ପିଲାଟି ବେଳୁ କିଛି କହିପାରନ୍ତିନି କି ଶୁଣିପାରନ୍ତିନି ତଥାପି ପଦକ ଜିତିଲେ ଲୋମା

କେନ୍ଦ୍ରାପଡ଼ା: ପିଲାଟି ବେଳୁ ନା ସେ କଥା କହିପାରୁଛି ନା ସେ ଶୁଣି ପାରୁଛି ।ମାତ୍ର ତା ପାଇଁ ଆଜି ଦେଶ ଗର୍ବିତ । ଗାଁ ମାଟିର ଝିଅ ଆଜି ବଶ୍ଵ ଦରବାରରେ ଭାରତମାତାର ନାଁ ରଖି ନିଜ ଜନ୍ମ ମାଟିକୁ ଫେରୁଛି । ଗାଁ ଲୋକଙ୍କ ପାଦ ତଳେ ଲାଗୁନି, ଗାଁ ଦାଣ୍ଡରେ ବାଜା ବଜାଇ, ବାଣ ଫୁଟାଇ ରୋଷଣୀ କରି ସେହି ମୁକ, ବଧିର ଝିଅଟିକୁ ପୁଷ୍ପ ପକାଇ ଦୀପ ଲଗାଇ ତାକୁ ବନ୍ଦାପନା କରି ଆର୍ଶୀବାଦ ପ୍ରଦାନ କରୁଛନ୍ତି ଏବଂ ତାର ଭବିଷ୍ୟତ ଉଜ୍ବଳମୟ ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଭୁତମୁଣ୍ଡାଇ ଗାଁରେ ଖେଳି ଯାଇଛି ଖୁସିର ଲହରୀ ।

ହଁ ଆଜ୍ଞା ଆମେ କହୁଛୁ ଭୁତମୁଣ୍ଡାଇ ଗାଁର ସଂଜୟ ସ୍ଵାଇଁ ଏବଂ ଜେ୍ୟାର୍ତିମୟୀ ସ୍ଵାଇଁ ଙ୍କ ୧୪ବର୍ଷିୟା ମୁକ, ବଧିର ଝିଅ ଲୋମା ସ୍ଵାଇଁଙ୍କ କଥା ।ଜାପାନର ଟୋକିଓ ଠାରେ ଅନୁଷ୍ଠିତ ହୋଇଥିବା ୨୫ତମ ଗ୍ରୀଷ୍ମ କାଳୀନ ଡିଫ୍ ଅଲମ୍ପିକ ୨୦୨୫ରେ କରାଟେ ପ୍ରତିଯୋଗିତାରେ ୫୪ କେଜି ବର୍ଗରେ ବ୍ରୋଞ୍ଚ ପଦକ ହାସଲ କରି ସମଗ୍ର ଦେଶକୁ ଗୌରାବାନ୍ୱିତ କରିଛନ୍ତି ।

ନିଜର କଠିନ ପରିଶ୍ରମ, ଦୃଢ ଇଚ୍ଛାଶକ୍ତି ଏବଂ ଏକାଗ୍ରତା ବଳରେ ଲୋମା ହାସଲ କରିଛି ଏହି ସଫଳତା, ଯାହା ଆଗାମୀ ପିଢି ପାଇଁ ପ୍ରେରଣାର ଉତ୍ସ ପାଲଟିଛି । ପିଲାଟି ବେଳୁ କିଛି କହିବା କିମ୍ୱା କିଛି ଶୁଣିବା ଲୋମା ପାଇଁ ଥିଲା କଷ୍ଟସାଧ୍ୟ । ହେଲେ ସେ ଭାଙ୍ଗିପଡ଼ିନଥିଲେ । ନିଜ ଗାଁ ଭୁତମୁଣ୍ଡାଇରେ ଶିଶୁ ବିଦ୍ୟାମନ୍ଦିରରେ ପାଠ ପଢା ଆରମ୍ଭ କରିଥିଲା ଲୋମା ।ପରବର୍ତ୍ତୀ ମୁହୂର୍ତ୍ତରେ ଭୁତମୁଣ୍ଡାଇ ଠାରେ ପାରାଦୀପ ହାଇସ୍କୁଲରେ ପିଲାଟି ବେଳୁ ପାଠ ପଢା ସହିତ ବିଭିନ୍ନ ଖେଳରେ ଭାଗ ନେଇ ଚମ୍ପିୟାନ ହେଉଥିଲା ଲୋମା । ଜିଲ୍ଲା ସ୍ତରରେ ଏବଂ ରାଜ୍ୟ ସ୍ତରରେ ବିଭିନ୍ନ ଖେଳରେ ଭାଗ ନେଇ ପୁରସ୍କାର ପାଇଥିଲା ଲୋମା ।

