ପାଖେଇ ଆସିଲାଣି ମହାକାର୍ତ୍ତିକ, ଅକ୍ଟୋବର ପ୍ରଥମ ସପ୍ତାହରୁ ହବିଷ୍ୟାଳିଙ୍କ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ପୁରୀ: ପାଖେଇ ଆସିଲାଣି ମହାକାର୍ତ୍ତିକ । ଶ୍ରୀକ୍ଷେତ୍ରରେ ବ୍ରତ ପାଳିବେ ହବିଷ୍ଯାଳୀ । ଶ୍ରୀକ୍ଷେତ୍ରରେ ରହି କରିବେ ରାଇଦାମୋଦର ବ୍ରତ । ଏଥିପାଇଁ ଅକ୍ଟୋବର ପ୍ରଥମ ସପ୍ତାହରୁ ହବିଷ୍ୟାଳିଙ୍କ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଚଳିତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେବ ହବିଷ୍ୟାଳୀ ଯୋଜନା । ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ଅନୁମୋଦନ ମିଳିସାରିଛି । ସମସ୍ତ ବିଭାଗ ସହ ଆଲେଚନା କରାଯାଇଛି । ହବିଷ୍ୟାଳୀଙ୍କ ପାଇଁ ଏହି ଯୋଜନାରେ ସମସ୍ତ ସୁବିଧା ରହିବ । ଅକ୍ଟୋବର ମାସ ୧୮ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ। ଶ୍ରୀକ୍ଷେତ୍ରରେ ପ୍ରାୟ ୨୫୦୦ ହବିଷ୍ୟାଳୀଙ୍କ ପାଇଁ ବ୍ୟବସ୍ଥା କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ।

ପୂର୍ବ ସରକାରଙ୍କ ସମୟରେ ଦୁଇ ବର୍ଷ ଧରି ହବିଷ୍ୟାଳୀ ଯୋଜନା ସଫଳତାର ସହ କରାଯାଇଥିଲା । ଅକ୍ଟୋବର ପ୍ରଥମ ସପ୍ତାହରୁ ଅନଲାଇନ ପଞ୍ଜିକରଣ ଆରମ୍ଭ ହେବ। ପୂର୍ବରୁ ଆସିଥିବା ହବିଷ୍ୟାଳୀଙ୍କ ସହ ନୂଆ ହବିଷ୍ୟାଳୀ ଏହି ଯୋଜନାରେ ସାମିଲ ହେବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ହବିଷ୍ୟାଳୀ ଯୋଜନାରେ ମାଆ ମାନଙ୍କ ରହଣୀ, ସେମାନଙ୍କ ପୂଜାର୍ଚ୍ଚନା, କାର୍ତ୍ତିକ ବ୍ରତ ପାଳନ, ତୀର୍ଥ ପୁଷ୍କରିଣୀରେ ସ୍ନାନ, ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯିବ । ମହାଧାର୍ମିକ କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କ ସହ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ସମ୍ଭାବନା ଥିବାରୁ ଶ୍ରୀମନ୍ଦିରର ଭିଡ ନିୟନ୍ତ୍ରଣ ତଥା ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ। ହବିଷ୍ୟାଳୀଙ୍କୁ ମହାପ୍ରସାଦ ଯୋଗାଇବା ପାଇଁ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like