କାମାକ୍ଷା ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ: ଜଣେ ମୃତ, କିଛି ଯାତ୍ରୀ ଆହତ

ଚୌଦ୍ଵାର: କାମାକ୍ଷା ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ । ଚୌଦ୍ଵାର ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ବେଙ୍ଗାଲୁରୁ- କାମାକ୍ଷା ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି ।

ସୂଚନାଯୋଗ୍ୟ ଯେ, ରବିବାର କଟକ ଚୌଦ୍ବାର-ମଙ୍ଗୁଳି ଷ୍ଟେସନ ନିକଟରେ ୧୧. ୫୪ ସମୟରେ ବେଙ୍ଗାଲୁରୁ-ଗୌହାଟୀ କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ନିର୍ଗୁଣ୍ଡିରେ ଏହି ଏକ୍ସପ୍ରେସ୍‌ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଛି । ଏକ୍ସପ୍ରେସ୍‌ ର ୧୧ ଟି ବଗି ଲାଇନ୍ ଚ୍ୟୁତ ହୋଇଥିବା ନେଇ ପୂର୍ବତଟ ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି ।  ଟ୍ରେନ୍‌ର ବି-୬ରୁ ବି-୧୪ ପର୍ଯ୍ୟନ୍ତ ବଗି ଟ୍ରାକ୍‌ରୁ ଖସିପଡ଼ିଛି । ନିକଟରେ ଥିବା ଜଙ୍ଗଲ ଏବଂ ବିଲକୁ ଟ୍ରେନ୍‌ର ବଗି ଗୁଡ଼ିକ ଟ୍ରାକ୍‌ରୁ ଖସି ମାଡ଼ି ଯାଇଛି । ଫଳରେ ଅନେକ ଯାତ୍ରୀ ଟ୍ରେନ୍‌ରୁ ଡେଇଁ ପଡିଥିଲେ । ଏଥିପାଇଁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି । ଏହି ଲାଇନ୍‌ରେ ଆସିବାକୁ ଥିବା ଅନ୍ୟ ଟ୍ରେନ୍‌ଗୁଡିକୁ ବାତିଲ କରିଦିଆଯାଇଥିବା ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି  । ଅଟକି ରହିଥିବା ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି ।

 

 

ଆହୁରି ପଢ଼ନ୍ତୁ : ଭାରସାମ୍ୟ ହରାଇ ଓଲଟି ପଡିଲା କଲେଜ ବସ୍ , ଡ୍ରାଇଭର ଗୁରୁତର