କନ୍ଧମାଳର ଗର୍ବ ପ୍ରିତମ, ଟେନିସ୍ ବଲ କ୍ରିକେଟ ଭାରତୀୟ ଦଳରେ ଖେଳି ସାଉଣ୍ଟୁଛନ୍ତି ପ୍ରଶଂସା

ସାରା ଗାଁରେ ଖେଳିଯାଇଛି ଖୁସିର ଲହରୀ । କାରଣ ଗାଁ ପୁଅ ଆଜି ଟେନିସ୍ ବଲ କ୍ରିକେଟ ଭାରତୀୟ ଦଳରେ ଖେଳି ସାରା ଓଡିଶା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ତାଙ୍କ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପାଇଁ ଚାଲିଛି ବିରାଟ ଶୋଭାଯାତ୍ରା । ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବ ହେଉଛନ୍ତି ଓଡ଼ିଆ ଖେଳାଳୀ । ଆଜି ଦେଶ ବାହାରେ ଦେଖାଇଛନ୍ତି କମାଲ । ଆଉ ଚାରିଆଡୁ ସାଉଣ୍ଟୁଛନ୍ତି ପ୍ରଶଂସା । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କାଲିଗାଡୁ ଗାଁର ପ୍ରିତମ ପ୍ରଧାନ । ଫାଇନାଲରେ ବିଜୟ ଲାଭ କରି ରାଜ୍ୟ ଏବଂ କନ୍ଧମାଳ ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ ।

ବାପା ପଦ୍ମ ଚରଣ ପ୍ରଧାନ ଏବଂ ମା ଆରତି ପ୍ରଧାନ ପୁଅର ଏଭଳି ସଫଳତା ପାଇଁ ବେଶ ଗର୍ବିତ । ଅନ୍ତର୍ଜାତୀୟ ଟେନିସ ବଲ କ୍ରିକେଟ ଭାରତୀୟ ଦଳରେ ପ୍ରିତମ ଅଲରାଉଣ୍ଡର ଖେଳାଳି ଭାବେ ଭଲ ପ୍ରଦର୍ଶନ ଆଜି ନିଜ ଦେଶର ଟେକ ରଖିଛନ୍ତି । ଏହି ମ୍ୟାଚ ଫାଇନାଲରେ ବାଙ୍ଗଲାଦେଶକୁ ହରାଇ ଭାରତୀୟ ଦଳ ଚାମ୍ପିଅନ ହୋଇଛି । ପିଲାଟି ଦିନରୁ ହିଁ ପ୍ରିତମଙ୍କର ଟେନିସ୍ ବଲ କ୍ରିକେଟ୍ ପ୍ରତି ରୁଚି ଥିଲା । ଯେତେବେଳେ ସମୟ ମିଳେ ସେ ବ୍ୟାଟ ବଲ ଧରି ଖେଳିବାରେ ଲାଗିପଡନ୍ତି ।

ଭୁବନେଶ୍ୱର ଆଇଟିଆଇ କଲେଜରେ ପାଠ ପଢା ସାରି ବେଙ୍ଗଲୁରୁରେ ଟେନିସ୍ ବଲ କ୍ରିକେଟ କୋଚିଂ ନେଇଥିଲେ । ଏହା ପରେ ପ୍ରିତମ ହାଇଦ୍ରାବାଦରେ କୋଚିଂ ନେଇ ଟେନିସ ବଲ କ୍ରିକେଟରେ ବହୁତ ଭଲ ପ୍ରଦର୍ଶନ କରିଥିଲେ । ଯାହାଫଳରେ ପ୍ରିତମଙ୍କୁ ଭାରତୀୟ ଟେନିସ୍ ବଲ କ୍ରିକେଟ ଦଳରେ ଅଲରାଉଣ୍ଡର ଭାବରେ ସାମିଲ କରାଯାଇଥିଲା । ପରେ ଭାରତୀୟ ଦଳ ଚାମ୍ପିଅନସିପ ଖେଳିବା ପାଇଁ ସେ ନେପାଳ ଯାଇଥିଲେ । ଏହି ଚାମ୍ପିଅନ ସିପ୍ ନେପାଲର ପଖରା ଷ୍ଟାଡିୟମରେ ଚାରୋଟି ଦଳ ତଥା ଭାରତ, ଶ୍ରୀଲଙ୍କା, ବାଙ୍ଗଲାଦେଶ, ଭୁଟାନ ମଧ୍ୟରେ ଖେଳାଯାଇଥିଲା ।

ଏହି ମ୍ୟାଚ୍ ଡ଼ିସେମ୍ବର ମାସ ୨୦ ତାରିଖ ଠାରୁ ଆରମ୍ଭ ହୋଇ ଜାନୁଆରୀ ୨ ପର୍ଯ୍ୟନ୍ତ ଚାଲିଥିଲା । ଫାଇନାଲ ମ୍ୟାଚରେ ପ୍ରଥମେ ବାଙ୍ଗଲାଦେଶ ବ୍ୟାଟିଂ କରି ୧୦ ଓଭରରେ ୭୦ ରନ୍ ଟାର୍ଗେଟ୍ ଦେଇଥିଲା । ଦ୍ବିତୀୟ ବ୍ୟାଟିଂରେ ଭାରତୀୟ ଦଳ ଆଠ ୱିକେଟ୍ ରେ ୭୧ ରନ କରି ଫାଇନାଲରେ ବାଙ୍ଗଲାଦେଶକୁ ହରାଇ ଚାମ୍ପିଅନ ହୋଇଥିଲେ । କନ୍ଧମାଳ ଜିଲ୍ଲାରୁ ପ୍ରିତମ ପ୍ରଧାନ ଅନ୍ତର୍ଜାତୀୟ ଟେନିସ୍ ବଲ କ୍ରିକେଟ ଭାରତୀୟ ଦଳ ପାଇଁ ଅଲରାଉଣ୍ଡର ଭାବରେ ଖେଳିଥିବା ପ୍ରଥମ ଖେଳାଳି । ରାଜ୍ୟ ଏବଂ କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଏବଂ ଗୌରବ ଆଣିବା ସହ ନିଜ ଗାଁର ଟେକ ରଖିଛନ୍ତି ।

ପ୍ରିତମ ଖେଳ ସାରି ନିଜ ଗାଁକୁ ଫେରିଥିଲେ । ସେଠାରେ ପ୍ରିତମଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରି ଚୁନପଲି ଠାରୁ ଏକ ଶୋଭାଯାତ୍ରାରେ ବେରେଡାକୀଆ ପର୍ଯ୍ୟନ୍ତ ନିଆଯାଇଥିଲା । ଅନ୍ୟପଟେ ରାଇକିଆରେ ସମସ୍ତ ସଂଘଟନ ତଥା ବଣିକ ସଂଘ, ପୂଜା କମିଟି, ପୋଲିସ୍ ପ୍ରଶାସନ, ରାଇକିଆ ବ୍ଳକ ଷ୍ଟାଫ୍ , କ୍ରିକେଟ ଆସୋସିଏସନ, ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକ ଏବଂ ଅଞ୍ଚଳବାସୀ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପୁଅର ଏଭଳି ସଫଳତା ଦେଖି ପରିବାରରେ ଖୁସିର ଲହରୀ ଖେଳିଯାଇଛି ।