ବ୍ରହ୍ମପୁରରେ କାଳବୈଶାଖୀ ବର୍ଷା: ଏମକେସିଜି ୱାର୍ଡରେ ପଶିଲା ପାଣି, ରୋଗୀ ସେବା ବାଧାପ୍ରାପ୍ତ

ବ୍ରହ୍ମପୁର : ତାତି କଷ୍ଟଠୁ ବଳିଗଲା କାଳବୈଶାଖୀ ତାଣ୍ଡବ । ଉଡିଲା ଛପର, ଭାଙ୍ଗିଲା ଘର । ବ୍ରହ୍ମପୁରରେ ପ୍ରବଳ ବର୍ଷା ହୋଇଛି । ଲଗାତର ୩ ଘଣ୍ଟା ବର୍ଷା ଯୋଗୁଁ ସହର ବେହାଲ ହୋଇଯାଇଛି । ସାହି, ବସ୍ତି, ସରକାରୀ ଅଫିସ ସହ ଏମକେସିଜି ମେଡିକାଲରେ ବି ପାଣି ପଶିଯାଇଛି । ମେଡିକାଲର ଆଉଟଡୋରର ଅନେକ ୱାର୍ଡରେ ମଧ୍ୟ ବର୍ଷା ପାଣି ପ୍ରବେଶ କରିବା ଦ୍ବାରା ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ସେପଟେ ସହର ସାରା ପ୍ରବଳ ବର୍ଷାରେ ବଡ଼ ବଡ଼ ଗଛ ସବୁ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପାଣି ଜମିଥିବା ବେଳେ ତଳିଆ ଅଞ୍ଚଳ ଘର ଗୁଡିକରେ ବର୍ଷା ପାଣି ପଶିଥିଲା । ଜଣେ ଡ୍ରେନରେ ଭାସି ଯାଉଥିବାବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଥିଲେ ।
ସେହିପରି ଗତକାଲି ବ୍ରହ୍ମପୁରରେ ବଜ୍ରପାତରେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । କ୍ରିକେଟ ଖେଳୁଥିବା ବେଳେ ବଜ୍ରାଘାତରେ ଟଳି ପଡ଼ିଥିଲେ ଛାତ୍ର। ମୃତକ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ନାରାୟଣପୁର ଗାଁର ରାଜେଶ କୁମାର ଗୌଡ଼ । ରାଜେଶ ସାଙ୍ଗ ମାନଙ୍କ ସହ କ୍ରିକେଟ ଖେଳିବାକୁ କୁମରଡ଼ା ଯାଇଥିବା ବେଳେ ହଠାତ ବର୍ଷା ପବନ ସହିତ ବଜ୍ରପାତ ହୋଇଥିଲା । ବଜ୍ରଘାତରେ ସେଇଠି ଟଳି ପଡ଼ିଥିଲେ ରାଜେଶ । ଗୁରୁତର ଅବସ୍ଥାରେ ତାଙ୍କୁ ବମକେଇ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏଫ ଏମ ଟି ପଠାଯାଇଛି l
ଆହୁରି ପଢ଼ନ୍ତୁ : ତାତିରୁ ଆଶ୍ବସ୍ତି ଆଣିଲା କାଳବୈଶାଖୀ, ୨୪ ଘଣ୍ଟାରେ ବାରିପଦାରେ ସର୍ବାଧିକ ୧୨୩.୪ ମିମି ବର୍ଷା