ବାସୁଦେବପୁରର ସୁନା ପୁଅ କୌଶିକ, ଆଇଆଇଟି ପ୍ରବେଶିକା ପରୀକ୍ଷାରେ ପାଇଲେ ସଫଳତା

ଆଇଆଇଟି ପ୍ରବେଶିକା ପରୀକ୍ଷା ସର୍ବ ଭାରତରେ ୯ ନଂ ରେଙ୍କ ହାସଲ କରିଛନ୍ତି କୌଶିକ । ଏକ ସାଧାରଣ ପରିବାରର ପୁଅ ଆଜି ଗାଁ ପାଇଁ ଆଣିଛି ଗୌରବ । ଦୃଢ଼ ଇଛାଶକ୍ତି ଆଗରେ ସବୁ କିଛି ସମ୍ଭବ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି କୌଶିକ । ଏହି ଖୁସି ଖବର ଗାଁରେ ପହଞ୍ଚିବା ପରେ ଚାରିଆଡ଼େ ଖେଳି ଯାଇଛି ଖୁସିର ଲହରୀ । କୌଶିକଙ୍କ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ ।
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତ ପାନପୁର ଗାଁର ପୁଅ କୌଶିକ କୁଶଳ ଭୋଇ । ଆଇଆଇଟି ପ୍ରବେଶିକା ପରୀକ୍ଷାରେ ସର୍ବ ଭାରତରେ ୯ ନଂ ରେଙ୍କ ପାଇ ଆଜି ନିଜ ଗାଁ ଭେଡା ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି । ସେଥିପାଇଁ ବହୁତ ଖୁସି ଅଛନ୍ତି ଗ୍ରାମବାସୀ । ବାସୁଦେବପୁର ବ୍ଲକର ବାଲିମେଦ ପଞ୍ଚାୟତ ପାନପୁର ଗାଁର ବାପା ମାନସ ରଂଜନ ଭୋଇ ଓ ମାଆ ଦୀପ୍ତି ମଂଜରୀ ଭୋଇଙ୍କ ବଡ ପୁଅ କୌଶିକ୍କୁଶଳ ଭୋଇ(କାହ୍ନା) । ମାନସ ଦୀର୍ଘ ୨୦ ବର୍ଷ ହେବ ଝାଡଖଣ୍ଡ ଜାମସେଦପୁର ଅଞ୍ଚଳରେ ଏକ ପ୍ରାଇଭେଟ୍ କମ୍ପାନୀରେ ଏଚଆର ମୁଖ୍ୟ ଭାବେ କାର୍ଯ୍ୟ କରନ୍ତି । ସେହି ଜାମସେଦପୁରରେ କାହ୍ନା ପାଠ ପଢିବା ସହିତ ୟୁସିଇଇଡି ଓ ଡିଜାଇନ୍ ପାଇଁ ଭୁବନେଶ୍ବରରେ ସ୍ନାତକ ସାଧାରଣ ପ୍ରେବଶିକା ପରୀକ୍ଷା ଦେଇଥିଲେ । ସର୍ବଭାରତୀୟ ସ୍ଥରରେ ୧୫ ହଜାର ୪୦୮ ଜଣ ପରୀକ୍ଷା ଦେଇଥିଲେ । ସେହି ପରୀକ୍ଷାରେ ମାତ୍ର ୫,୩୦୦ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିଲେ । ଆଉ ସମସ୍ତ ପିଲାଙ୍କ ମଧ୍ୟରୁ ସର୍ବଭାରତୀୟ ସ୍ତରରେ କାହ୍ନା ୯ ନମ୍ୱର ରେଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କାହ୍ନା ଆଗାମୀ ଦିନରେ ନିଜ ପ୍ରତିଭାକୁ କେବଳ ଓଡ଼ିଶା କି ଦେଶ ନୁହେଁ ସମଗ୍ର ବିଶ୍ବରେ ପ୍ରକାଶ କରିବାକୁ ଚାହୁଁଛନ୍ତି । ସମସ୍ତ ଅସୁବିଧାକୁ ଡିଜାଇନ୍ ମାଧ୍ୟମରେ ସମାଧାନ କରି ଜଣେ ସଫଳ ଡିଜାଇନର ଭାବେ ନାମ ରଖିବାକୁ ଚାହୁଁଛନ୍ତି କାହ୍ନା ।
କାହ୍ନା ମ୍ୟାଟ୍ରିକରେ ୯୫ ପ୍ରତିଶତ ନମ୍ୱର ରଖିଥିବା ବେଳେ ଯୁକ୍ତ ଦୁଇ ବିଜ୍ଞାନରେ ୭୫ ପ୍ରତିଶତ ନମ୍ୱର ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ଏହି ସଫଳତା ପଛରେ ପରିବାର ବର୍ଗଙ୍କ ସମେତ ସାଙ୍ଗସାଥି ଓ ଗୁରୁ ରହିଛନ୍ତି । କାହ୍ନାଙ୍କ ଏପରି ସଫଳତା ଖବର ପାଇ ବାଲିମେଦ ସମେତ ସାରା ବାସୁଦେବପୁର ଅଞ୍ଚଳବାସୀ ତାଙ୍କୁ ସାଧୁବାଦ ଜଣାଇଛନ୍ତି ।
କଥାରେ ଅଛି ପରିଶ୍ରମର ଫଳ ନିଶ୍ଚୟ ମିଳିଥାଏ । ଆପଣ କର୍ମ କରିଚାଲନ୍ତୁ ଦେଖିବେ ଫଳ ଆପଣ ନିଶ୍ଚୟ ପାଇବେ । ଦୃଢ଼ ଇଚ୍ଛା ଶକ୍ତି ହିଁ ମଣିଷର ସବୁଠାରୁ ବଡ ସମ୍ପତି । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି କୌଶିକ ।
Also Read: ଆଖିରେ ଆଲୋକ ନଥାଇ ମଧ୍ୟ ନିଜ ମାଟି ପାଇଁ ଗୌରବ ଆଣିଛନ୍ତି ଚନ୍ଦନ