କନ୍ଧମାଳ ସଂସଦୀୟ କ୍ଷେତ୍ରରେ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ସମୀକ୍ଷା, ଅନେକ ନୂତନ ପ୍ରକଳ୍ପର କଲେ ଶିଳାନ୍ୟାସ
ଆଜି ସକାଳେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଗୁମାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ କନ୍ଧମାଳ ବିଜୁ ଜନତା ଦଳ ପକ୍ଷରୁ ‘ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ଆୟୋଜିତ ରକ୍ତଦାନ ଶିବିରରେ ଯୋଗଦେଇ ଶ୍ରୀ ସାମନ୍ତ ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।
କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ସଂସଦୀୟ କ୍ଷେତ୍ର ସମୀକ୍ଷା କାର୍ଯ୍ୟକ୍ରମର ତୃତୀୟ ଦିବସରେ ଆଜି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ଏହଛଡ଼ା ଶ୍ରୀ ସାମନ୍ତ ଅନେକ ନୂତନ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି। ଆଜି ସକାଳେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଗୁମାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ କନ୍ଧମାଳ ବିଜୁ ଜନତା ଦଳ ପକ୍ଷରୁ ‘ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ଆୟୋଜିତ ରକ୍ତଦାନ ଶିବିରରେ ଯୋଗଦେଇ ଶ୍ରୀ ସାମନ୍ତ ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ପରେ ମହାଶିଙ୍ଗିଠାରେ କାକାବୁଡ଼ା ମନ୍ଦିରର ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କଞ୍ଜମେଣ୍ଡିଠାରେ ଏକ ଚର୍ଚ୍ଚର ଶିଳାନ୍ୟାସ ଓ ପୁରୁଣା ନୂଆଗାଁସ୍ଥିତ ନୂତନ ଶିବ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।
ସାଂସଦ ଶ୍ରୀ ସାମନ୍ତ ଆଜି ମୁଖ୍ୟ ଅତିଥି ଭାବେ କ.ନୂଆଗାଁ ପଂଚାୟତ ସମିତି କାର୍ଯ୍ୟାଳୟଠାରେ ମିସନ ଶକ୍ତି ଗୃହ ଓ ଆଇସିଡିଏସ୍ କାର୍ଯ୍ୟାଳୟ ଉଦ୍ଘାଟନ କରିଥିଲେ। ପରେ କ.ନୂଆଗାଁଠାରେ ନୂତନ ଜନଜାତି ସଂସ୍କୃତି ଭବନର ଶିଳାନ୍ୟାସ କରିବା ସହ ସାଧାରଣ ସଭାରେ ଯୋଗ ଦେଇଥିଲେ। ପରେ ଶ୍ରୀ ସାମନ୍ତ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ମେଡିକାଲ୍ ଛକଠାରେ ନୂତନ ଜନଜାତି ସଂସ୍କୃତି ଭବନର ଶିଳାନ୍ୟାସ କରିବା ସହ ତୁମୁଡ଼ିବନ୍ଧ୍ ପଂଚାୟତ ସମିତି କାର୍ଯ୍ୟାଳୟଠାରେ ମିସନ ଶକ୍ତି ଗୃହର ଉଦ୍ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ସାମନ୍ତ କୋଟଗଡ଼ଠାରେ ନୂତନ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ଓ ମା ମାଣିକେଶ୍ୱରୀ ମନ୍ଦିରର ଶିଳାନ୍ୟାସ କରିଥିଲେ। ସେହିପରି କୋଟଗଡ଼ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ନୂତନ ଅତିରିକ୍ତ ଶ୍ରେଣୀଗୃହର ଶିଳାନ୍ୟାସ ମଧ୍ୟ କରିଥିଲେ। ଏହା ବ୍ୟତୀତ ସାଂସଦ ଶ୍ରୀ ସାମନ୍ତ ଏଠାରେ ନୂତନ ଜନାଜାତି ସଂସ୍କୃତି ଭବନର ମଧ୍ୟ ଶିଳାନ୍ୟାସ କରିଥିଲେ।
ଏହିସବୁ କାର୍ଯ୍ୟକ୍ରମରେ ସାଂସଦଙ୍କ ସହ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ର ରାଜ୍ୟ ଅଧକ୍ଷ ପ୍ରଦୀପ ମାଝୀ, ଜିଲ୍ଲା ଅଧକ୍ଷ ରୋଦନ ମଲ୍ଲିକ, ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ଜିଲ୍ଲା ପରିଷଦ ଅଧକ୍ଷା ନନ୍ଦିନୀ ମଲ୍ଲିକ, ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ, ମହିଳା ବିଜେଡି ସଭାନେତ୍ରୀ ପୁନମ କଂହର, ବାଲିଗୁଡା ବ୍ଲକ ବିଜେଡି ସଭାପତି ଟୁନା ଦାସ, କ. ନୂଆଗାଁ ବରିଷ୍ଠ ବିଜେଡି ନେତା କୃଷ୍ଣ ପାଣିଗ୍ରାହୀ, କ. ନୂଆଗାଁ ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା, ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ ସାହୁଓ କୋଟଗଡ଼ ବ୍ଲକ ସଭାପତି ଷ୍ଟିଫେନ ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ ।