ଛଅ ବର୍ଷରେ କଳିଙ୍ଗ ଟିଭି, କୋଭିଡ୍ ନିୟମ ମାନି ନିଆରା ଢଙ୍ଗରେ ଭର୍ଚୁଆଲରେ ହେଲା ପ୍ରତିଷ୍ଠା ଉତ୍ସବ ପାଳନ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟର ଅନ୍ୟତମ ପ୍ରମୁଖ ନ୍ୟୁଜ୍ ଚ୍ୟାନେଲ କଳିଙ୍ଗ ଟିଭିର ଆଜି ହେଉଛି ଷଷ୍ଠ ପ୍ରତିଷ୍ଠା ଦିବସ । କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ୨୦୧୫ରେ ଜନ୍ମ ନେଇଥିବା କଳିଙ୍ଗ ଟିଭି ତାର ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇ ନାହିଁ ଏବଂ ସମାଜ ଓ ଲୋକଙ୍କ ପ୍ରତି ଥିବା ତାର ଉତ୍ତର ଦାୟିତ୍ୱକୁ ପାଳନ କରି ଆସୁଛି । ନିଜ ବକ୍ତବ୍ୟରେ ଏଭଳି କହିବା ସହ କଳିଙ୍ଗ ଟିଭିର ଅଗଣିତ ଦର୍ଶକଙ୍କ ଏବଂ ଶୁଭେଚ୍ଛୁଙ୍କୁ କୃତଜ୍ଞତା ଜଣାଇଛନ୍ତି ଏହାର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ।

5

ଏହା ସହ ସଂସ୍ଥାର ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ରିପୋର୍ଟରଙ୍କୁ ଧନ୍ୟବାଦର ଜଣାଇଛନ୍ତି । ଏହିି ଛଅ ବର୍ଷ ପରି ଆଗାମୀ ସମୟରେ ମଧ୍ୟ କଳିଙ୍ଗ ଟିଭି ଦର୍ଶକଙ୍କ ପାଖରେ ତାର ବିଶ୍ୱସ୍ତତା ଏବଂ ନିରପେକ୍ଷତା ଯେମିତି ବଜାୟ ରଖିବ ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଆହୁରି ମଧ୍ୟ ଏହି କୋଭିଡ୍ ଆତଙ୍କ ଭିତରେ ଫିଲ୍‌ଡରେ କାମ କରୁଥିବା କଳିଙ୍ଗ ଟିଭିର ସମସ୍ତ କର୍ମଚାରୀ ନିଜକୁ ସୁରକ୍ଷିତ ରଖିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।

1

ଆଜି ନୟାପଲ୍ଲୀ ସ୍ଥିତ ଏହାର ଦ୍ୱିତୀୟ କାର‌୍ୟ୍ୟାଳୟରେ କଳିଙ୍ଗ ଟିଭିର ଷଷ୍ଠ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । କୋଭିଡ୍ ନିୟମକୁ ସମ୍ପୂର୍ଣ୍ଣ ଭାବେ ମାନି ଏକ ନିଆରା ଢଙ୍ଗରେ ଉତ୍ସବ ଆୟୋଜିତ ହୋଇଥିଲା । ସଭାଗୃହରେ କେବଳ ବିଭାଗୀୟ ମୁଖ୍ୟମାନେ ସାମାଜିକ ଦୂରତା ରକ୍ଷା କରି ଉପସ୍ଥିତ ଥିବା ବେଳେ ଅନ୍‌ଲାଇନ୍ ବା ଭର୍ଚୁଆଲରେ ବିଭିନ୍ନ ଜିଲ୍ଲା ଏବଂ ବ୍ଲକ୍ ପ୍ରତିନିଧିମାନେ ଯୋଡ଼ି ହୋଇ ପ୍ରତିଷ୍ଠାତାଙ୍କ ବକ୍ତବ୍ୟ ଶୁଣିଥିଲେ ।

3

ବୈଠକରେ କିଟ୍‌, କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ, କଳିଙ୍ଗ ଟିଭିର ଉପଦେଷ୍ଟା ଉମାପଦ ବୋଷ, ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ, ମୁଖ୍ୟ ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ମୁଖ୍ୟ ପରିଚାଳକ କଳିଙ୍ଗ ଟିଭିର ଜନ୍ମ ଠାରୁ କିଭଳି ଭାବେ ଏହି ଚ୍ୟାନେଲ ଛଅ ବର୍ଷରେ ପହଞ୍ଚିଛି ଏବଂ ପ୍ରତ୍ୟେକ କ୍ଷେତ୍ରରେ କିପରି ପ୍ରତିଷ୍ଠାତାଙ୍କ ସହଯୋଗ ଏବଂ ପରାମର୍ଶ ମିଳିଛି ସେ ସମ୍ପର୍କରେ ସୂଚନା ଦେଇଥିଲେ ।

ଉପଦେଷ୍ଟା ଉମାପଦ ବୋଷ କଳିଙ୍ଗ ଟିଭି କିଭଳି ଭାବେ ଲୋକଙ୍କ ପାଖରେ ତାର ବିଶ୍ୱସନୀୟତା ବଜାୟ ରଖିଛି ଏବଂ ନିଜ ସହ ନିଜେ ପ୍ରତିଯୋଗିତା କରୁଛି ସେ ସମ୍ପର୍କରେ କହିଥିଲେ । ସେହିପରି ମୁଖ୍ୟ ସମ୍ପାଦକ ସମସ୍ତ କର୍ମଚାରୀ ଏବଂ ରିପୋର୍ଟରମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିବା ବେଳେ ଡେପୁଟୀ ଚିଫ୍ ଏଡିଟର ଦୁର୍ଗା ମାଧବ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.