରାନ୍ତ (ସାରଥୀ) କାଲା ର ଚିକିତ୍ସା କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି l ଅନ୍ଯପଟେ ଅତିଶୀଘ୍ର ଉକ୍ତ ପାହାଡ଼ରେ ଏକ ଅସ୍ଥାୟୀ ଗୃହ ନିର୍ମାଣ କରି ସେମାନଙ୍କ ରହିବା ବ୍ଯବସ୍ଥା କରିବା ସହ ପର୍ଯ୍ଯାୟକ୍ରମେ ଅନ୍ଯ ସବୁ ବନ୍ଦୋବସ୍ତ କରାଯିବ ବୋଲି କହିଛନ୍ତି ତହସିଲଦାର କଲ୍ଯାଣୀ ସଂଘମିତ୍ରା ଦେବୀ l

ଅତିଶୀଘ୍ର ଯଦି ସରକାରୀ କିମ୍ବା ପ୍ରଶାସନିକ ସ୍ତରରେ କାଲା -କୁମାରୀ ଙ୍କ ପ୍ରତି ଦୃଷ୍ଟି ଦିଆଯାଏ, ତେବେ ବୟସର ଅପରାହ୍ନରେ ଏମାନେ ଏକ ସୁସ୍ଥ ଜୀବନ ଅତିବାହିତ କରିପାରିବେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.