କନ୍ଧମାଳ ଜିଲ୍ଲାକୁ ଛୁଇଁଲା ଚଳିତ ବର୍ଷର ପହଲି ଶୀତ, ଦେଖିବାକୁ ମିଳୁଛି ଘନ କୁହୁଡି

ବାଲିଗୁଡା: କନ୍ଧମାଳ ଜିଲ୍ଲାକୁ ଛୁଇଁଛି ଚଳିତ ବର୍ଷର ପହଲି ଶୀତ । ଚଳିତ ବର୍ଷର ପହଲି ଶୀତ ଏବେ ଜିଲ୍ଲାରେ ଅନୁଭୂତ ହେବାରେ ଲାଗିଛି । ପାର୍ବଣରେ ଜଗତ ଜନନୀ ମାଆଙ୍କ ଆଗମନ ନେଇ ଏବେ ଉତ୍ସବ ମୁଖର ହୋଇଛି ପୁର ପଲ୍ଲୀ । ମାଆଙ୍କ ଆଗମନକୁ ପ୍ରକୃତି ରାଣୀ ସ୍ୱାଗତ କରିଥିବାବେଳେ ଶୀତର ଆଗମନ ନେଇ ବେଶ ଆତ୍ମ ବିଭୋର ହୋଇଛନ୍ତି ପ୍ରକୃତି ପ୍ରେମୀ ।

ପାର୍ବଣର ମାହୋଲ ସାଙ୍ଗକୁ ଶୀତର ଆଗମନକୁ ମଧ୍ୟ ସ୍ୱାଗତ କରିଛନ୍ତି ଅଂଚଳବାସୀ । ନୀଳ ନୀଳ ଘାସ ଗାଲିଚା ସାଙ୍ଗକୁ ଚାଷ ଜମିର ସତେଜ ଧାନକେଣ୍ଡା ସତେ ଯେମିତି ହାତ ହଲାଇ ଏହି ପହଲି ଶୀତର ଆଗମନକୁ ସ୍ୱାଗତ କରୁଥିବା ବାରି ହୋଇ ପଡୁଛି । ପ୍ରକୃତିର ଅପରୂପ ଛିଟା ବିଛେଇ ହୋଇପଡୁଛି ଶୀତର ଆଗମନରେ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ବନ ପାହାଡ଼ ଘେରା କନ୍ଧମାଳ ଜିଲ୍ଲାର ମନଲୋଭା ଦୃଶ୍ୟ ଏବେ ଅଧିକ ଆକର୍ଷିତ କରୁଛି ।

ଶୀତର ଆଗମନରେ ପ୍ରକୃତି କୋଳ ମଧ୍ୟ ସତେଜ ହୋଇ ଉଠୁଥିବା ସ୍ପଷ୍ଟ ବାରି ହୋଇପଡୁଛି । ଗତ ଦୁଇ ତିନି ଦିନ ହେବ ବାଲିଗୁଡା ସହରରେ ବର୍ଷର ପହଲି ଶୀତ ଅନୁଭୂତ ହୋଇଛି । ଶୀତର ପହଲି ସ୍ପର୍ଶର ମଜା ନେବା ପାଇଁ ଛୋଟରୁ ବଡ଼ ସଭିଏଁ ଏବେ ବିଭିନ୍ନ ପାର୍କ, ଷ୍ଟାଡିଅମ ରେ ଭିଡ଼ ଜମାଉଛନ୍ତି । ନିଜକୁ ଫିଟ୍ ରଖିବା ସହ ଏହି ପହଲି ଶୀତର ପ୍ରଥମ ସ୍ପର୍ଶକୁ ଅନୁଭବ କରିବା ପାଇଁ ସକାଳୁ ସକାଳୁ ସବୁଠି ଏବେ ଭିଡ଼ ମଧ୍ୟ ଜମାଉଛନ୍ତି ।

sita

ବର୍ଷର ପ୍ରଥମ ଶୀତ ଜିଲ୍ଲାକୁ ଛୁଇଁଥିବା ବେଳେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳୁଛି । ସବୁଜିମାରେ ଭରପୁର କନ୍ଧମାଳ ଜିଲ୍ଲା ଏବେ କୁହୁଡିରେ ଆଚ୍ଛାଦିତ ହୋଇ ରହୁଛି ।  ସୁଲୁ ସୁଲିଆ ପବନ ସାଙ୍ଗକୁ ବର୍ଷର ପହଲି ଶୀତର ଆଗମନରେ ବେଶ ଆନନ୍ଦିତ ଅଂଚଳ ବାସୀ । ଘନ କୁହୁଡିର ଧଳା ଚାଦର ସାଙ୍ଗ କୁ ଘାସ ଗାଲିଚାର କାକର ବିନ୍ଦୁ ପ୍ରକୃତିର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି । ଯାହାର ମଜା ଏବେ ନେଉଛନ୍ତି ସାନ ରୁ ବଡ଼ ସଭିଏଁ । ତେବେ ପହଲି ଶୀତ କୁ ନେଇ ଅଂଚଳବାସୀ ବେଶ ଖୁସି ଅନୁଭବ କରିବା ସହ ଆଗକୁ ମଧ୍ୟ ଏହି ଶୀତ ଜାରି ରହିବ ବୋଲି ବୁଦ୍ଧିଜୀବୀ କହିଛନ୍ତି ।

ତେବେ ବର୍ଷା ପରେ ଖୁବ ଜଲଦି ବର୍ଷର ପ୍ରଥମ ଶୀତ ଛୁଇଁଛି । ତେବେ ଶୀତ କହିଲେ କନ୍ଧମାଳ କୁ ହିଁ ବୁଝାଇଥାଏ  । ଯେଉଁ ଥଣ୍ଡାକୁ ଅନୁଭବ କରିବା ସହ ଏହାର ମଜା ନେବା କୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟନଙ୍କ ସୁଅ ଛୁଟିଥାଏ କନ୍ଧମାଳ ଜିଲ୍ଲାକୁ । ସେଥିପାଇଁ ତ ଏହି ଶୀତର ଆଗମନକୁ ସମସ୍ତେ ଚାହିଁ ରହିଥାନ୍ତି ଏହାର ମଜା ନେବା ସହ ମନଭରି ଉପଭୋଗ କରିବା ପାଇଁ । ଚଳିତ ବର୍ଷ ଖୁବ ଶୀଘ୍ର ଏହି ଶୀତର ଆଗମନ ହୋଇଥିବାରୁ ବେଶ ଉତ୍ସାହିତ ହୋଇ ପଡିଛନ୍ତି ଅଂଚଳ ବାସୀ ।

 

You might also like