କନ୍ଧମାଳ ସଂସଦୀୟ କ୍ଷେତ୍ରରେ ରେଳପଥ ନିର୍ମାଣ ନେଇ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର(କେନ୍ୟୁଜ୍) : କନ୍ଧମାଳ ସଂସଦୀୟ କ୍ଷେତ୍ରରେ ରେଳପଥ ନିର୍ମାଣ ନେଇ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ସାକ୍ଷାତ କରି ପୁଣିଥରେ ଦାବି ଉପସ୍ଥାପନ କରିଛନ୍ତି । ଡକ୍ଟର ଅଚ୍ୟୁତ ସାମନ୍ତ ରେଳମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିବା ସହ ଏ ସମ୍ପର୍କିତ ଏକ ଦାବିପତ୍ର ପ୍ରଦାନ କରିଥିଲେ ।
ଏହି ସାକ୍ଷାତକାର ପରେ କନ୍ଧମାଳକୁ ରେଳପଥ ନିର୍ମାଣ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଳମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦାବି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗତ ଜୁଲାଇ ୯ ତାରିଖରେ ରେଲୱେ ଷ୍ଟାଣ୍ଡିଂ କମିଟିର ଯୁଗ୍ମ ସମ୍ପାଦକ ପ୍ରସନ୍ନଜିତ ସିଂହ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ସୁମିତ ଶର୍ମାଙ୍କୁ ଚିଠି ଲେଖି କନ୍ଧମାଳବାସୀଙ୍କ ଦୀର୍ଘ ଦିନର ଦାବି ସଂପର୍କରେ ଅବଗତ କରାଇଥିଲେ ।
ନୂତନ ରେଳମନ୍ତ୍ରୀ ଖୁବ ଶୀଘ୍ର କନ୍ଧମାଳକୁ ରେଳପଥ ସଂଯୋଗ କାର୍ଯ୍ୟ ତ୍ୱରାନ୍ଵିତ କରିବେ ବୋଲି ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଆଶା ପୋଷଣ କରିଛନ୍ତି ।