ଭଞ୍ଜନଗର: ଯେଉଁ ଫୁଲକୁ ଦେଖି, ପ୍ରଥମେ ଖୁସି ଅନୁଭବ କରୁଥିଲେ ଅଞ୍ଚଳବାସୀ, ଏବେ କିନ୍ତୁ ତାହା ଦୁଃଖର କାରଣ ପାଲଟିଛି । ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକର ଅଧିକାଂଶ ପଞ୍ଚାୟତରେ ଦେଖାଦେଇଛି ଏଭଳି ପରିସ୍ଥିତି । କାହିଁକି ଏବଂ କେମିତି ସୃଷ୍ଟି ହେଲା?
ହସୁଛି, କାଶତଣ୍ଡି । ଦୁଃଖ ପାଉଛନ୍ତି, ଅଞ୍ଚଳବାସୀ । ଯାହାକୁ ନେଇ କବି ଓ ଭାବୁକଙ୍କ ମନରେ ନୂଆ ଭାବନା ସୃଷ୍ଟି ହୁଏ, ତାହାକୁ ନେଇ ପ୍ରଭାବିତ ହେଉଛି ଲୋକଙ୍କ ଜୀବନ ଓ ଜୀବିକା । ଗଲା ଏକ ଦଶନ୍ଧି ଧରି, ଏଭଳି ଅସ୍ଵଭାବିକ ପରିସ୍ଥିତି । ଏ ହେଉଛି, ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଅଧିକାଂଶ ପଞ୍ଚାୟତର ଦୃଶ୍ୟ । ୨୦୧୩ ଫାଇଲିନ୍ ସମୟରେ ଏଠାକାର ବଡନଦୀରେ ବନ୍ୟାପାଣି ଆସି, ବଲାଡି, ଇଙ୍ଗିନାଠି, ରତଙ୍ଗ, ସାରିଆପଲ୍ଲୀ ଓ ଉସ୍ତପଲ୍ଲୀ ପ୍ରଭୁତି ଗାଁର ଶହଶହ ଏକର ଚାଷଜମି ବାଲିଚର ହୋଇଗଲା । ପରେ ପରେ ବାଲିଚର ଜମି ଗୁଡିକ କାଶତଣ୍ଡି ଗଛରେ ଭର୍ତ୍ତି ହୋଇଗଲା । ଜୁଆଡେ ଚାହିଁବ କୃତ୍ରିମ ଜଙ୍ଗଲ । ବାରହା, ଭାଲୁ ଭଳି ବନ୍ୟଜନ୍ତୁଙ୍କ ଆଶ୍ରୟସ୍ଥଳୀ ପାଲଟିଗଲା । ଗୋଟିଏ ପଟେ, ନିଜ ଜମିକୁ ହରାଇ ଚାଷୀଙ୍କ ଜୀବିକା ଉଜୁଡିଗଲା । ଅନ୍ୟପଟେ ହିଂସ୍ରଜନ୍ତୁଙ୍କ ଭୟରେ ସାଧାରଣ ଲୋକଙ୍କୁ ଜୀବନ ବିତାଇବାକୁ ପଡିଲା ।
କେବଳ ସେତିକି ନୁହେଁ, ଏହି ବ୍ଳକ ଦେଇ ଯାଇଥିବା ବିଭିନ୍ନ ନଦୀ ସମେତ ବଡନଦୀରେ ମଧ୍ୟ କାୟା-ବିସ୍ତାର କଲା କାଶତଣ୍ଡି ଗଛ । ଧିରେ ଧିରେ ପୋତି ହେବାକୁ ଲାଗିଲା ନଦୀ-ଶଯ୍ୟା । ପ୍ରଭାବିତ ହେଲା ବନ୍ୟାପାଣି ପ୍ରବାହ । ଅଧିକାଂଶ ସ୍ଥାନରେ ନଦୀର ହିଡ ଭାଙ୍ଗି ଗାଁ-ଗଣ୍ଡା ଓ ଚାଷଜମିରେ ପଶିଲା ବନ୍ୟାପାଣି ।
ସେହିଭଳି କାଶତଣ୍ଡି ଗଛ ଯୋଗୁଁ, ପାଞ୍ଚଟି ପଞ୍ଚାୟତର ଦୁଃଖ ପାଲଟିଛି “କାଳିଆମ୍ବା ନାଳ” । ଜଳସେଚନର ମାଧ୍ୟମ ସାଜିଥିବା ଏହି ନାଳକୁ ନେଇ ପ୍ରଭାବିତ ହୋଇଛି ସଂପୃକ୍ତ ବ୍ଳକର ବଡବୋରସିଙ୍ଗି, ଶାସନ, କ୍ଷତ୍ରିୟବରପୁର, ଗୋବରା ଓ ବେଣିପଲ୍ଲୀ ପଞ୍ଚାୟତର ଅଧିକାଂଶ ଗାଁ । ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ଜଣାଇ ଆସୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ଏବଂ ଜନପ୍ରତିନିଧି । ହେଲେ ପ୍ରତିକାର, ଶୂନ । ତେବେ ଏସଂକ୍ରାନ୍ତରେ ଆସନ୍ତା ଦିନରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି, ଭଂଜନଗର ଉପଜିଲ୍ଲାପାଳ । ଏବେ ଏହି କାଶତଣ୍ଡି ଗଛକୁ ନେଇ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ସାଙ୍ଗକୁ ଚାଷୀ ଏବଂ ଲୋକଙ୍କ ସ୍ୱାର୍ଥକୁ, ପ୍ରଶାସନ ଗୁରୁତ୍ୱ ଦେବା ଜରୁରୀ ହୋଇପଡିଛି ।