କେନ୍ଦୁଝର : ଲେବର ଲାଇସେନ୍ସ ପାଇଁ ୨୦ ହଜାର ଲାଞ୍ଚ ଅଭିଯୋଗ, ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ । ଲେବର ଲାଇସେନ୍ସ କରାଇଦେବା ପାଇଁ ଜଣେ ବିଦ୍ୟୁତ୍ ଠିକାଦାରଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋଇ । ରବିବାର ସନ୍ଧ୍ୟାରେ ଆକାଶଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ। ଭିଜିଲାନ୍ସର ସୂଚନା ଅନୁସାରେ, ଜଣେ ବିଦ୍ୟୁତ୍ ଠିକାଦାରଙ୍କ ଏଜେନ୍ସି ନାଁରେ ଲେବର ଲାଇସେନ୍ସ ପ୍ରଦାନ ପାଇଁ ଅଧିକାରୀ ଜଣକ ୨୦ ହଜାର ଟଙ୍କା ଦାବି କରିବା ସହ ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା।
ସମ୍ପୃକ୍ତ ଠିକାଦାରଙ୍କୁ TPNODL ପକ୍ଷରୁ ବିଦ୍ୟୁତ୍ ସଂଯୋଗ ସମ୍ପର୍କିତ ଇନ୍ ଷ୍ଟଲେସନ୍ କାମ ମିଳିଥିଲା। ଏହି କାମ ପାଇଁ ଶ୍ରମିକ ନିୟୋଜନ କରିବାକୁ ଲେବର ଲାଇସେନ୍ସର ଆବଶ୍ୟକତା ଥିଲା।ଏଥିପାଇଁ ଠିକାଦାର ଗତ ଅଗଷ୍ଟ ୧୪ ତାରିଖରେ ଶ୍ରମ ଓ ESI ବିଭାଗର ନିୟମ ଅନୁସାରେ ଅନଲାଇନ୍ ରେ ଆବେଦନ କରିଥିଲେ। ନିଜ ଏଜେନ୍ସି ନାଁରେ ଲାଇସେନ୍ସ ପାଇବା ପାଇଁ ସେ ସମସ୍ତ ଆବଶ୍ୟକ ପ୍ରକ୍ରିୟା ପୂରଣ କରିଥିବା ଭିଜିଲାନ୍ସ କହିଛି। ଅଗଷ୍ଟ ୧୬ ତାରିଖରେ ଠିକାଦାର ଲେବର ଲାଇସେନ୍ସ କେବେ ମିଳିବ ସେନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପଚାରିଥିଲେ। ଅଭିଯୋଗ ଅନୁସାରେ, ଏହି ସମୟରେ ଲାଇସେନ୍ସ ପ୍ରଦାନ କରିବା ପାଇଁ ଆକାଶ ବିଶୋଇ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।
ଲାଞ୍ଚ ଦାବି ଓ ହଇରାଣ କରାଯାଉଥିବା ଅଭିଯୋଗ ନେଇ ଠିକାଦାର ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ ଭିଜିଲାନ୍ସ ପକ୍ଷରୁ ଅଧିକାରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ରବିବାର ସନ୍ଧ୍ୟାରେ ଯୋଜନା ଅନୁସାରେ ଭିଜିଲାନ୍ସ ଟିମ୍ ଟ୍ରାପ୍ କରିଥିଲା। ଠିକାଦାରଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଆକାଶ ବିଶୋଇଙ୍କୁ ଧରାଯାଇଥିବା ଭିଜିଲାନ୍ସ କହିଛି। ଭିଜିଲାନ୍ସ ଅନୁସାରେ, ଅଭିଯୁକ୍ତ ଅଧିକାରୀଙ୍କ ନିକଟରୁ ସମ୍ପୂର୍ଣ୍ଣ ୨୦ ହଜାର ଟଙ୍କାର ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଲାଞ୍ଚ ମାମଲାରେ ଧରାପଡ଼ିବା ପରେ ଆକାଶ ବିଶୋଇଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ତଲାସି ଆରମ୍ଭ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ବା DA ଦିଗରୁ ମଧ୍ୟ ଯାଞ୍ଚ କରାଯାଉଛି। ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୮/୨୦୨୬ ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରି ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କ ବିରୋଧରେ ତଦନ୍ତ ଜାରି ରହିଛି। ତଲାସିରେ ଆଉ କ’ଣ ସାମ୍ନାକୁ ଆସୁଛି, ଏବେ ତାହା ଉପରେ ନଜର ରହିଛି।