କରଞ୍ଜିଆରେ କାଳବୈଶାଖୀ ତାଣ୍ଡବ: ଉଡ଼ିଲା ସ୍କୁଲ ଛାତ, ଭାଙ୍ଗିଲା ଅନେକ ଲୋକଙ୍କ ଘର

କରଞ୍ଜିଆ: କରଞ୍ଜିଆରେ କାଳବୈଶାଖୀ ତାଣ୍ଡବ । ଉଡ଼ିଲା ସ୍କୁଲ ଛାତ, ଭାଙ୍ଗିଲା ଅନେକ ଲୋକଙ୍କ ଘର । କରଞ୍ଜିଆ ବ୍ଲକ ଅନ୍ତର୍ଗତ ଶରଧା ଗାଁରେ ତାଣ୍ଡବ ରଚିଛି କାଳବୈଶାଖୀ । ପ୍ରବଳ ପବନ ବର୍ଷା ଯୋଗୁ ଶରଧା ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ ସମ୍ପୂର୍ଣ୍ଣ ଉଡିଯିବା ସହ ମଧ୍ୟାହ୍ନ ଭୋଜନର ଚାଉଳ ଏବଂ ସ୍କୁଲର ଅନ୍ୟ ଜିନିଷପତ୍ର ଭାଙ୍ଗିରୁଜି ନଷ୍ଟ ହୋଇଛି ।
ସେହିପରି ଗାଁରେ ଗଛ ଉପୁଡ଼ି ଲୋକଙ୍କ ଘର ଉପରେ ପଡ଼ିଯିବାରୁ ଲୋକଙ୍କ ଘର ଭାଙ୍ଗି ଯାଇଛି । ଏଥିରୁ ଅଲ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ। ଶୁକୃଲି ଏବଂ ରରୁଆ ବ୍ଲକର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ କୁଆ ପଥର ମାଡ଼ ଦେଖିବାକୁ ମିଳିଛି । କୁଆ ପଥର ମାଡ଼ରେ ଅନେକ ଲୋକଙ୍କ ଘର ଭାଙ୍ଗିଥିବା ସୂଚନା ମିଳିଛି ।
ଅନ୍ୟପଟେ ଆଗାମୀ ୫ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଓ ପବନର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ୨୪ ଘଣ୍ଟାରେ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୩ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି, କୁଆପଥର ମାଡ଼ ଓ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବିଜୁଳି, ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ପାଇଁ ୪ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଆହୁରି ପଢ଼ନ୍ତୁ : ଆଗାମୀ ୫ଦିନ ଯାଏ କାଳବୈଶାଖୀ ବର୍ଷା, ୩ଜିଲ୍ଲାରେ କୁଆପଥର ମାଡ଼ ସହ ଅରେଞ୍ଜ ୱାର୍ଣ୍ଣିଂ