ଦୁଇ ଦିନିଆ ବୌଦ୍ଧ ଗସ୍ତରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ, ଅସୁସ୍ଥ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରାଙ୍କୁ ଭେଟିଲେ

ଦୁଇଦିନିଆ ବୌଦ୍ଧ ଗସ୍ତରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ ସ୍ଥାନୀୟ ଅଞ୍ଚଳର ସମସ୍ୟା ନେଇ ଆଲୋଚନା କରିଥିଲେ । ଶୁକ୍ରବାର ସକାଳେ ସାଂସଦ ଡ. ସାମନ୍ତ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହ ରୋଗୀଙ୍କ ସହ ସାକ୍ଷାତ କରି ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ଏହି ଅବସରରେ ସେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ, ବୌଦ୍ଧ ଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଏହାସହ ସାଂସଦ ଡ. ସାମନ୍ତ ବୌଦ୍ଧ ଜିଲ୍ଲା ପରିଷଦ ଓ ରୋଗୀ କଲ୍ୟାଣ ସମିତି ବୈଠକରେ ଯୋଗଦେଇଥିଲେ । ପରେ ଡ. ସାମନ୍ତ କଣ୍ଟାମାଳ ବନ୍ୟା ପରିସ୍ଥିତି ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।

ସାଂସଦ ଡ. ଅଚ୍ୟୁତ ସାମନ୍ତ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରାଙ୍କୁ ଭେଟିଛନ୍ତି । ପ୍ରହଲ୍ଲାଦ କିଛି ଦିନ ହେଲା ଅସୁସ୍ଥ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଡ. ସାମନ୍ତ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ଏଥିସହ ପ୍ରହଲ୍ଲାଦଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ତାଙ୍କ କନିଷ୍ଠ ପୁତ୍ର ରୁଦ୍ର ପ୍ରତାପ ବେହେରାଙ୍କ ସହ ବିଚାର ବିମର୍ଶ ମଧ୍ୟ କରିଛନ୍ତି ।.

 

ବୌଦ୍ଧ ଡିଆରଡିଏ କନଫରେନ୍ସ ହଲଠାରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଯୋଗଦେଇଥିଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ଏହି ବୈଠକରେ ବୌଦ୍ଧରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିବା ବେଳେ ଜିଲ୍ଲା ବିଭିନ୍ନ ସମସ୍ୟା ଓ ସମାଧାନ ସଂପର୍କରେ ଆଲୋଚନା ହୋଇଛି । ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ବ୍ୟବସ୍ଥା ନେଇ ତୁରନ୍ତ ପଦକ୍ଷେପ ନେବାକୁ ସାଂସଦ ଡକ୍ଟର ସାମନ୍ତ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍‌ କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ବିଧାୟକ ପ୍ରଦୀପ ଅମାତ, କଣ୍ଟାମାଳ ବିଧାୟକ ମହିଧର ରଣା ପ୍ରମୁଖଙ୍କ ସହ ସମସ୍ତ ଜିଲ୍ଲାପରିଷଦ ଉପସ୍ଥିତ ଥିଲେ । ପରେ ଦଳୀୟ କର୍ମକର୍ତ୍ତାଙ୍କ ସହ ସଂଗଠନ ଓ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ ।

 

Leave A Reply

Your email address will not be published.