କେନ୍ଦ୍ରାପଡ଼ାରେ ପୁଣି ଏନକାଉଣ୍ଟର : ଗ୍ୟାଙ୍ଗଷ୍ଟର ଟିଟୋର ମୁଖ୍ୟ ସହଯୋଗୀ ଗୋଡରେ ବାଜିଲା ଗୁଳି

କେନ୍ଦ୍ରାପଡ଼ା : ଗ୍ୟାଙ୍ଗଷ୍ଟର ଟିଟୋର ମୁଖ୍ୟ ସହଯୋଗୀ ତଥା ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ଓରଫ ଭବାନୀ ଶଙ୍କର ସାହୁ ଆହତ ହୋଇଛି । ବାବୁର ଡାହାଣ ଗୋଡରେ ଗୁଳି ବାଜିଛି । ପ୍ରଥମେ ତାକୁ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କେନ୍ଦ୍ରାପଡା ସ୍ପେଶାଲ ସ୍କ୍ଵାର୍ଡ ଓ ଟାଉନ ପୋଲିସ ଏହି ଏନକାଉଣ୍ଟର କରିଛି ।

ଆଜି ଭୋର ୩ଟା ୪୫ ମିନିଟରେ କେନ୍ଦ୍ରାପଡା ସ୍ପେଶାଲ ସ୍କ୍ଵାର୍ଡ ଓ ଟାଉନ ପୋଲିସ ରାତିରେ ପେଟ୍ରୋଲିଂ କରୁଥିବା ବେଳେ ବାବୁ ପାରାଦ୍ୱୀପରୁ ଗାଡିରେ ଛଘରିଆ- ଇଛାପୁର ରାସ୍ତାର କଲଭର୍ଟ ନିକଟରେ ଫେରୁଥିଲା । ଏହି ସମୟରେ ପୋଲିସ ତାକୁ ଅଟକାଇଥିଲା । ଏହି ସମୟରେ ବାବୁ ପୋଲିସ ଉପରକୁ ଗୁଳିଚାଳନା କରିଥିଲା । ଜବାବରେ ପୋଲିସ ଟିମ ବାବୁ ଉପର ଆଣ୍ଠୁ ଉପରକୁ ଦୁଇ ରାଉଣ୍ଡ ଗୁଳିଚାଳନା କରିଥିଲେ । ବାବୁ ପାଖରୁ ନମ୍ବର ବିହୀନ ଗାଡି ସହ ମାଉଜର ଓ ୪ ରାଉଣ୍ଡ ଗୁଳି ଜବତ ହୋଇଛି । ବାବୁ ନାଁରେ କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକ ସମେତ ବିଭିନ୍ନ ଥାନାରେ ହତ୍ୟା, ଗୁଳିମାଡ, ଦାଦାବଟି, ଟେଣ୍ଡର ଫିକ୍ସି, ବୋମାମାଡ ଭଳି ୫୦ରୁ ଅଧିକ ମାମଲା ରହିଛି । ପାଞ୍ଚ ବର୍ଷ ହେଲା ବାବୁ ଫେରାର ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.