କଟକ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡାର ଅତିରିକ୍ତ ସିଭିଲ ସପ୍ଲାଏ ଅଫିସର ପ୍ରଦୀପ ମହାପାତ୍ର ଗିରଫ । ଭୁବନେଶ୍ବର ଓ କଟକରେ ତାଙ୍କର ଦୁଇଟି ବିଲ୍ଡିଂ ରହିଛି । ଟ୍ବିନ୍ ସିଟିରେ ରହିଛି ଦୁଇଟି ଦାମୀ ପ୍ଲଟ୍ । ରେଡ୍ ବେଳେ ୮୫୦ ଗ୍ରାମ ସୁନା, ଦୁଇ କୋଟି ୮୬ ଲକ୍ଷ ଟଙ୍କାର ଜମା ରାଶି ଏବଂ ୧ ଲକ୍ଷ ୨୧ ହଜାର ଟଙ୍କାର ନଗଦ କ୍ୟାସ୍ ଜବତ ହୋଇଛି ।
ଗତକାଲି ତାଙ୍କ ଘର ଓ ଅଫିସ ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରାଯାଇଥିଲା । କଟକ କଲ୍ୟାଣୀନଗରରେ ଥିବା ଏକ ମହଲା ଘର, ଭୁବନେଶ୍ବର ଲିଙ୍ଗିପୁରରେ ଥିବା ୨ ମହଲା ଘର ସମେତ କେନ୍ଦ୍ରାପଡା ସିଏସଓ ଅଫିସ ଓ କଟକ ନୂଆପଡାର ପୈତୃକ ଘରେ ରେଡ୍ କରାଯାଇଥିଲା । ଚଢ଼ାଉରେ ୪ ଜଣ DSP, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓ ୫ ଜଣ ଇନ୍ସପେକ୍ଟର ସାମିଲ ଥିଲେ ।
ସେହିପରି ଆଜି ଯାଜପୁର CT&GST ଆସିଷ୍ଟାଣ୍ଟ କମିସନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ବର, ଖୋର୍ଦ୍ଧା ସମେତ ୫ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ସରକାରୀ ଟିକସ ହେରଫେର ଅଭିଯୋଗରେ ରେଡ ଚାଲିଛି । ୫ ଲକ୍ଷ ୮୫ ହଜାର ଟଙ୍କାର ହେରଫେର ଅଭିଯୋଗ ହୋଇଛି । ରେଡରେ ଭିଜିଲାନ୍ସ ବିଭାଗର ୨୫ କର୍ମୀ ସାମିଲ ଅଛନ୍ତି ।