କାମାକ୍ଷାନଗର : କେମିତି ସମ୍ଭାଳି ହୋଇ ରହିବ ଏ ପୁଅ । ଆଖି ସାମ୍ନାରେ ବାପା ମାଆ ଦୁଇ ଜଣ ଶୋଇଛନ୍ତି ଚିରନିଦ୍ରାରେ । ଏକାସାଥିରେ ହାତ ଧରାଧରି ହୋଇ ଗଲା ଭଳି ଏକାସମୟରେ ଚାଲିଗଲେ ସ୍ବାମୀ ସ୍ତ୍ରୀ । ହେଲେ ପଛରେ ଛାଡିଗଲେ ଏଗାର ବର୍ଷର ପୁଅକୁ । ଯାହା ମୁଣ୍ଡରୁ ଏବେ ଉଠିଯାଇଛି ବାପା ମାଆ ଦୁଇଜଣଙ୍କ ହାତ । ହଁ ଆଜ୍ଞା ଗୋଟେ ପଟେ ସ୍ବାମୀ ଶୋଇଛି ଆଉ ଆରପଟେ ସ୍ତ୍ରୀ । ଘଣ୍ଟ ବାଜୁଛି ରାମ ନାମ ସତ୍ୟ ହେ ଧ୍ବନିରେ କମ୍ପୁଛି ପରିବେଶ । ଆଉ ଖଟିଆରେ ଶୋଇ ଯାଉଛନ୍ତି ସ୍ବାମୀ ସ୍ତ୍ରୀ ଦୁଇଜଣ । ଏ ସ୍ବାମୀ ଜଣଙ୍କ ତାଙ୍କ ସ୍ତ୍ରୀକୁ ଏତେ ଭଲ ପାଉଥିଲେ ଯେ ସ୍ତ୍ରୀକୁ ମରିବା ପାଇଁ ଛାଡିଲେନି ବରଂ ନିଜ ଜୀବନକୁ ବାଜି ଲଗାଇଦେଲେ ସ୍ତ୍ରୀକୁ ବଞ୍ଚାଇବାକୁ । ହେଲେ ବିଧିର ବିଧାନ କିଛି ଅଲଗା ଲେଖାଥିଲା ବୋଧେ । ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ବାମୀ ବି ଚାଲିଗଲେ । ଦୁଇ ଜଣ ହାତ ଧରା ଧରି ଡକା ଡକା ହୋଇ ଗଲା ଭଳି ଏକାସାଥିରେ ଆଖି ବୁଜିଦେଲେ । ସେମାନେ ସ୍ବାମୀ ସ୍ତ୍ରୀ ସିନା ଚାଲିଗଲେ ହେଲେ ସେମାନଙ୍କର ଗୋଟିଏ ବୋଲି ପୁଅ ଏବେ ହେଇଗଲା ଏକା ।
ପୁଅ ସ୍କୁଲ ଯାଇଥିଲା । ପୁଅ ସ୍କୁଲ ଗଲାପରେ ବାପା ମାଆଙ୍କର ହୋଇଗଲା ଏପର ଅବସ୍ଥା । ବିଦ୍ୟୁତ ସଂସ୍ପର୍ଶ ରେ ଆସି ଚାଲିଗଲା ସ୍ୱାମୀ, ସ୍ତ୍ରୀଙ୍କ ଜୀବନ । ମୃତ ଦମ୍ପତି ହେଲେ ମହାବିରୋଡ଼ ଥାନା ବାମ ପଞ୍ଚାୟତ ରଗଡାସାହିର ଦୁର୍ୟୋଧନ ମହାନ୍ତ ଓ ଭାରତୀ ମହାନ୍ତ । ସୂଚନା ଅନୁସାରେ ଦୁର୍ୟୋଧନ ଦୀର୍ଘ ବର୍ଷ ଧରି ଛତିଶଗଡ଼ ରାଜ୍ୟର କୋରବା ଜିଲ୍ଲାରେ ଥିବା କୁସୁମୁଣ୍ଡା କୋଲ ମାଇନ୍ସରେ ହାଇୱା ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଗାଡି ଚଲାଇବା ସହ ନିଜ ପରିବାର ପ୍ରତିପୋଷଣ କରିଆସୁଥିଲେ। ସେ ସେଠାରେ ନିଜ ସ୍ତ୍ରୀ ଓ ଏଗାରବର୍ଷର ପୁଅ ସହ ରହିଆସୁଥିଲେ ।
ତେବେ ଗତକାଲି ସକାଳୁ ପୁଅକୁ ସ୍କୁଲକୁ ଯିବା ପରେ ସ୍ତ୍ରୀ ଭାରତୀ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶ ରେ ଆସି ଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ୟୋଧନ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ । ସ୍ଥାନୀୟ ଲୋକ ତୁରନ୍ତ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପରିବାର ଲୋକ ଛତିଶଗଡ଼ରେ ପହଞ୍ଚି ମୃତଦେହକୁ ନିଜ ଗାଁ ରଗଡାସାହିକୁ ଆଣିଥିବା ବେଳେ ସ୍ଥାନୀୟ ଗାଁ ଶ୍ମଶାନରେ ଦମ୍ପତିଙ୍କ ଶେଷକୃତ୍ୟ କରାଯାଇଛି । ଏକାଠି ଜଳିଲା ଉଭୟଙ୍କ ଜୁଇ । ଯାହାକୁ ନେଇ ଗାଁରେ ଓ ଆଖପାଖ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ସତରେ ଭାରି ହୃଦୟ ବିଦାରକ ଏ ଘଟଣା । ଏ ସ୍ବାମୀ ସ୍ତ୍ରୀଙ୍କ ଜୁଇ ଜଳୁଥିବା ଦେଖି ସମସ୍ତଙ୍କ ଆଖିରେ ଲୁହ । କେହି ବି ସମ୍ଭାଳି ପାରୁନାହାଁନ୍ତି ଏ ଦୃଶ୍ୟ ଦେଖି । ପୁଅ ବି ପୂରା ଅବାକ୍ ହେଇଯାଇଛି । ଏବେ ଗାଁ ସାରା ସମସ୍ତଙ୍କ ଚିନ୍ତା ସେ ଦୁହେଁ ତ ଚାଲିଗ ଲେ ଏବେ ପୁଅ ଭବିଷ୍ୟତ କଣ ହେବ ।