କାଳବୈଶାଖୀ ଉଜାଡି ଦେଲା ବର୍ଷକର ଆହାର, ଚିନ୍ତାରେ ଚାଷୀ

ଜଗତସିଂହପୁର: କାଳବୈଶାଖୀ ଉଜାଡି ଦେଲା ବର୍ଷକର ଆହାର । ଧାର କରଜ କରି କେତେ କଷ୍ଟରେ ସୁନାର ଫସଲ କରିଥିଲା ଚାଷୀ । ହେଲେ ଅଚାନକ ମାଡି ଆସିଲା କାଳବୈଶାଖୀ । ଆଉ ଉଜାଡି ଦେଲା ଏକର ଏକର ମୁଗ ଚାଷ । ବିଲରେ ବର୍ଷା ପାଣି ସହ ପବନ ସବୁକିଛି ଛାରଖାର କରିଦେଇଛି । ଚାଷୀ ପାଣି ଭିତରୁ ସାଉଣ୍ଟୁଛି ମୁଗଗଛ । ଋଣ କରି କରିଥିବା ଫସଲ ଏବେ ପାଣି ଘେରରେ । ଆମେ କହୁଚୁ ଜଗତସିଂହପୁର ଜିଲ୍ଲାରେ ହୋଇଥିବା କାଳବୈଶାଖୀ କଥା ।
ଯାହା ଉଜାଡି ଦେଇଛି ସୁନାର ଫସଲ । ଜଗତସିଂହପୁର ଜିଲ୍ଲାରେ କାଳବୈଶାଖୀକୁ ନେଇ ଚାଷୀକୁଳ ହତାଶ ହୋଇପଡିଛି । ଜ଼ିଲ୍ଲାର ଆଠଟି ବ୍ଲକ ଓ ଦୁଇଟି ପୌରପରିଷଦରେ ମୁଗ, ବିରି, କୋଳଥ ଆଦି କରିଥିବା ଚାଷୀମାନେ ଏବେ ନିରୁପାୟ ହୋଇପଡିଛନ୍ତି । ଋଣ ତଥା ଧାର କରଜ କରି କରିଥିବା ମୁଗ ଫସଲ ଏବେ କାଳବୈଶାଖୀର କବଳରେ ପେଶିହୋଇଯାଇଛି । ସବୁ ଚାଷୀଙ୍କ ମୁଣ୍ଡରେ ଏବେ ଗୋଟିଏ ଚିନ୍ତା କିପରି ସୁଝିବେ ଋଣ ।
ଏବେ ପରିସ୍ଥିତି ଏମିତି ଯେ ବିଲରୁ ପାଣି ଯୋଗୁ ମୁଗ ଗଛକୁ ଆଣିହେଉନି ଆଉ ଯାହା ବି କିଛି ଆଣିଛନ୍ତିତାକୁ ଶୁଖାଇ ଅମଳ କଲା ବେଳକୁ ସେ ଗଜା ହୋଇଯାଇଛି । ଆଉ କିଛି ଜାଗାରେ ଡେରିରେ ବୁଣା ଯାଇଥିବା ମୁଗ ଫୁଲ ଦେବା ସମୟରେ ଏଭଳି ବର୍ଷା ଓ ପବନ ଯୋଗୁ ତାହା ମଧ୍ୟ ନଷ୍ଟ ହୋଇଯାଇଛି । ଟ୍ରାକ୍ଟର ପଇସା, ମୁଗ ମଞ୍ଜି ବିକାଳୀର ପଇସା କିଭଳି ସୁଝିବେ ସେ ନେଇ ଚିନ୍ତାରେ ଚାଷୀ । ଅଦିନିଆ ବର୍ଷା ଚାଷୀକୁଳର ମେରୁଦଣ୍ଡ ଦୋହଲାଇ ଦେଇଛି ।
ଯଦି ପ୍ରଶାସନ ଓ ସରକାର ଚାଷୀଙ୍କୁ କିଛି ସାହାଯ୍ୟ କରିପାରନ୍ତେ ତେବେ ଚାଷୀ କୁଳ ବଞ୍ଚିଯାଇପାରନ୍ତା । ଏବେ କେବଳ ସରକାରୀ ସାହାଯ୍ୟ ଅପେକ୍ଷାରେ ଚାଷୀ । ପ୍ରଶାସନ ଓ କୃଷି ବିଭାଗ ଏହାର ସଠିକ ତଦନ୍ତ କରି ଚାଷୀମାନଙ୍କୁ ଉଚିତ ପ୍ରାପ୍ୟ ଦେବାର ଆବଶ୍ୟକତା ରହିଛି ।
Also read: ଭାଙ୍ଗି ରୁଜି ଗଲାଣି ଷ୍ଟାଣ୍ଡ ପୋଷ୍ଟ, ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକେ