ରାଜରାସ୍ତାରେ କାଉଡ଼ିଆଙ୍କ ଉତ୍ତେଜନା, ଡିଜେ ବନ୍ଦ କରିବାକୁ କହିବାରୁ କଲେ ଏମିତି

ରାଉରକେଲା: ଆଜି ହେଉଛି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । କାଉଡ଼ିଆମାନେ ନାଚି ଗାଇ ଶିବ ମନ୍ଦିରକୁ ଯାଉଛନ୍ତି । ଏହାରି ଭିତରେ କିଛି କାଉଡ଼ିଆ ଡିଜେ ଲଗାଇ ନାଚି ନାଚି ଯାଉଥିଲେ । କିନ୍ତୁ ସୁରକ୍ଷା ଦୃଷ୍ଟିରୁ ପୋଲିସ୍ କାଉଡ଼ିଆଙ୍କୁ ଡିଜେ ବନ୍ଦ କରିବାକୁ ପରାମର୍ଶ ଦେଇଥିଲା । ଡିଜେ ବାଦ୍ୟକୁ ନେଇ ପୋଲିସର ପ୍ରତିବାଦରେ ଉତ୍ତେଜିତ ହୋଇଥିଲେ ଉପସ୍ଥିତ ଥିବା ସମସ୍ତ କାଉଡ଼ିଆ । ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଉତ୍ତେଜନା ଆରମ୍ଭ ହୋଇଯାଇଥିଲା । ଉତ୍ତେଜନା ଏତେ ବଢ଼ିଲା ଯେ ପୋଲିସ ଡିଜେ ଗାଡ଼ି ଥାନାକୁ ନେବା ସହ କିଛି କାଉଡ଼ିଆଙ୍କୁ ଅଟକ ରଖିଥିଲା । ତେବେ ଆସନ୍ତୁ ଜାଣିବା ପୂରା ଘଟଣା କଣ ।
ମହାଦେବଙ୍କୁ ଜଳଲାଗି ପାଇଁ ଦଳ ଦଳ ହୋଇ କାଉଡ଼ିଆ ବ୍ରାହ୍ମଣୀ ତରଙ୍ଗ ଥାନା ଅର୍ନ୍ତଗତ ବେଦବ୍ୟାସକୁ ଯାଉଥିବାବେଳେ ଗତକାଲି ବିଳମ୍ବିତ ରାତିରେ ବ୍ରାହ୍ମଣୀ ତରଙ୍ଗ ଥାନା ନିକଟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଜାତୀୟ ରାଜପଥ ୧୪୩ ଓ ରାଉରକେଲା – ସମ୍ବଲପୁର ରାଜ୍ୟ ରାଜପଥ -୧୦ ଦେଇ ଭାରିଯାନ ଚଳାଚଳରେ ବାଧା ସୃଷ୍ଟି ହେବା ଆଶଙ୍କାରେ କାଉଡ଼ିଆମାନଙ୍କ ସୁରକ୍ଷା ପାଇଁ ଉପସ୍ଥିତ ପୋଲିସ୍ ଘଟଣାସ୍ଥଳରେ କାଉଡ଼ିଆ ମାନଙ୍କୁ ଡିଜେ ବନ୍ଦ କରି ଛୋଟ ଛୋଟ ଗ୍ରୁପରେ ଯିବାକୁ ପରାମର୍ଶ ଦେଇଥିଲା।
ହଠାତ୍ ପୋଲିସ୍ ର ଏଭଳି ପରାମର୍ଶକୁ ନେଇ ଘଟଣାସ୍ଥଳରେ ସୃଷ୍ଟି ହୋଇଥିଲା ଉତ୍ତେଜନା । କାଉଡ଼ିଆମାନଙ୍କ ପକ୍ଷରୁ ପୋଲିସକୁ ପ୍ରତିବାଦ ଜଣାଇ ରାସ୍ତା ଅବରୋଧ ପାଇଁ ପଦକ୍ଷେପ ନେବାକୁ ଯାଉଥିବା ବେଳେ ପୋଲିସ ଘଟଣାସ୍ଥଳରୁ ଡିଜେ ଗାଡ଼ିକୁ ଥାନାକୁ ନେଇଯାଇଥିଲା । ଅନ୍ୟପଟେ କିଛି କାଉଡ଼ିଆମାନଙ୍କୁ ମଧ୍ୟ ଥାନାରେ ଅଟକ ରଖି ପରବର୍ତ୍ତୀ ସମୟରେ ଛାଡ଼ି ଦେଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଥାନାରେ କୌଣସି ମାମଲା ରୁଜୁ କରାଯାଇନଥିବା ଜଣାପଡିଛି ।
ଶହ ଶହ କାଉଡ଼ିଆ ରାସ୍ତାରେ ଯାଉଥିବା ସମୟରେ କୌଣସି ଦୁର୍ଘଟଣା ନହେଉ ସେନେଇ ପୋଲିସ କାଉଡ଼ିଆଙ୍କୁ ପରାମର୍ଶ ଦେଇଥିଲା । ଏପରିକି ଡିଜେର ଉଚ୍ଚ ଶବ୍ଦ ନିକଟସ୍ଥ ଲୋକଙ୍କ ପାଇଁ ବିପଜ୍ଜନକ ତେଣୁ ଡିଜେକୁ ବନ୍ଦ କରିବା ପାଇଁ ପୋଲିସ କହିଥିଲା । କିନ୍ତୁ କାଉଡ଼ିଆମାନେ ପୋଲିସ କଥା ନମାନି ଓଲଟା ଉତ୍ତେଜନା କରିବା ଆରମ୍ଭ କରିଥିଲେ ।
ମହାଦେବଙ୍କ ଉପରେ ଜଳ ଲାଗି କରିବା ପାଇଁ କାଉଡ଼ିଆମାନେ ବିଭିନ୍ନ ଶୈବପୀଠକୁ ଯାଉଛନ୍ତି । ଏହି ସମୟରେ ଅନେକ ଦୁର୍ଘଟଣାର ଖବର ଆସୁଛି । ଏ ସବୁକୁ ଦୃଷ୍ଟିରେ ରଖି ପ୍ରଶାସନ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛି । କିନ୍ତୁ କିଛି ଅମାନିଆ କାଉଡ଼ିଆ କିଛି ବି ମାନୁ ନାହାନ୍ତି । ଯାହା ଫଳରେ ପୋଲିସ ଏମିତି ପଦକ୍ଷେପ ନେବା ପାଇଁ ବାଧ୍ୟ ହେଉଛି ।