ପୁରୀ: ସରକାରୀ ସହାୟତା ସାତ ସପନ । ନାଁ ଅଛି ମୁଣ୍ଡ ଗୁଞ୍ଜିବାକୁ ନାହିଁ ଚାଳ । ନାଁ ଅଛି ଘରର ସୁରକ୍ଷା ପାଇଁ ମଜଭୁତ ମାଟିକାନ୍ଥ । ଚିରା ପାଲ ମଧ୍ୟରେ ଆବଦ୍ଧ ଘର କଟୁଛି ୫ ଜଣଙ୍କ ଜୀବନ । ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ମାଳମାଳ ଯୋଜନା ଆବାସ ଗୃହ ଠାରୁ ଆରମ୍ଭ କରି ବିଦ୍ୟୁତ, ପିଇବା ପାଣି, ସ୍ୱଚ୍ଛତା ପରିମଳ ଆଦି ଯୋଜନା ପରେ ଯୋଜନା ଥିବା ବେଳେ ଏଠି ସବୁ ସାତ ସପନ ହୋଇଛି କାର୍ତ୍ତିକଙ୍କ ପାଇଁ । ଛିଣ୍ଡା ଜରି ପାଲ ଦ୍ବାରା ଆବନ୍ଧ ଥିବା ଦୁଇ ବଖରା ଘର ମଧ୍ୟରେ ଜୀବନ କାଟୁଛନ୍ତି କାର୍ତ୍ତିକ ଖଟୋଇଙ୍କର ପରିବାର ।
ସରପଞ୍ଚ ଠାରୁ ବିଡିଓ, ତହସିଲଦାର ପାଖକୁ ଦୌଡ଼ି ଦୌଡ଼ି ନିରାଶ ହୋଇ ଗଣମାଧ୍ୟମ ଜରିଆରେ ମାଗିଛନ୍ତି ସାହାଯ୍ୟ । ଆମେ ଦେଖାଉଛୁ ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ କାକଟପୁର ବ୍ଳକ କୁରୁଜଙ୍ଗ ପଞ୍ଚାୟତ ଯମରା ଗାଁର କାର୍ତ୍ତିକ ଖଟୋଇଙ୍କର ଘରର ଦୃଶ୍ୟ । କାର୍ତ୍ତିକ ଜଣେ ଦିନ ମଜୁରିଆ । ୭୫ବର୍ଷର ମା ତାରାମଣି ଖଟୋଇ, ସ୍ତ୍ରୀ ଅନୁଶୟା ଖଟୋଇ ସହ ପୁଅଝିଅ ଧରି ଭଙ୍ଗା କୁଡିଆରେ କାଟୁଛନ୍ତି ଜୀବନ । ସରକାରୀ ସାହାଯ୍ୟ କହିଲେ କେବଳ ରାସନ ଚାଉଳ । କିନ୍ତୁ ଘର ଖଣ୍ଡେ ନଥିବାରୁ ରାତିରେ ଜହ୍ନ ଦିନରେ ସୂର୍ଯ୍ୟ ଆଲୋକ ଦେଖୁଛନ୍ତି କାର୍ତ୍ତିକ ପରିବାର ଲୋକେ ଦିନେ ଖାଇଲେ ଦୁଇବେଳା ଉପବାସ ରହୁଥିବା କୋହଭରା କଣ୍ଠରେ କୁହନ୍ତି କାର୍ତ୍ତିକ ଓ ତାଙ୍କ ସ୍ତ୍ରୀ ।
ଗରିବ ଲୋକମାନଙ୍କ ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାର ସବୁ ସମୟରେ ବିଭିନ୍ନ ଯୋଜନା କରୁଥିବା ବେଳେ ଗତ ୧୯୯୯ ବାତ୍ୟା ରେ କାର୍ତ୍ତିକଙ୍କ ବାପା ମାତ୍ର ୨୨ହଜାର ଟଙ୍କା ଘର ପାଇଁ ପାଇଥିବାରୁ ୨୦୧୯ ରେ କାର୍ତ୍ତିକଙ୍କ ପାଇଁ ଆସିଥିବା ଆବାସ ଗୃହଟି କଟି ଗଲା ପରେ ଅର୍ଥ ଅଭାବରୁ ଘରଟିକୁ ଚାଳ ଛପର କରିପାରିଲେ ନାହିଁ କାର୍ତ୍ତିକ । ଶେଷରେ ଏବେ ସେହି ଭଙ୍ଗା ଘରେ ପଡି ରହିଛନ୍ତି କାର୍ତ୍ତିକ ଓ ତାଙ୍କ ପରିବାର । ଏ ନେଇ କୁରୁଜଙ୍ଗ ସରପଞ୍ଚ କହିଛନ୍ତି, ସେ ଲୋକଟି ନିହାତି ଘର ପାଇବା କଥା ଏବେ ନୂଆ ସରକାର ଆସିଛନ୍ତି ଆବାସ ଗୃହ ଆସିଲେ ପ୍ରଥମେ ତାଙ୍କୁ ଘରଟି ଯୋଗାଇ ଦେବି ।
ବର୍ତ୍ତମାନ ମୁଁ ପଲିଥିନି ଯୋଗାଇ ଦେଉଛି ପଞ୍ଚାୟତ ତରଫରୁ ଯାହା ଯୋଗାଇ ହେବ ମୁଁ ଯୋଗାଇ ଦେବି । ସେପଟେ ଗ୍ରାମବାସୀ ମଧ୍ୟ କାର୍ତ୍ତିକକୁ ସାହାଯ୍ୟ ପାଇଁ ଆମ ମାଧ୍ୟମରେ ଅନୁରୋଧ କରିଛନ୍ତି । ଅପରପକ୍ଷରେ କାକଟପୁର ବିଡ଼ିଓ ଆମ କ୍ୟାମେରା ସମୁଖକୁ ଆସିଲେ ନାହିଁ କି କୌଣସି ଉତ୍ତର ରଖିଲେ ନାହିଁ । ଯଦି କୌଣସି ବ୍ୟକ୍ତି କାର୍ତ୍ତିକ ପରିବାରକୁ ସାହାଯ୍ୟ ପାଇଁ ଚାହୁଛନ୍ତି । ଦୟାକରି 77508 06814 ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ତାଙ୍କ ପରିବାର ।