ଖରା ଆରମ୍ଭ ନହେଉଣୁ ଦେଖାଗଲାଣି ପାଣି ସମସ୍ୟା, ଗ୍ରାମବାସୀଙ୍କ ଦୁଃଖ ବୁଝୁନି ପ୍ରଶାସନ

ଷ୍ଟାଣ୍ଡ ପୋଷ୍ଟ ଆଗରେ ଲାଗିଛି ମହିଳାଙ୍କ ଲମ୍ବାଧାଡି । ଖରା ଆରମ୍ଭରୁ ପାଣି ସମସ୍ୟା । ତେଲ ନଦୀକୂଳରେ ଥାଇ ସୁଦ୍ଧା ଲୋକଙ୍କ ପିଇବା ପାଣି ସମସ୍ୟା ଉତ୍କଟ ରୂପ ନେଲାଣି । ଦିନେ କି ଦୁଇଦିନ ନୁହେଁ ବର୍ଷ ବର୍ଷ ଧରି ଏଭଳି ପିଇବା ପାଣି ସମସ୍ୟା ଲାଗି ରହିଛି ।  ବସୁଧା ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ ହୋଇଛି ପ୍ରକଳ୍ପ । ଘରକୁ ଘର ସଂଯୋଗ ହୋଇଛି ଷ୍ଟାଣ୍ଡ ପୋଷ୍ଟ ହେଲେ କେତେବେଳେ ପାଣି ଆସୁଛି ତ ଆଉ କେତେବେଳେ ଆସୁନି ପାଣି । ପାଣି ସମସ୍ୟା ଦୂର କରିବା ପାଇଁ ବାରମ୍ବାର ଆନ୍ଦୋଳନ ଓ ଅଭିଯୋଗ ପରେ ବି ଫଳ ଶୂନ । କେଉଁଠି ଗରାଏ ପାଣି ପାଇଁ ନଳକୂପରେ ଲମ୍ବା ଲାଇନ ଲାଗୁଛି ତ କେଉଁଠେ ପାଣି ପାଇଁ ଯିବାକୁ ପଡୁଛି ମାଇଲ ମାଇଲ ଦୂର ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ସଦର ମହକୁମା ହେଡ୍ କ୍ୱାଟର କୌଣସି ଉପାନ୍ତ ଅଂଚଳ ନୁହେଁ । ଏଠି ଦଶହଜାର ରୁ ଉର୍ଦ୍ଧ ପରିବାର ବସବାସ କରୁଥିବାବେଳେ ସେମାନଙ୍କର ପିଇବା ପାଣି ପାଇଁ ବସୁଧା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ତେଲନଦୀ କୂଳରେ ପ୍ରକଳ୍ପ ଅଛି ହେଲେ ପାଣି ସବୁ ପଡାକୁ ପହଞ୍ଚି ପାରୁନାହିଁ । ସବୁ ଦିନ ଘଣ୍ଟେ ଦି ଘଣ୍ଟା ପାଣି ଆସୁଛି ଫଳରେ ପାଣି ପାଇଁ ଅପେକ୍ଷା କରିଥିଲେ ସୁଦ୍ଧା କିଏ ପାଣି ପାଉଛି ତ ଆଉ କେହି ପାଣି ନ ପାଇ ନିରାଶ ହେଉଛି । ପାଣି ଗରାଏ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଶୀତ ଓ ବର୍ଷା ଦିନେ କଷ୍ଟେ ମଷ୍ଟେ ଚଳି ଯାଉଛନ୍ତି ଲୋକେ । କିନ୍ତୁ ବର୍ତ୍ତମାନ ମାର୍ଚ୍ଚ ମାସ ଆରମ୍ଭରୁ ଦେଖା ଦେଲାଣି ଜଳକଷ୍ଟ । ଏନେଇ ପାଣି ପାଇଁ ସକାଳରୁ ସଞ୍ଜ ଯାଏଁ ପାଣି ଗରାଏ ପାଇଁ ଲମ୍ବା ଲାଇନ ଲାଗୁଛି । ପରିସ୍ଥିତି ଏପରି ହୋଇଯାଇଛି ଯେ ପାଣି ପାଇଁ ନିଜ ନିଜ ଭିତରେ କଳି ଝଗଡା ଭଳି ପରିସ୍ଥିତ ମଧ୍ୟ ସୃଷ୍ଟି ହେଉଛି । ବେଳ ଥାଉ ଥାଉ ସୁବିଧା ନ ହେଲେ ଆଗକୁ ଆହୁରି ଖରା ହେବ ତେଣୁ ସମାଧାନ ପାଇଁ ଅଭିଯୋଗ କରିଛନ୍ତି ଗାଁର ମହିଳାମାନେ ।

ପାଣି ସମସ୍ୟା ଆଜି କି କାଲିର ନୁହେଁ ଦୀର୍ଘ ବର୍ଷ ହେବ କଣ୍ଟାମାଳରେ ରହିଆସିଛି ପାନୀୟ ଜଳ ସମସ୍ୟା । ଏହାର ସମାଧାନ ହେଉ ନାହିଁ । ନାମକୁ ମାତ୍ର ପିଇବା ପାଣି ପାଇଁ ଘରକୁ ଘର ସଂଯୋଗ ହୋଇଛି ପାଣି ପାଇପ ହେଲେ ଏଯାଏଁ ପାଣି ଗାଁରେ ପହଞ୍ଚି ପାରି ନାହିଁ । ପାଇପ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଗୁହାରୀ କରିଆସୁଥିଲେ ବି କୌଣସି ସୁଫଳ ମିଳୁନଥିବା କହିଛନ୍ତି ଗ୍ରାମବାସୀ । ବେଳେ ବେଳେ ଦେଢ଼ କିଲୋମିଟର ଦୂରରେ ଥିବା ତେଲନଦୀକୁ ଯାଇ ପାଣି ଆଣନ୍ତି ମହିଳାମାନେ । ସବୁଠାରୁ ବଡ କଥା ହେଲା ବ୍ଲକ ହେଡ୍ କ୍ବାଟର ହୋଇଥିଲେ ବି ପାଣି ସମସ୍ୟାକୁ ବୁଝିବା ପାଇଁ ବ୍ଲକ ବିଡିଓ କି ଜଳ ଯୋଗାଣ ଅଧିକାରୀମାନଙ୍କ ଦେଖା ମିଳେ ନାହିଁ । ପାଣି ପାଇଁ ଗାଁ ଲୋକେ ରାସ୍ତାରୋକ ସହ ଆନ୍ଦୋଳନ କରିଥିଲେ ବି କିଛି ସୁଫଳ ମିଳିନାହିଁ । ଏନେଇ କଣ୍ଟାମାଳ ବ୍ଲକ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ କହିଛନ୍ତି, ପାନୀୟ ଯୋଗାଣ ହେଉ କିମ୍ବା କିଛି ସମସ୍ୟା ହେଉ ତୁରନ୍ତ ପାନୀୟଜଳ ବ୍ୟବସ୍ଥା କରାଯିବ ।