ଲୋମାକୁ ଭଲ କରିବା ପାଇଁ ବାପା, ମା ବିଭିନ୍ନ ମେଡିକାଲକୁ ନେଇ ଚିକିତ୍ସା କରିବା ସହିତ ଭଗବାନଙ୍କ ନିକଟରେ ଅନେକ ପୂଜାର୍ଚ୍ଚନା କରିଥିଲେ ମାତ୍ର କୌଣସି ସୁଫଳ ନ ମିଳିବାରୁ ଶେଷରେ ତା ଭବିଷ୍ୟତ ତା ହାତରେ ଛାଡିଦେଇଥିଲେ । ଶେଷରେ ବଣମଲ୍ଲୀ ପ୍ରସ୍ପୁଟିତ ହେବା ଭଳି ଲୋମାର ପିଲାଟି ବେଳୁ କ୍ରୀଡା କ୍ଷେତ୍ରରେ ଅଦମ୍ୟ ଇଛାଶକ୍ତି ଥିବାର ଦେଖିବାକୁ ପାଇଥିଲେ ବାପା ସଂଜୟ ସ୍ଵାଇଁ । ଶେଷରେ ତାକୁ ଭୂବନେଶ୍ଵରରେ ଥିବା ଉତ୍କଳ କରାଟେ ସ୍କୁଲ ର କୋଚ ଡ.ହରିପ୍ରସାଦ ପଟ୍ଟନାୟକ ସାରଙ୍କ ପାଖରେ କରାଟେ ଉପରେ ଶିକ୍ଷା ଲାଭ ପାଇଁ ଛାଡିଆସିଥିଲେ । ପରେ ସାଧାରଣ ବର୍ଗରେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କାର ପାଇଥିଲେ ।

କୋଚଙ୍କ ସହଯୋଗରେ ଲୋମାକୁ ଜାପାନର ଟୋକିଓରେ ଅନୁଷ୍ଠିତ ୨୫ ତମ ଡିଫ୍  ଅଲମ୍ପିକରେ ୫୦କେଜି ବର୍ଗରେ ସ୍ଥାନ ମିଳିଥିଲା । ଲୋମା ନିଜର କ୍ରୀଡା ପ୍ରଦର୍ଶନ କରି ଶେଷରେ ବ୍ରାଜିଲର ପ୍ରତିଯୋଗିଙ୍କୁ ହରାଇ ବ୍ରୋଂଚ ପଦକ ହାସଲ କରିଥିଲେ ।ଏବେ ଲୋମାଙ୍କୁ ସ୍ଵାଗତ କରିବା ପାଇଁ ସୁଦୁର ଜାପାନର ଟୋକିଓରୁ ଲମ୍ୱିଛି ଭୂତମୁଣ୍ଡାଇ ଗାଁ ପର୍ଯ୍ୟନ୍ତ । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପାଖରୁ ଆରମ୍ଭ କରି ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ନିଜ ଟୁଇଟର ହ୍ୟାଣ୍ଡଲ ‘X’ ରେ ପୋଷ୍ଟ କରିଛନ୍ତି ।ନିଜର ଜନ୍ମମାଟିରେ ପହଞ୍ଚିବା ପରେ ସ୍ଥାନୀୟ ଅଂଚଳବାସୀ ଗାଁର ସୁନାଝିଅକୁ ବନ୍ଦାପନା କରି ସଫଳତା କାମନା କରିଛନ୍ତି ।

ଲୋମା ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ଯଦି ସରକାରଙ୍କ ତରଫରୁ ଲୋମାକୁ ଆହୁରି ପ୍ରଶିକ୍ଷଣ ଦିଆଯାଆନ୍ତା ତେବେ ନିଶ୍ଚିନ୍ତ ରୂପେ ଲୋମା ପୁନର୍ବାର ଦେଶ ପାଇଁ ସ୍ଵର୍ଣ୍ଣପଦକ ହାସଲ କରିପାରନ୍ତା ବୋଲି ଆଶା ରଖିଛନ୍ତି ଲୋମାର ପରିବାର ଲୋକେ ।

also Read:ଗୌରବ ଆଣିଛନ୍ତି କିଟ୍ ଛାତ୍ରୀ, ମହିଳା ହକି ଟିମକୁ ମିଳିଲା ସ୍ବର୍ଣ୍ଣ ପଦକ