କାଲିଠୁ କାର୍ତ୍ତିକ ବ୍ରତ ଆରମ୍ଭ, ଚଳିତ ବର୍ଷ ପୁରୀରେ ୨୫ ଶହ ହବିଷ୍ୟାଳିଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ : କାର୍ତ୍ତିକ ବ୍ରତ ପାଇଁ ପୁରୀରେ ହବିଷ୍ୟାଳିଙ୍କ ଭିଡ଼ । ଚଳିତ ବର୍ଷ ୨୫ ଶହ ହବିଷ୍ୟାଳିଙ୍କ ରହିବା, ମହାପ୍ରସାଦ ସେବନ ଓ ଶ୍ରୀମନ୍ଦିର ଦର୍ଶନ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପଞ୍ଜିକରଣ କରିଥିବା ହବିଷ୍ୟାଳି ମାନେ ଆସି ପୁରୀରେ ପହଞ୍ଚିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରତଧାରୀଙ୍କୁ ସ୍ବାଗତ କରାଯାଇ କିଏ କେଉଁ ଶିବିରରେ ରହିବେ, ସେନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯିବ । କାଲିଠାରୁ ଆରମ୍ଭ ହେବ ମହା କାର୍ତ୍ତିକ ବ୍ରତ । ଚଳିତ ବର୍ଷ କାର୍ତ୍ତିକ ବ୍ରତ ପାଳନ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସରକାର ଏକମାସ ଧରି ମାଗଣା ଆବାସ, ଦିନକୁ ଗୋଟିଏ ଓଳି ମହାପ୍ରସାଦ, ପ୍ରତ୍ୟେକ ଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଏବଂ ରାଧା ଦାମୋଦର ପୂଜା ସୁବିଧା ଯୋଗାଇ ଦିଆଯିବ । ଏଥିପାଇଁ ୩୬୫୦ ଶ୍ରଦ୍ଧାଳୁ ଅନ୍‌ଲାଇନ ଯୋଗେ ଆବେଦନ କରିଛନ୍ତି । ହେଲେ ୨୫ ଶହ ଜଣଙ୍କୁ ସୁବିଧା ଦେବେ ରାଜ୍ୟ ସରକାର ।

ହବିଷ୍ୟାଳିଙ୍କ ପାଇଁ ନରେନ୍ଦ୍ରକୋଣ ବୃନ୍ଦାବତୀ ନିବାସ, ବଡ଼ଦାଣ୍ଡରେ ଥିବା ପୁରୁଣା ମହିଳା କଲେଜ କୋଠା, ବଗଲା ଧର୍ମଶାଳା ଏବଂ ମୋଚିସାହି କଲ୍ୟାଣ ମଣ୍ଡପରେ ରହିବା ବ୍ୟବସ୍ଥା କରାଯାଇଛି । ସେସବୁ ସ୍ଥାନରେ ଅଭ୍ୟର୍ଥନା କେନ୍ଦ୍ର, ପୁଲିସ ସହାୟତା କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ର, ଅଗ୍ନି ନିରାପତ୍ତା ଶିବିର ଖୋଲାଯିବ । ନିରବଚ୍ଛିନ୍ନ ବିଦ୍ୟୁତ୍ ଏବଂ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି ।

ସେହିପରି କାଲିଠୁ କେବଳ ସିଂହଦ୍ବାର ଓ ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ରହିଛି । କାର୍ତ୍ତିକ ମାସରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିରକୁ କେବଳ ସିଂହଦ୍ବାର ଓ ପଶ୍ଚିମଦ୍ବାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ। କାଲିଠାରୁ ଏହି ନିୟମ ଲାଗୁ ହେବ। ସିଂହଦ୍ବାର ବ୍ୟତୀତ ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ କରିପାରିବେ ଶ୍ରଦ୍ଧାଳୁ । ସିଂହଦ୍ବାର ଦେଇ ପ୍ରସ୍ଥାନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ତେବେ ଏହି ବ୍ୟବସ୍ଥା ସେବକ ଓ ପରିବାର ସଦସ୍ୟଙ୍କ ପାଇଁ ଲାଗୁ ହେବ ନାହିଁ।

 

You might also like